ବିଜୟ ହଜାରେ ଟ୍ରଫି: ୧୨ ବର୍ଷ ପରେ ଚାମ୍ପିୟନ୍‌ ହେଲା ମୁମ୍ବାଇ

ବେଙ୍ଗାଲୁରୁ: ଦୀର୍ଘ ୧୨ ବର୍ଷ ଅପେକ୍ଷାର ଅନ୍ତ ଘଟାଇ ମୁମ୍ବାଇ ବିଜୟ ହଜାରେ ଟ୍ରଫି ଉପରେ କବଜା କରିଛି। ଆଜି ଦିଲ୍ଲୀ ବିପକ୍ଷ ଫାଇନାଲ୍‌ ମୁକାବିଲାକୁ ଶ୍ରେୟସ ଆୟରଙ୍କ ମୁମ୍ବାଇ ଟିମ୍‌ ୪ ୱିକେଟ୍‌ରେ ଜିତି ଘରୋଇ ଟୁର୍ଣ୍ଣାମେଣ୍ଟ୍‌ର ନୂଆ ବିଜେତା ବନିଛି। ମୁମ୍ବାଇ ଦୀର୍ଘ ୬ ବର୍ଷ ପରେ ବିଜୟ ହଜାରେ ଟ୍ରଫିର ଫାଇନାଲ୍‌ରେ ପ୍ରବେଶ କରିଥିଲା। ଶେଷଥର ପାଇଁ ଦଳ ୨୦୧୧ରେ ଫାଇନାଲ୍‌ରେ ପ୍ରବେଶ କରିଥିଲେ ହେଁ ବେଙ୍ଗଲଠାରୁ ହାରି ଉପ ବିଜେତାରେ ସନ୍ତୁଷ୍ଟ […]

a

Hemant Lenka
  • Published: Saturday, 20 October 2018
  • , Updated: 20 October 2018, 09:40 PM IST

ବେଙ୍ଗାଲୁରୁ: ଦୀର୍ଘ ୧୨ ବର୍ଷ ଅପେକ୍ଷାର ଅନ୍ତ ଘଟାଇ ମୁମ୍ବାଇ ବିଜୟ ହଜାରେ ଟ୍ରଫି ଉପରେ କବଜା କରିଛି। ଆଜି ଦିଲ୍ଲୀ ବିପକ୍ଷ ଫାଇନାଲ୍‌ ମୁକାବିଲାକୁ ଶ୍ରେୟସ ଆୟରଙ୍କ ମୁମ୍ବାଇ ଟିମ୍‌ ୪ ୱିକେଟ୍‌ରେ ଜିତି ଘରୋଇ ଟୁର୍ଣ୍ଣାମେଣ୍ଟ୍‌ର ନୂଆ ବିଜେତା ବନିଛି। ମୁମ୍ବାଇ ଦୀର୍ଘ ୬ ବର୍ଷ ପରେ ବିଜୟ ହଜାରେ ଟ୍ରଫିର ଫାଇନାଲ୍‌ରେ ପ୍ରବେଶ କରିଥିଲା।

ଶେଷଥର ପାଇଁ ଦଳ ୨୦୧୧ରେ ଫାଇନାଲ୍‌ରେ ପ୍ରବେଶ କରିଥିଲେ ହେଁ ବେଙ୍ଗଲଠାରୁ ହାରି ଉପ ବିଜେତାରେ ସନ୍ତୁଷ୍ଟ ହୋଇଥିଲା। ସେହିପରି ମୁମ୍ବାଇ ତୃତୀୟଥର ପାଇଁ ବିଜୟ ହଜାରେ ଟ୍ରଫି ଜିତିଛି। ଦଳ ଶେଷଥର ପାଇଁ ୨୦୦୬-୦୭ରେ ବିଜେତା ହୋଇଥିଲା।

ଆଜିର ମ୍ୟାଚ୍‌ରେ ମୁମ୍ବାଇ ଟସ୍‌ ଜିତି ଦିଲ୍ଲୀକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲା।

ଆରମ୍ଭରୁ ହିଁ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦିଲ୍ଲୀର ଦୁଇ ଓପନର୍‌ ଗୌତମ ଗମ୍ଭୀର ଓ ମନନ୍‌ ଶର୍ମା ମାତ୍ର ୫ ରନ୍‌ ମଧ୍ୟରେ ପ୍ୟାଭିଲିୟନ୍‌ ଫେରିଥିଲେ।

ଦଳ ପକ୍ଷରୁ ଧ୍ରୁବ ସୋରେ ୩୧ ରନ୍‌ କରିଥିବା ବେଳେ ହିମତ ସିଂହ ୪୧ ରନ୍ର ଇନିଂସ୍ ଖେଳିଥିଲେ। ଏହାକୁ ଆଧାର କରି ଦଳ ୫୦ ଓଭର୍‌ରେ ୬ ୱିକେଟ୍‌ ହରାଇ ମାତ୍ର ୧୭୭ ରନ୍‌ କରିପାରିଥିଲା। ମୁମ୍ବାଇ ପକ୍ଷରୁ ଧବଲ କୁଲକର୍ଣ୍ଣୀ ଓ ଶିବମ୍ ଦୁବେ ୩ଟି ଲେଖାଏ ୱିକେଟ୍ ନେଇଥିଲେ।

୧୭୮ ରନ୍‌ର ଟାର୍ଗେଟ ପାଇଥିବା ମୁମ୍ବାଇ ମଧ୍ୟ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦୁଇ ଓପନର୍ ପୃଥ୍ୱୀ ଶ’ (୮) ଓ ଅଜିଙ୍କ୍ୟ ରାହଣେ(୧୦), ଶ୍ରେୟସ ଆୟର ୭ ଓ ସୂର୍ଯ୍ୟ କୁମାର ଯାଦବ ୪ ରନ୍ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ।

୭.୪ ଓଭର୍‌ରେ ୪ ୱିକେଟ୍‌ ହରାଇ ୪୦ ରନ୍‌ କରିଥିବା ମୁମ୍ବାଇ ପାଇଁ ୱିକେଟ୍‌ କିପର୍‌ ଆଦିତ୍ୟ ତାରେ ମଙ୍ଗ ସମ୍ଭାଳିଥିଲେ। ତାଙ୍କୁ ସିଦ୍ଧେଶ ଲାଡ୍‌ ଭରପୂର ସହଯୋଗ କରିଥିଲେ।

ତାରେ ୭୧ ରନ୍‌ କରିଥିବା ବେଲେ ଲାଡ୍‌ ୪୮ ରନ୍‌ର ଇନିଂସ ଖେଳିଥିଲେ। ଉଭୟ ୫ମ ୱିକେଟ୍‌ ପାଇଁ ୧୦୫ ରନ୍‌ର ଭାଗିଦାରୀ କରି ଦିଲ୍ଲୀ ପଞ୍ଝାରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ। ମୁମ୍ବାଇ ୬ ୱିକେଟ୍‌ ହରାଇ ମାତ୍ର ୩୫ ଓଭର୍‌ରେ ଟାର୍ଗେଟ ହାସଲ କରିନେଇଥିଲା। ଦିଲ୍ଲୀ ପକ୍ଷରୁ ନଭଦୀପ ସାଇନି ସର୍ବାଧିକ ୩ଟି ୱିକେଟ୍‌ ନେଇଥିଲେ।

Related story