କୋଲକାତା: ଭାରତୀୟ କ୍ରିକେଟ୍ ପାଇଁ ଆଜି ଐତିହାସିକ ଦିନ। କୋଲକାତାର ଇଡେନ୍ ଗାର୍ଡେନ୍ସରେ ଭାରତ ତା'ର ପ୍ରଥମ ଦିବାରାତ୍ର ତଥା ପିଙ୍କ୍ ବଲ୍ ଟେଷ୍ଟ ମ୍ୟାଚ୍ ତଥା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳିବାକୁ ମଇଦାନକୁ ଓହ୍ଲାଇଛି। ଏହି ମୁକାବିଲା ଯେ କେବଳ ଭାରତ ପାଇଁ ନୁହେଁ ବରଂ ବାଂଲାଦେଶ ପାଇଁ ମଧ୍ୟ ଐତିହାସିକ। ଏହି ଐତିହାସିକ ମୁକାବିଲାର ପ୍ରତ୍ୟକ୍ଷଦର୍ଶୀ ସାଜିଛନ୍ତି ହଜାର ହଜାର ସଂଖ୍ୟକ ଦର୍ଶକ। ଘରୋଇ ଦର୍ଶକଙ୍କୁ ନିରାଶ ନକରି ଭାରତ ତା'ର ପ୍ରଥମ ପିଙ୍କ୍ ବଲ୍ ମ୍ୟାଚରେ କମାଲ୍ କରିଛି।
ପ୍ରଥମ ଦିବସରେ ଉଭୟ ବୋଲିଂ ଓ ବ୍ୟାଟିଂରେ ଭାରତ ବାଂଲାଦେଶକୁ ପଛରେ ପକାଇଛି। ଈଶାନ୍ତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ପେସ୍ ବ୍ୟାଟେରୀ ଚମତ୍କାର ବୋଲିଂ କରି ପ୍ରଥମେ ବାଂଲାଦେଶକୁ ପ୍ରଥମ ଇନିଂସରେ ମାତ୍ର ୧୦୬ ରନରେ ସୀମିତ ରଖିଥିଲେ। ଏହା ପରେ କ୍ୟାପଟେନ୍ ବିରାଟ୍ କୋହଲି ଓ ଚେତେଶ୍ୱର ପୂଜାରାଙ୍କ ଅର୍ଦ୍ଧଶତକ ବଳରେ ଭାରତ ଦିବସର ଖେଳ ଶେଷ ସୁଦ୍ଧା ୪୬ ଓଭରରେ ୩ ୱିକେଟ୍ ହରାଇ ୧୭୪ ରନ୍ କରିଛି । ଫଳରେ ଭାରତ ୭ ୱିକେଟ୍ ବାକି ଥାଇ ୬୮ ରନର ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ କୋହଲି ୬୯ (୯୩ ବଲ୍, ୮ ଚୌକା) ଓ ଆଜିଙ୍କ୍ୟ ରାହାଣେ ୨୩ (୨୨ ବଲ୍, ୩ ଚୌକା) ରନ୍ କରି ଅପରାଜିତ ରହିଛନ୍ତି।
ଏହା ପୂର୍ବରୁ ବାଂଲାଦେଶ ପାଇଁ ଟସ୍ ଜିତି ବ୍ୟାଟିଂ ନେବା ମହଙ୍ଗା ପଡ଼ିଥିଲା। ବାଂଲାଦେଶ ପକ୍ଷରୁ ତିନିଜଣ ବ୍ୟାଟ୍ସମ୍ୟାନ୍ ଯଥା ଶାଦମାଦ୍ ଇସଲାମ୍ (୨୯), ଲିଟନ୍ ଦାସ (୨୪) ଓ ନୟିମ୍ ହାସନ୍ (୧୯) ଦୁଇଅଙ୍କ ଛୁଇଁଥିବା ବେଳେ ବାକି ବ୍ୟାଟ୍ସମ୍ୟାନ୍ ନିରାଶ କରିଥିଲେ। ତେବେ ଭାରତୀୟ ପେସ୍ ବୋଲରମାନେ ପିଙ୍କ୍ ବଲର ଭରପୂର ଫାଇଦା ଉଠାଇଛନ୍ତି ଏବଂ ଭ୍ରମଣକାରୀ ଦଳର କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜରେ ବେଶୀ ସମୟ ତିଷ୍ଠିବାକୁ ଦେଇନଥିଲେ। ଭାରତର ସଫଳ ବୋଲର ଭାବେ ଈଶାନ୍ତ ଶର୍ମା ୨୨ ରନ୍ ଦେଇ ୫ଟି ୱିକେଟ୍ ନେଇଥିବା ବେଳେ ଉମେଶ ଯାଦବ ୩ଟି ଓ ଘରୋଇ ବୋଲର ମହମ୍ମଦ ଶାମି ୨ଟି ୱିକେଟ୍ ନେଇଥିଲେ।
ଦଳର ସବୁଠାରୁ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ମୁଶଫିକର୍ ରହିମ୍ (୦)ଙ୍କୁ ପୁଣିଥରେ ଶାମି ନିଜର ଶିକାର ବନାଇଥିଲେ। ଭଲ ଖେଳିଆସୁଥିବା ଶାଦମାନଙ୍କୁ ଆଉଟ୍ କରି ଉମେଶ ଭ୍ରମଣକାରୀ ଦଳର ଅଧା ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ୍ ଫେରିଥିଲେ। ମହମ୍ମଦୁଲ୍ଲାଙ୍କ ଖରାପ ଫର୍ମ ଏଠାରେ ମଧ୍ୟ ଜାରି ରହିଥିଲା । ସେ ବ୍ୟକ୍ତିଗତ ୬ ରନ୍ କରି ଈଶାନ୍ତଙ୍କ ବଲରେ ଋଦ୍ଧିମାନ୍ ସାହାଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ଲିଟନ୍ ଦାସ ନିଜର ଆକ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ କରି ଟିମ୍ ସ୍ଥିତି ସୁଧାରିବାକୁ ପ୍ରୟାସ କରିଥିଲେ। କିନ୍ତୁ ଇନିଂସର ୨୨ତମ ଓଭରରେ ଲିଟନ୍ ଦାସ ରିଟାୟର୍ଡ ହର୍ଟ ହୋଇ ପ୍ୟାଭିଲିୟନ୍ ଫେରିବା ପରେ ବାଂଲାଦେଶ ଟିମ୍ ଭୁଶୁଡ଼ି ଯାଇଥିଲା। ଆହତ ଯୋଗୁ ସେ ମ୍ୟାଚରୁ ଆଉଟ୍ ହେଇଥିବା ବେଳେ ତାଙ୍କ ସ୍ଥାନରେ କନକସନ୍ ସବଷ୍ଟିଚ୍ୟୁଟ୍ ଭାବେ ମେହିଦୀ ହାସନ୍ ମିରାଜଙ୍କୁ ସାମିଲ୍ କରାଯାଇଥିଲା। ଶେଷଭାଗରେ ଇବାଦତ୍ ହୁସେନ୍ (୧), ମେହିଦୀ (୮) ଓ ଆବୁ ଜାୟେଦ୍ (୦) ଦୁଇଅଙ୍କ ଛୁଇଁପାରିନଥିଲେ।