ଗାଭାସ୍କରଙ୍କ ଡ୍ରିମ୍ ଟିମରେ ସ୍ଥାନ ପାଇଲେ ଏହି ସବୁ ଖେଳାଳି

ଲଣ୍ଡନ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୁନୀଲ ଗାଭାସ୍କର ଲର୍ଡ୍ସରେ ଖେଳାଯାଉଥିବା ବିଶ୍ୱକପ୍ ଫାଇନାଲ୍ ମୁକାବିଲା ସମୟରେ ବିଶ୍ୱକପରେ ନିଜର ଡ୍ରିମ୍ ଇଲେଭେନ୍ ଟିମ୍ ଘୋଷଣା କରିଛନ୍ତି। ତେବେ ଗାଭାସ୍କର ନିଜର ଏହି ଏକାଦଶରେ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ତଥା ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ସ୍ଥାନ ଦେଇ ନାହାନ୍ତି। ତେବେ ଗାଭାସ୍କର ନିଜ ଟିମରେ ତିନିଜଣ ଭାରତୀୟଙ୍କୁ ସ୍ଥାନ ଦେଇଛନ୍ତି। ଗାଭାସ୍କର ନିଜ ଡ୍ରିମରେ ଇନିଂସ୍ ଶୁଭାରମ୍ଭ କରିବାର ଦାୟିତ୍ୱ ଦେଇଛନ୍ତି […]

gavas

Hemant Lenka
  • Published: Sunday, 14 July 2019
  • , Updated: 14 July 2019, 09:15 PM IST

ଲଣ୍ଡନ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୁନୀଲ ଗାଭାସ୍କର ଲର୍ଡ୍ସରେ ଖେଳାଯାଉଥିବା ବିଶ୍ୱକପ୍ ଫାଇନାଲ୍ ମୁକାବିଲା ସମୟରେ ବିଶ୍ୱକପରେ ନିଜର ଡ୍ରିମ୍ ଇଲେଭେନ୍ ଟିମ୍ ଘୋଷଣା କରିଛନ୍ତି। ତେବେ ଗାଭାସ୍କର ନିଜର ଏହି ଏକାଦଶରେ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ତଥା ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ସ୍ଥାନ ଦେଇ ନାହାନ୍ତି। ତେବେ ଗାଭାସ୍କର ନିଜ ଟିମରେ ତିନିଜଣ ଭାରତୀୟଙ୍କୁ ସ୍ଥାନ ଦେଇଛନ୍ତି।

ଗାଭାସ୍କର ନିଜ ଡ୍ରିମରେ ଇନିଂସ୍ ଶୁଭାରମ୍ଭ କରିବାର ଦାୟିତ୍ୱ ଦେଇଛନ୍ତି ୨୦୧୯ ବିଶ୍ୱକପରେ ରେକର୍ଡ ପାଞ୍ଚ ଶତକ ମାରିଥିବା ରୋହିତ୍ ଶର୍ମା ଓ ଅଷ୍ଟ୍ରେଲିଆର ବାମହାତୀ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର। ଦୁଇ ବ୍ୟାଟ୍ସମ୍ୟାନ୍ ବିଶ୍ୱକପରେ ଜବରଦସ୍ତ ଫର୍ମରେ ଥିଲେ। ରୋହିତ୍ ୯ ମ୍ୟାଚରେ ୫ ଶତକ ସହ ୬୪୯ ରନ୍ କରି ପ୍ରଥମ ସ୍ଥାନରେ ରହିଥିବା ବେଳେ ୱାର୍ଣ୍ଣର ୧୦ ମ୍ୟାଚରେ ୬୪୮ ରନ୍ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଗାଭାସ୍କର ତୃତୀୟ ସ୍ଥାନ ପାଇଁ ଇଂଲଣ୍ଡର ଜୋ ରୁଟଙ୍କୁ ଚୟନ କରିଛନ୍ତି।

ରୁଟ୍ ଏହି ବିଶ୍ୱକପରେ ଇଂଲଣ୍ଡ ପାଇଁ ପ୍ରମୁଖ ଭୂମିକା ବହନ କରି ୨ଟି ଶତକ ସହ ୫୫୬ ରନ୍ କରିଛନ୍ତି। ଚତୁର୍ଥ ସ୍ଥାନ ପାଇଁ ଗାଭାସ୍କରୀ କିୱି କ୍ୟାପଟେନ୍ କେନ୍ ୱିଲିୟନସନଙ୍କୁ ନେଇଛନ୍ତି, ଯିଏ ଏକାକୀ ନିଜ ଦମରେ ଟିମକୁ ଫାଇନାଲରେ ପହଞ୍ଚାଇଛନ୍ତି। ୱିଲିୟମସନ୍ ୧୧ ଇନିଂସରେ ୫୭୮ ରନ୍ କରିଛନ୍ତି। ପଞ୍ଚମ ସ୍ଥାନରେ ବାଂଲାଦେଶ ଅଲରାଉଣ୍ଡର ସାକିବ୍ ଅଲ୍ ହାସନ୍ ରହିଛନ୍ତି। ସାକିବ୍ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି ୨ ଶତକ ସହ ୬୦୬ ରନ୍ ଏବଂ ବୋଲିଂରେ ୧୧ ୱିକେଟ୍ ମଧ୍ୟ ନେଇଛନ୍ତି।

ୱିକେଟକିପର ଭାବେ ଗାଭାସ୍କର ଅଷ୍ଟ୍ରେଲିଆର ଆଲେକ୍ସ କ୍ୟାରିଙ୍କୁ ଚୟନ କରିଛନ୍ତି। ସେମିଫାଇନାଲରେ ଆହତ ସତ୍ତେ୍ୱ ସେ ଚତୁର୍ଥ ୱିକେଟ୍ ପାଇଁ ୧୦୩ ରନର ଭାଗୀଦାରୀ କରି ନିଜ ଟିମକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି। ପେସ୍ ବୋଲର ଅଲରାଉଣ୍ଡର ଭାବେ ଗାଭାସ୍କର ଇଂଲଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ସ୍ଥାନ ଦେଇଛନ୍ତି। ଫାଇନାଲ୍ ପୂର୍ବରୁ ଷ୍ଟୋକ୍ସ ୧୦ ମ୍ୟାଚରେ ୩୮୧ ରନ୍ ଓ ୭ ୱିକେଟ୍ ନେଇଛନ୍ତି।

ସ୍ପିନ୍ ବୋଲର ଓ ତୃତୀୟ ଅଲରାଉଣ୍ଡର ଭାବେ ଗାଭାସ୍କର ଟିମ୍ ଇଣ୍ଡିଆ ପାଇଁ କେବଳ ଦୁଇଟି ମ୍ୟାଚ୍ ଖେଳିଥିବା ରବୀନ୍ଦ୍ର ଜାଡେଜାଙ୍କୁ ସାମିଲ୍ କରିଛନ୍ତି। ସେହିପରି ଗାଭାସ୍କର ପେସ୍ ବୋଲିଂ ଦାୟିତ୍ୱ ଅଷ୍ଟ୍ରେଲିଆର ମିଚେଲ୍ ଷ୍ଟାର୍କଙ୍କ ସହ ଭାରତର ଯଶପ୍ରୀତ ବୁମ୍ରା ଏବଂ ଇଂଲଣ୍ଡର ଜୋଫ୍ରା ଆର୍ଚରଙ୍କୁ ଦେଇଛନ୍ତି। ଏହି ତିନି ଜଣ ପେସର ଚଳିତ ବିଶ୍ୱକପରେ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲରଙ୍କ ତାଲିକାରେ ଟପ୍-୪ରେ ସ୍ଥାନ ପାଇଛନ୍ତି।

ଗାଭାସ୍କରଙ୍କ ଡ୍ରିମ୍ ଇଲେଭେନ୍: ରୋହିତ୍ ଶର୍ମା, ଡେଭିଡ୍ ୱାର୍ଣ୍ଣର୍, ଜୋ ରୁଟ୍, କେନ୍ ୱିଲିୟମସନ୍ (ଅଧିନାୟକ), ସାକିବ୍ ଅଲ୍ ହାସନ୍, ଆଲେକ୍ସ କ୍ୟାରି (ୱିକେଟକିପର), ବେନ୍ ଷ୍ଟୋକ୍ସ, ରବୀନ୍ଦ୍ର ଜାଡେଜା, ମିଚେଲ୍ ଷ୍ଟାର୍କ, ଜୋଫ୍ରା ଆର୍ଚର୍, ଯଶପ୍ରୀତ ବୁମ୍ରା।

Related story