ମହିଳା ଟି-୨୦ରେ ପୁଣି ହାରିଲା ଭାରତ, ସିରିଜ୍ ଜିତିଲା ଇଂଲଣ୍ଡ

ଗୁଆହାଟୀ: ଟି-୨୦ରେ ଭାରତୀୟ ମହିଳା ଦଳର ପରାଜୟଧାରା ଅବ୍ୟାହତ ରହିଛି। ଗୁରୁବାର ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ ମହିଳା ଟିମ୍ ୫ ୱିକେଟରେ ଇଂଲଣ୍ଡଠାରୁ ପରାସ୍ତ ହୋଇଛି। ଏହି ବିଜୟ ସହ ଇଂଲଣ୍ଡ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି। ଇଂଲଣ୍ଡ ଏହି ମ୍ୟାଚରେ ପୁଣିଥରେ ବୋଲିଂ ଓ ବ୍ୟାଟିଂରେ କମାଲ୍ କରଥିଲା। ଦଳର ବୋଲରମାନେ ଭାରତକୁ ବଡ଼ ସ୍କୋର କରିବାକୁ ଦେଇନଥିଲେ ଏବଂ ୨୦ ଓଭରରେ ୮ ୱିକେଟ୍ କ୍ଷତିରେ […]

ind

Hemant Lenka
  • Published: Thursday, 07 March 2019
  • , Updated: 07 March 2019, 10:10 PM IST

ଗୁଆହାଟୀ: ଟି-୨୦ରେ ଭାରତୀୟ ମହିଳା ଦଳର ପରାଜୟଧାରା ଅବ୍ୟାହତ ରହିଛି। ଗୁରୁବାର ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ ମହିଳା ଟିମ୍ ୫ ୱିକେଟରେ ଇଂଲଣ୍ଡଠାରୁ ପରାସ୍ତ ହୋଇଛି। ଏହି ବିଜୟ ସହ ଇଂଲଣ୍ଡ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି।

ଇଂଲଣ୍ଡ ଏହି ମ୍ୟାଚରେ ପୁଣିଥରେ ବୋଲିଂ ଓ ବ୍ୟାଟିଂରେ କମାଲ୍ କରଥିଲା। ଦଳର ବୋଲରମାନେ ଭାରତକୁ ବଡ଼ ସ୍କୋର କରିବାକୁ ଦେଇନଥିଲେ ଏବଂ ୨୦ ଓଭରରେ ୮ ୱିକେଟ୍ କ୍ଷତିରେ ୧୧୧ ରନରେ ରୋକିଥିଲେ। ଏହି ସହଜ ଲକ୍ଷ୍ୟକୁ ଇଂଲଣ୍ଡ ୧୯.୧ ଓଭରରେ ୨ ୱିକେଟ୍ ହରାଇ ହାସଲ କରିନେଇଛି।

ଇଂଲଣ୍ଡ ପକ୍ଷରୁ ଅଧାରୁ ଅଧିକ ରନ୍ ଓପ୍ନର ଡାନିଏଲ୍ ୱାଟ୍ଟ କରିଥିଲେ। ୱାଟ୍ଟ ୫୫ ବଲରେ ୬ ଚୌକା ବଳରେ ୬୪ ରନ୍ କରିଥିଲେ । ତାଙ୍କ ବ୍ୟତୀତ ଇଂଲଣ୍ଡର ଲରେନ୍ ୱିନଫିଲ୍ଡ ୨୩ ବଲରେ ୪ ଚୌକା ସହ ୨୯ ରନର ଇନିଂସ୍ ଖେଳିଥିଲେ । ଇଂଲଣ୍ଡର ଏହି ଦୁଇ ବ୍ୟାଟ୍ସୱିମେନ୍ ହିଁ ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇଥିଲେ ।

ଏକ ସମୟରେ ୫୬ ରନରେ ଇଂଲଣ୍ଡର ୪ ୱିକେଟ୍ ନେଇ ଭାରତ ଭଲ ସ୍ଥିତିରେ ଥିଲା। ଟାମି ବ୍ୟୁମଣ୍ଟ (୮), ଆମି ଜୋନ୍ସ (୫), ନାଟାଲି ସ୍କିଭର୍ (୧) ଓ ଅଧିନାୟକ ହିଥର ନାଇଟ୍ (୨) ନିରାଶ କରିଥିଲେ। ୱାଟ୍ଟ ଓ ୱିନଫିଲ୍ଡ ପଞ୍ଚମ ୱିକେଟ୍ ପାଇଁ ୪୭ ରନ୍ ଯୋଡ଼ି ଇଂଲଣ୍ଡକୁ ବିଜୟ ନିକଟତର କରାଇଥିଲେ। ଭାରତ ପକ୍ଷରୁ ଏକତା ବିଷ୍ଟ ୨ଟି, ଦୀପ୍ତି ଶର୍ମା, ରାଧା ଯାଦବ ଓ ପୁନମ ଯାଦବ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

ଏହା ପୂର୍ବରୁ ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତ ୩୪ ରନରେ ୩ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା। ଦୁଇ ଓପ୍ନର ଅଧିନାୟକ ସ୍ମୃତି ମନ୍ଧାନା (୧୨) ଓ ହର୍ଲିନ୍ ଦେଓଲ (୧୪) ପୁଣିଥରେ ନିରାଶ କରିଥିବା ବେଳେ ଜେମିମା ରୋଡ୍ରିଗ୍ସ ୨ ରନ୍ କରି ଆଉଟ୍ ହୋଇଥିଲେ।

ଅଭିଜ୍ଞ ମିତାଲି ରାଜ (୨୦) ଓ ଦୀପ୍ତି ଶର୍ମା (୧୮) ମିଶି ଭାରତକୁ କଠିନ ପରିସ୍ଥିତିରୁ ବାହାର କରିବା ପାଇଁ ପ୍ରୟାସ କରିଥିଲେ । ଦୁହେଁ ୩୫ ରନ୍ ଯୋଡିଥିବା ବେଳେ ଦୀପ୍ତି ରନ୍ ଆଉଟ୍ ହୋଇଥିଲେ। ମିତାଲିଙ୍କୁ ଆଉଟ୍ କରି କେଟ୍ କ୍ରସ୍ ଇଂଲଣ୍ଡକୁ ବଡ଼ ସଫଳତା ଦେଇଥିଲେ।

ଭାରତୀ ଫୁଲମାଲିଙ୍କ ସଂଘର୍ଷପୂର୍ଣ୍ଣ ୧୮ ରନ୍ ବଳରେ ଭାରତ ୧୦୦ ରନ୍ ଅତିକ୍ରମ କରିବାକୁ ସମର୍ଥ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶିଖା ପାଣ୍ଡେ ୩, ତାନିଆ ଭାଟିଆ, ୧, ରାଧା ଯାଦବ ଅପରାଜିତ ୩ ଓ ଏକତା ବିଷ୍ଟ ଅପରାଜିତ ୨ ରନ୍ କରିଥିଲେ । ଇଂଲଣ୍ଡ ପକ୍ଷରୁ କ୍ୟାଥରିନ ବ୍ରଣ୍ଟ ୩ଟି ଓ ଲିନସେ ସ୍ମିଥ ୨ଟି ୱିକେଟ୍ ନେଇଥିଲେ।

Related story