ମେଲବର୍ଣ୍ଣ: ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍ ଜିତିବା ସହ ସର୍ବିୟା ଟେନିସ୍ ତାରକା ନୋଭାକ୍ ଜୋକୋଭିଚ୍ ନୂଆ ଏଟିପି ରାଙ୍କିଙ୍ଗରେ ରାଫେଲ୍ ନାଡାଲଙ୍କୁ ହଟାଇ ପୁଣିଥରେ ଏକ ନମ୍ବର ସ୍ଥାନ କବଜା କରିଛନ୍ତି। ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନର ଫାଇନାଲରେ ଦ୍ୱିତୀୟ ସିଡ୍ ଜୋକୋଭିଚ୍ ୧-୨ରେ ପଛୁଆ ରହିବା ପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ଟାଇଟଲ୍ ଲଢ଼େଇରେ ଅଷ୍ଟ୍ରିଆର ଡୋମିନିକ୍ ଥିମଙ୍କୁ ୬-୪, ୪-୬, ୨-୬, ୬-୩, ୬-୪ ସେଟରେ ହରାଇ କ୍ୟାରିୟରର ୧୭ଶ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିଥିଲେ।
ଗତବର୍ଷ ନଭେମ୍ବରରେ ନାଡାଲ୍ ଜୋକୋଭିଚଙ୍କ ହଟାଇ ଶୀର୍ଷ ସ୍ଥାନ ହାସଲ କରିଥିଲେ। କିନ୍ତୁ ଅଷ୍ଟ୍ରେଲିଆନ୍ ଓପନ୍ କ୍ୱାର୍ଟରଫାଇନାଲରେ ହାରିବା ସହ ନାଡାଲ ନିଜର ଶୀର୍ଷ ସ୍ଥାନ ମଧ୍ୟ ହରାଇଛନ୍ତି। ଜୋକୋଭିଚ୍ ଏଟିପି ରାଙ୍କିଙ୍ଗରେ ୨୭୬ତମ ସପ୍ତାହରେ ଶୀର୍ଷରେ ରହି ନୂଆ ରେକର୍ଡ କରିଛନ୍ତି। ତାଙ୍କ ପୂର୍ବରୁ ରୋଜର ଫେଡେରର ୩୧୦ ସପ୍ତାହ ଧରି ଶୀର୍ଷ ସ୍ଥାନରେ ରହିଥିବା ବେଳେ ପିଟ୍ ସାମ୍ପ୍ରାସ୍ ୨୮୬ ସପ୍ତାହ ପର୍ଯ୍ୟନ୍ତ ଏକ ନମ୍ବର ସ୍ଥାନରେ ରହିଥିଲେ।
ସଦ୍ୟ ଏଟିପି ରାଙ୍କିଙ୍ଗରେ ନାଡାଲ୍ ଦ୍ୱିତୀୟ ସ୍ଥାନକୁ ଖସି ଆସିଥିବା ବେଳେ ଫେଡେରର ତୃତୀୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲରେ ହାରିଥିବା ଥିମ୍ ଚତୁର୍ଥ ସ୍ଥାନକୁ ଉଠିଛନ୍ତି। ସେହିପରି ୟୁଏସ୍ ଓପନ୍ ରନର୍ସଅପ୍ ଡାନିଲ୍ ମେଡଭେଡେଭ୍ ପଞ୍ଚମକୁ ଖସିଛନ୍ତି।
ଅଷ୍ଟ୍ରେଲିଆନ୍ ଓପନ୍ ମହିଳା ସିଙ୍ଗଲ୍ସ ଟାଇଟଲ୍ ଜିତିଥିବା ଆମେରିକୀୟ ଲଳନା ସୋଫିଆ କେନିନ୍ ଡବ୍ଲ୍ୟୁଟିଏ ରାଙ୍କିଙ୍ଗରେ ଟପ୍-୧୦ରେ ପ୍ରବେଶ କରିଛନ୍ତି। ପୂର୍ବରୁ ୧୫ଶ ସ୍ଥାନରେ ଥିବା କେନିନଙ୍କୁ ଏକାଥରକେ ୮ଟି ସ୍ଥାନର ଫାଇଦା ହୋଇଛି ଏବଂ ସେ ରାଙ୍କିଙ୍ଗର ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି।
ସେମିଫାଇନାଲରେ କେନିନଙ୍କ ନିକଟରୁ ହାରିଥିବା ଅଷ୍ଟ୍ରେଲିଆର ଆଶଲେ ବାର୍ଟି ନିଜର ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ରୋମାନିଆର ସିମୋନା ହାଲେପ୍ ଦ୍ୱିତୀୟ ସ୍ଥାନକୁ ଉଠିଥିବା ବେଳେ କାରୋଲିନା ପ୍ଲିସକୋଭା ତୃତୀୟରେ ରହିଛନ୍ତି। ଫାଇନାଲରେ ହାରି ରନର୍ସଅପ୍ ହୋଇଥିବା ସ୍ପେନର ଗାର୍ବିନ୍ ମୁଗୁରୁଜା ଟପ୍-୨୦ରେ ପ୍ରବେଶ କରିଛନ୍ତି। ସେ ବର୍ତ୍ତମାନ ୩୨ତମ ସ୍ଥାନରୁ ଉଠି ସିଧା ୧୬ଶ ସ୍ଥାନରେ ପହଞ୍ଚିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।