ରାହଣେଙ୍କ ଶତକ, ବିଶାଳ ଲିଡ୍‌ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ଆଣ୍ଟିଗୁଆ: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ୍‌ ଇଣ୍ଡିଆ ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଛି। ପ୍ରଥମ ଇନିଂସ୍‌ରେ ୭୫ ରନ୍‌ର ଅଗ୍ରଣୀ ହାସଲ କରିଥିବା ବିରାଟ୍‌ ବାହିନୀ ଦ୍ୱିତୀୟ ଇନିଂସ୍‌ରେ ମଧ୍ୟ ନିଜର ଦବଦବା ଦେଖାଇଛି। ଦ୍ୱିତୀୟ ଇନିଂସ୍‌ରେ ଉପ ଅଧିନାୟକ ଅଜିଙ୍କ୍ୟ ରାହଣେଙ୍କ ଶତକ ବଳରେ ଶେଷ ଖବର ସୁଦ୍ଧା ଟିମ୍‌ ଇଣ୍ଡିଆ ୫ ୱିକେଟ୍‌ ହରାଇ ୩୨୭ ରନ୍‌ କରିଛି। ରାହଣେ ୧୦୨ ରନ୍‌ କରି ଆଉଟ୍ ହୋଇଥିବା ବେଳେ ହନୁମା ବିହାରୀ ୮୨ […]

efg

Hemant Lenka
  • Published: Sunday, 25 August 2019
  • , Updated: 25 August 2019, 10:28 PM IST

ଆଣ୍ଟିଗୁଆ: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ୍‌ ଇଣ୍ଡିଆ ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଛି। ପ୍ରଥମ ଇନିଂସ୍‌ରେ ୭୫ ରନ୍‌ର ଅଗ୍ରଣୀ ହାସଲ କରିଥିବା ବିରାଟ୍‌ ବାହିନୀ ଦ୍ୱିତୀୟ ଇନିଂସ୍‌ରେ ମଧ୍ୟ ନିଜର ଦବଦବା ଦେଖାଇଛି।

ଦ୍ୱିତୀୟ ଇନିଂସ୍‌ରେ ଉପ ଅଧିନାୟକ ଅଜିଙ୍କ୍ୟ ରାହଣେଙ୍କ ଶତକ ବଳରେ ଶେଷ ଖବର ସୁଦ୍ଧା ଟିମ୍‌ ଇଣ୍ଡିଆ ୫ ୱିକେଟ୍‌ ହରାଇ ୩୨୭ ରନ୍‌ କରିଛି। ରାହଣେ ୧୦୨ ରନ୍‌ କରି ଆଉଟ୍ ହୋଇଥିବା ବେଳେ ହନୁମା ବିହାରୀ ୮୨ ଓ ରିଷଭ ପନ୍ତ ୪ ରନ୍‌ କରି ଅପରାଜିତ ରହିଛନ୍ତି। ଏବେ ୱେଷ୍ଟଇଣ୍ଡିଜର ପ୍ରଥମ ଇନିଂସ୍‌ ସ୍କୋର ଠାରୁ ଟିମ୍‌ ଇଣ୍ଡିଆ ୪୦୩ ରନ୍‌ ଆଗରେ ରହିଛି।

ତୃତୀୟ ଦିବସ ଷ୍ଟମ୍ପ ଅପସାରଣ ବେଳକୁ ଟିମ୍‌ ଇଣ୍ଡିଆ ୩ ୱିକେଟ୍‌ ହରାଇ ୧୮୫ ରନ୍‌ କରିଥିଲା। ଆଜି ଦୁଇ ଅପରାଜିତ ବ୍ୟାଟସମ୍ୟାନ୍‌ ଅଧିନାୟକ ବିରାଟ କୋହଲି ଏବଂ ରାହଣେ ଇନିଂସ୍‌ ଆରମ୍ଭ କରିଥିଲେ। ଗତକାଲିରେ ସ୍କୋରରେ ମାତ୍ର ୨ ରନ୍‌ ଯୋଡ଼ି ୫୧ ରନ୍‌ କରିଥିବା ବିରାଟ୍‌ ସ୍ପିନର ରୋଷ୍ଟନ ଚେଜ୍‌ଙ୍କ ବଲରେ ଆଉଟ୍‌ ହୋଇଯାଇଥିଲେ। ୧୮୭ ରନ୍‌ରେ ୪ର୍ଥ ୱିକେଟ୍‌ ହରାଇଥିବା ଟିମ୍‌ ଇଣ୍ଡିଆକୁ ରାହଣେ ଏବଂ ହନୁମା ବିହାରୀଙ୍କ ଯୋଡ଼ି ସମ୍ଭାଳିଥିଲେ।

ଉଭୟ ଇଣ୍ଡିଜ ବୋଲରଙ୍କୁ କଡ଼ା ମୁକାବିଲା କରି ୫ମ ୱିକେଟ୍‌ ପାଇଁ ୧୦୦ ରନ୍‌ ଯୋଡ଼ିଥିଲେ। ଏଥିସହ ଦଳୀୟ ସ୍କୋରକୁ ୩୦୦ ପାର କରାଇଥିଲେ। ଲଞ୍ଚ ବ୍ରେକ୍‌ ପର୍ଯ୍ୟନ୍ତ ଏହି ଦୁଇ ବ୍ୟାଟସ୍‌ମ୍ୟାନ୍‌ ଟିମ୍‌ ଇଣ୍ଡିଆକୁ କୌଣସି କ୍ଷତି ପହଞ୍ଚାଇବାକୁ ଦେଇ ନଥିଲେ। ତେବେ ଲଞ୍ଚ ବ୍ରେକ୍‌ ପରେ ୧୦୨ ରନ୍‌ କରିଥିବା ରାହଣେଙ୍କୁ ଦ୍ରୁତ ବୋଲର ଶାନ୍ନନ ଗାବ୍ରିଏଲ ଆଉଟ୍‌ କରି ଭାରତକୁ ୫ମ ଝଟ୍‌କା ଦେଇଥିଲେ।

ଗତକାଲି ୱେଷ୍ଟଇଣ୍ଡିଜ୍‌ ଟିମ୍‌ ଅଲଆଉଟ୍‌ ହେବା ପରେ ଟିମ୍‌ ଇଣ୍ଡିଆ ଇନିଂସ୍‌ ଆରମ୍ଭ କରିଥିଲା। ପ୍ରଥମ ଇନିଂସ୍‌ ପରି ଦ୍ୱିତୀୟ ଇନିଂସ୍‌ରେ ମଧ୍ୟ ମୟଙ୍କ ଅଗ୍ରୱାଲ କେବଳ ୧୬ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ରାହୁଲ ଓ ଚେତେଶ୍ୱର ପୂଜାରା କିଛି ସମୟ ପାଇଁ ଲଢ଼େଇ କରିଥିଲେ ହେଁ ଏହା ବଡ଼ ଭାଗିଦାରୀରେ ପରିଣତ ହୋଇ ପାରି ନଥିଲା।

ରାହୁଲ ୩୮ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ପୂଜାରା ୨୫ ରନ୍‌ କରି କେମାର ରୋଚଙ୍କ ବଲରେ ବୋଲ୍ଡ ହୋଇଯାଇଥିଲେ। ତେବେ ବିରାଟ୍‌ ଓ ରାହଣେ ଶତକୀୟ ଭାଗିଦାରୀ କରି ତୃତୀୟ ଦିନ ଖେଳ ଶେଷସୁଦ୍ଧା ଟିମ୍‌ ଇଣ୍ଡିଆକୁ ଆଉ କୌଣସି କ୍ଷତି ହେବାକୁ ଦେଇ ନଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ଉଭୟ ନିଜ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରି ନେଇଥିଲେ।

ୱେଷ୍ଟଇଣ୍ଡିଜ ପକ୍ଷରୁ ରୋଷ୍ଟନ ଚେଜ୍‌ ୩ଟି ୱିକେଟ୍‌ ନେଇଥିବା ବେଳେ ରୋଚ ଓ ଗାବ୍ରିଏଲ ଗୋଟିଏ ଲେଖାଏ ୱିକେଟ ଦଖଲ କରିଛନ୍ତି। ଭାରତ ତାର ପ୍ରଥମ ଇନିଂସ୍‌ରେ ୨୯୭ କରିଥିବା ବେଳେ ଇଣ୍ଡିଜ୍ ୨୨୨ ରନ୍ କରି ଅଲଆଉଟ୍ ହୋଇଯାଇଥିଲା।

Related story