ଅହମଦାବାଦ: ଭାରତରେ ତିଆରି ହୋଇଥିବା ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମରେ ଆସନ୍ତାକାଲି ଠାରୁ ଟିମ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଆରମ୍ଭ ହେବ। ଅହମଦାବାଦରେ ନୂଆ କରି ତିଆରି ହେବା ପରେ ସର୍ଦ୍ଦାର ପଟେଲ ଷ୍ଟାଡିୟମରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇ ନାହିଁ। କାଲି ଭାରତ ଓ ଇଂଲଣ୍ଡ ପିଙ୍କ ବିଲ୍ରେ ଏଠାରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବେ। ଅର୍ଥାତ ଏହା ଦିବାରାତ୍ର ଟେଷ୍ଟ। ଭାରତୀୟ ସମୟ ୨.୩୦ରୁ ଏହି ମ୍ୟାଚ୍ ଆରମ୍ଭ ହେବ।
ପ୍ରଥମ ଟେଷ୍ଟକୁ ଇଂଲଣ୍ଡ ଜିତିବା ପରେ ଦ୍ୱିତୀୟ ଟେଷ୍ଟକୁ ଟିମ୍ ଇଣ୍ଡିଆ ବାଜିମାତ କରିଥିଲା। ସିରିଜ୍ ଏବେ ୧-୧ରେ ବରାବର ଥିବା ବେଳେ ପ୍ରଥମଥର ପାଇଁ ଉଭୟ ଦେଶ ପରସ୍ପରକୁ ପିଙ୍କ ବଲ୍ ଟେଷ୍ଟରେ ଭେଟିବେ। ଭାରତ କିମ୍ବା ଇଂଲଣ୍ଡର ଖେଳାଳି ଏହି ପିଚ୍ରେ ପୂର୍ବରୁ ଖେଳି ନାହାନ୍ତି।
ଐତିହାସିକ ପିଙ୍କ ବଲ୍ ଟେଷ୍ଟ ପାଇଁ ନୂଆ ପିଚ୍ ତିଆରି କରାଯାଇଛି। ନୂଆ ଷ୍ଟାଡିୟମ ଓ ନୂଆ ପିଚ୍ରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ। ପ୍ରଥମ ଦୁଇ ଦିନ ଏହା ଦ୍ରୁତ ବୋଲରଙ୍କୁ ସହାୟକ ହେବ। ଏହାପରେ ସ୍ପିନରମାନେ ପିଙ୍କ ବଲରେ ନିଜର ଜଲୱା ଦେଖାଇବେ ବୋଲି କ୍ରିକେଟ ପଣ୍ଡିତମାନେ ମତ ଦେଇଛନ୍ତି।
ଅନ୍ୟପକ୍ଷରେ ସିରିଜ୍ ବରାବର ଥିବାରୁ ଭାରତ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିପାରେ। ପିଙ୍କ ବଲରେ ପ୍ରଥମରୁ ସୁଇଂର ସୁଯୋଗ ରହିଛି। ନୂଆ ବଲ୍ରେ ସୁଇଂ କରି ବ୍ୟାଟସମ୍ୟାନଙ୍କୁ ଘାଇଲା କରିବା ପାଇଁ ଟିମ୍ ମ୍ୟାନେଜମେଣ୍ଟ ଯଶପ୍ରୀତ ବୁମ୍ରାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିପାରେ। ଏପରି ହେଲେ କୁଲଦୀପ ଯାଦବଙ୍କୁ ବେଞ୍ଚରେ ବସିବାକୁ ପଡ଼ିବ। ନଚେତ୍ ମହମ୍ମଦ ସିରାଜଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦିଆଯାଇପାରେ।
ଆସନ୍ତାକାଲି ଈଶାନ୍ତ ଶର୍ମା ତାଙ୍କ ଟେଷ୍ଟ କ୍ୟାରିୟରର ୧୦୦ତମ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। ଏଥିପାଇଁ ସେ ଯେତିକି ଉତ୍ସାହିତ ତା’ଠାରୁ ଅଧିକ ଖୁସି ଅଛନ୍ତି ଅଧିନାୟକ ବିରାଟ କୋହଲି। କାଲିର ମ୍ୟାଚ୍ ପୂର୍ବରୁ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିରାଟ କହିଛନ୍ତି, ପିଙ୍କ ବିଲ୍ରେ ଆମେ ଖେଳିବାକୁ ବେଶ ଉତ୍ସାହିତ। ଶେଷଥର ପାଇଁ ଆମେ ଆଡିଲେଡ୍ରେ ପିଙ୍କ ବଲ ଟଷ୍ଟ ଖେଳିଥିଲୁ। ଉକ୍ତ ମ୍ୟାଚ୍କୁ ଭୁଲି ଆମେ ଆଗକୁ ବଢ଼ିଛୁ। ଆସନ୍ତାକାଲିର ମ୍ୟାଚ୍ ଉପରେ ଆମର ଫୋକସ ରହିଛି। ପିଙ୍କ ବଲରେ ସ୍ପିନରଙ୍କ ଭୂମିକା ଯେତିକି, ଦ୍ରୁତ ବୋଲରଙ୍କ ଭୂମିକା ମଧ୍ୟ ସେତିକି। ତେଣୁ ଆସନ୍ତକାଲି ପିଚ୍କୁ ଦେଖି ଆମେ ଖେଳାଳି ଚୟନ କରିବୁ ବୋଲି ବିରାଟ କହିଛନ୍ତି।
ଏହି ଗୋଟିଏ ପରିବର୍ତ୍ତନ ଛାଡ଼ିଦେଲେ, ବ୍ୟାଟିଂ ଲାଇନ ଅପ୍ରେ କୌଣସି ପରିବର୍ତ୍ତନ ହେବାର ନାହିଁ। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଡେବ୍ୟୁ କରିଥିବା ଅକ୍ଷର ପଟେଲ ଜବରଦସ୍ତ ବୋଲିଂ କରିଥିଲେ। ଅଶ୍ୱିନ ମଧ୍ୟ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରିଥିଲେ। ତେଣୁ ପୂର୍ବ ମ୍ୟାଚ୍ର ଫର୍ମକୁ ଆଧାର କରି ଭାରତୀୟ ଟିମ୍ତ କାଲି ପିଙ୍କ ବଲ ଟେଷ୍ଟ ଖେଳିବାକୁ ମୈଦାନକୁ ଓହ୍ଲାଇବ।
ଅନ୍ୟପକ୍ଷରେ ଇଂଲଣ୍ଡ କଥା ବିଚାରକୁ ନେଲେ ଦଳ ବିଦେଶ ମାଟିରେ ଏଯାଏ ପିଙ୍କ ବଲରେ ନିଜର ଦବଦବା ଦେଖାପାରିନି। ଇଂଲଣ୍ଡ ଟିମ୍ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିଥିବା ଦୁଇଟି ଯାକ ଦିବରାତ୍ର ଟେଷ୍ଟ ମ୍ୟାଚ୍ ହାରିଛି। ଭାରତ ଘରୋଇ ମାଟିରେ ଗୋଟିଏ ଥର ପିଙ୍କ ବଲ ଟେଷ୍ଟ ଖେଳିଛି। ବାଂଲାଦେଶ ବିପକ୍ଷରେ ଭାରତ ଖେଳିଥିବା ଏହି ଟେଷ୍ଟକୁ ଗୋଟିଏ ଇନିଂସ ଓ ୪୬ ରନ୍ରେ ଜିତି ନେଇଥିଲା।
ସମ୍ଭାବ୍ୟ ପ୍ଲେଇଂ ଏକାଦଶ: ଶୁବମନ ଗିଲ୍, ରୋହିତ ଶର୍ମା, ଚେତେଶ୍ୱର ପୂଜରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ରବି ଅଶ୍ୱିନ, ଅକ୍ଷର ପଟେଲ, ଈଶାନ୍ତ ଶର୍ମା, ମହମ୍ମଦ ସିରାଜ, କୁଲଦୀପ ଯାଦବ/ଯଶପ୍ରୀତ ବୁମ୍ରା।