ମାଲାନ-ମୋର୍ଗାନ ବିସ୍ଫୋରଣ, ଟି-୨୦ ସିରିଜ୍‌ ୨-୨ରେ ବରାବର

ନାପିୟର: ଡି ମାଲାନ୍‌ଙ୍କ ବିସ୍ଫୋରକ ଶତକ ଓ ଅଧିନାୟକ ଇଆନ ମୋର୍ଗାନଙ୍କ ୪୧ ବଲରେ ୯୧ ରନ୍‌ର ଇନିଂସ୍‌ ବଳରେ ଇଂଲଣ୍ଡ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡକୁ ୪ର୍ଥ ଟି-୨୦ରେ ବିଶାଳ ୭୬ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଏବେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ୨-୨ରେ ବରାବର ହୋଇଯାଇଛି। ବିସ୍ଫୋରକ ଶତକ ପାଇଁ ମାଲାନ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚନା କରାଯାଇଛି। ସେ ନିଜେ ତାଙ୍କ ଟି-୨୦ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିବା […]

s

Hemant Lenka
  • Published: Friday, 08 November 2019
  • , Updated: 08 November 2019, 04:35 PM IST

ନାପିୟର: ଡି ମାଲାନ୍‌ଙ୍କ ବିସ୍ଫୋରକ ଶତକ ଓ ଅଧିନାୟକ ଇଆନ ମୋର୍ଗାନଙ୍କ ୪୧ ବଲରେ ୯୧ ରନ୍‌ର ଇନିଂସ୍‌ ବଳରେ ଇଂଲଣ୍ଡ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡକୁ ୪ର୍ଥ ଟି-୨୦ରେ ବିଶାଳ ୭୬ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଏବେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ୨-୨ରେ ବରାବର ହୋଇଯାଇଛି। ବିସ୍ଫୋରକ ଶତକ ପାଇଁ ମାଲାନ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚନା କରାଯାଇଛି।

ସେ ନିଜେ ତାଙ୍କ ଟି-୨୦ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିବା ବେଳେ ତୃତୀୟ ୱିକେଟ୍‌ ପାଇଁ ଇଆନ୍‌ ମୋର୍ଗାନଙ୍କ ସହ ମିଶି ରେକର୍ଡ ବ୍ରେକିଂ ୧୮୨ ରନ୍‌ର ଭାଗିଦାରୀ କରିଥିଲେ।

ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ବିଶାଳ ୨୪୧ ରନ୍‌ କରିଥିଲା। ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ ୧୬.୫ ଓଭରରେ ୧୬୫ ରନ୍‌ କରି ଅଲଆଉଟ୍ ହୋଇଯାଇଥିଲା।

ନାପିୟରରେ ଟସ୍‌ ଜିତି ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଏହାକୁ ମିଚେଲ ସାଣ୍ଟନର ଠିକ୍‌ ପ୍ରମାଣିତ କରି ଓପନର ଜନ୍ନି ବେୟାରଷ୍ଟୋ(୮)ଙ୍କୁ ଆଉଟ୍‌ କରିଦେଇଥିଲେ। କିଛି ସମୟ ପାଇଁ ଟମ୍‌ ବାନଟନ୍‌ ଓ ଡି ମାଲାନ୍‌ ଇଂଲଣ୍ଡ ସ୍କୋରକୁ ଆଗକୁ ନେଇଥିଲେ। ତେବେ ଏହି ସମୟରେ ୩୧ ରନ୍‌ କରିଥିବା ଟମ୍‌ଙ୍କୁ ସାଣ୍ଟନର ନିଜର ଦ୍ୱିତୀୟ ଶିକାର କରିଥିଲେ।

୫୮ ରନ୍‌ରେ ଦୁଇ ୱିକେଟ ହରାଇଥିବା ଇଂଲଣ୍ଡର ବ୍ୟାଟିଂ ମଙ୍ଗ ଅଧିନାୟକ ମୋର୍ଗାନ ଓ ମାଲାନ ସମ୍ଭାଳିଥିଲେ। ସେମାନେ ନ୍ୟୁଜିଲ୍ୟାଣ୍ଡ ବୋଲରଙ୍କୁ କଡ଼ା ପ୍ରହାର କରି ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିଥିଲେ। ମାଲାନ ମାତ୍ର ୪୮ଟି ବଲରେ ଶତକ ହାସଲ କରିଥିବା ବେଳେ ମୋର୍ଗାନ ୨୧ଟି ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ମାଲାନ୍‌ ପ୍ରଥମ ଇଂଲିଶ ବ୍ୟାଟସମ୍ୟାନ ଭାବେ ଏତେ କମ୍‌ ବଲରେ ଶତକ ହାସଲ କରିବାର ରେକର୍ଡ କରିଛନ୍ତି। ସେହିପରି ମୋର୍ଗାନ ଓ ମାଲାନ ପ୍ରଥମ ଇଂଲଣ୍ଡ ଯୋଡ଼ି ଭାବେ ୧୮୨ ରନ୍‌ର ଭାଗିଦାରୀ କରି ଦଳୀୟ ସ୍କୋରକୁ ୨୪୧ ରନ୍‌ ପହଞ୍ଚାଇବାର କୀର୍ତ୍ତିମାନ ମଧ୍ୟ ସ୍ଥାପନ କରିଛନ୍ତି।

ଏହି ଦୁଇ ବାମହାତୀ ବ୍ୟାଟସ୍‌ମ୍ୟାନ୍‌ ମିଳିତ ଭାବେ ୧୩ଟି ଛକା ଓ ୧୬ଟି ଚୌକା ମାରିଛନ୍ତି। କେବଳ ସାଣ୍ଟନର ଓ ଟ୍ରେଣ୍ଟ ବୋଲ୍ଟଙ୍କୁ ଛାଡ଼ି ଦେଲେ ସମସ୍ତ ନ୍ୟୁଜିଲ୍ୟାଣ୍ଡ ବୋଲର ଓଭର ପିଛା ୧୦ରୁ ଅଧିକ ରନ ବ୍ୟୟ କରିଥିଲେ। ୯୧ ରନ୍‌ କରି ମୋର୍ଗାନ ଆଉଟ୍‌ ହୋଇଥିଲେ ହେଁ ମାଲାନ ୫୧ ବଲରେ ୧୦୩ ରନ୍‌ କରି ଓଭର ଶେଷ ହେବା ଯାଏ କ୍ରିଜ୍‌ରେ ଅପରାଜିତ ରହିଥିଲେ।

୨୪୨ ରନ୍‌ର ବିଶାଳ ଟାର୍ଗେଟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ ଜବରଦସ୍ତ ଆରମ୍ଭ କରିଥିଲା। ଏକଦା ଦଳ ୫ ଓଭରରେ ୫୪ ରନ୍‌ କରିଥିଲା। କିନ୍ତୁ ଏହି ସମୟରେ ମାର୍ଟିନ ଗପ୍ଟିଲ ୨୭ ରନ୍‌ କରି ଟମ୍‌ କରାନଙ୍କ ବଲରେ ଆଉଟ ହୋଇଯାଇଥିଲେ। କଲିନ୍ ମନରୋ ୩୦ ଓ ଅଧିନାୟକ ଟିମ୍ ସାଉଦି ଦ୍ରୁତ ୩୯ ରନ୍ କରିଥିଲେ ହେଁ ଏହା ବିଜୟ ପାଇଁ ଯଥେଷ୍ଟ ନଥିଲା।

ଶେଷରେ ନ୍ୟୁଜିଲ୍ୟାଣ୍ଡ ୧୯ଟି ବଲ ପୂର୍ବରୁ ୧୬୫ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଏବେ ସିରିଜର ନିର୍ଣ୍ଣାୟକ ମ୍ୟାଚ୍ ଆସନ୍ତା ରବିବାର ଖେଳାଯିବ। ଇଂଲଣ୍ଡ ପକ୍ଷରୁ ମ୍ୟାଟ୍‌ ପାରକିସନ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ସାମ କରାନ, ଟମ କରାନ ଓ ପାଟ୍‌ ବ୍ରାଉନ ଗୋଟିଏ ୱିକେଟ ନେଇଛନ୍ତି। ସେହିଭଳି କ୍ରିସ ଜୋର୍ଡାନ ୨ଟି ୱିକେଟ ଦଖଲ କରିଥିଲେ।

Related story