ଗୋଆ ବିପକ୍ଷରେ ଓଡ଼ିଶାର ସ୍ଥିତି ଦୃଢ଼, ସୂର୍ଯ୍ୟକାନ୍ତଙ୍କ ଚମତ୍କାର ପ୍ରଦର୍ଶନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଆ ବିପକ୍ଷ ରଣଜୀ ମ୍ୟାଚ୍‌ରେ ଟିମ୍‌ ଓଡ଼ିଶା ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଛି। ପ୍ରଥମ ଇନିଂସ୍‌ରେ ଘରୋଇ ଦଳ ୩୫୨ କରିଥିବା ବେଳେ ଏହାର ଜବାବରେ ଭ୍ରମଣକାରୀ ଗୋଆ ମାତ୍ର ୧୧୬ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି। ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଘରୋଇ ଓଡ଼ିଶା ଦଳ ଦ୍ୱିତୀୟ ଇନିଂସ୍‌ରେ ୧ ୱିକେଟ୍‌ ହରାଇ ୩୭ ରନ୍‌ କରିଛି। ଫଳରେ ଟିମ୍‌ ଓଡ଼ିଶା ୨୭୩ ରନ୍‌ର ବୃହତ ଅଗ୍ରଣୀ ହାସଲ କରିଛି। ଏହି […]

fg

Hemant Lenka
  • Published: Tuesday, 08 January 2019
  • , Updated: 08 January 2019, 10:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଆ ବିପକ୍ଷ ରଣଜୀ ମ୍ୟାଚ୍‌ରେ ଟିମ୍‌ ଓଡ଼ିଶା ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଛି। ପ୍ରଥମ ଇନିଂସ୍‌ରେ ଘରୋଇ ଦଳ ୩୫୨ କରିଥିବା ବେଳେ ଏହାର ଜବାବରେ ଭ୍ରମଣକାରୀ ଗୋଆ ମାତ୍ର ୧୧୬ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି। ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଘରୋଇ ଓଡ଼ିଶା ଦଳ ଦ୍ୱିତୀୟ ଇନିଂସ୍‌ରେ ୧ ୱିକେଟ୍‌ ହରାଇ ୩୭ ରନ୍‌ କରିଛି। ଫଳରେ ଟିମ୍‌ ଓଡ଼ିଶା ୨୭୩ ରନ୍‌ର ବୃହତ ଅଗ୍ରଣୀ ହାସଲ କରିଛି।

ଏହି ମ୍ୟାଚ୍‌ରେ ସୂର୍ଯ୍ୟକାନ୍ତ ପ୍ରଧାନ ନିଜର ଅଲରାଉଣ୍ଡର ଦକ୍ଷତା ପ୍ରଦର୍ଶନ କରିଛନ୍ତି। ସେ ପ୍ରଥମ ଇନିଂସ୍‌ରେ ୬୫ ରନ୍‌ କରିବା ସହ ୫ଟି ୱିକେଟ୍‌ ଦଖଲ କରିଛନ୍ତି।

ସ୍ଥାନୀୟ ବିକାଶ ଗ୍ରାଉଣ୍ଡରେ ସୋମବାରଠାରୁ ଆରମ୍ଭ ହୋଇଥିବା ମ୍ୟାଚ୍‌ରେ ଓଡ଼ିଶା ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ସନ୍ଦୀପ ପଟ୍ଟନାୟକଙ୍କ ଶତକ ବଳରେ ୭ ୱିକେଟ୍‌ ହରାଇ ୨୨୯ ରନ୍‌ କରିଥିଲା। ଗତକାଲିର ଦୁଇ ଅପରାଜିତ ବ୍ୟାଟସ୍‌ମ୍ୟାନ୍‌ ସୂର୍ଯ୍ୟକାନ୍ତ ପ୍ରଧାନ ଓ ଅଭିଷେକ ରାଉତ ବେଶ ସତର୍କତାର ସହ ଇନିଂସ୍‌ ଆରମ୍ଭ କରିଥିଲେ। ତେବେ ଦଳୀୟ ସ୍କୋର ୨୭୮ ଥିବା ବେଳେ ବ୍ୟକ୍ତିଗତ ୩୩ ରନ୍‌ କରି ଅଭିଷେକ ପ୍ରଥମେ ଆଉଟ୍‌ ହୋଇଥିଲେ। କିନ୍ତୁ ସୂର୍ଯ୍ୟକାନ୍ତ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ଦଳୀୟ ସ୍କୋରକୁ ୩ଶହ ପାର କରାଇଥିଲେ। ଦଳୀୟ ସ୍କୋର ୩୦୪ ଥିବା ବେଳେ ସୂର୍ଯ୍ୟକାନ୍ତ ୬୫ ରନ୍‌ କରି ଆଉଟ୍‌ ହୋଇଥିଲେ। ଶେଷ ୱିକେଟ୍‌ ପାଇଁ ରାଜେଶ ମହାନ୍ତି ଓ ବସନ୍ତ ମହାନ୍ତି ୪୮ ରନ୍‌ର ଭାଗୀଦାରି କରି ଦଳୀୟ ସ୍କୋରକୁ ୩୫୨ରେ ପହଞ୍ଚାଇଥିଲେ। ବସନ୍ତ ମହାନ୍ତି ୨୮ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ରାଜେଶ ୩୦ ରନ୍‌ କରି ଅପରାଜିତ ଥିଲେ।

ଗୋଆ ପକ୍ଷରୁ ଲକ୍ଷ୍ୟ ଗର୍ଗ ଓ ଏଏଏସ୍‌ ଦେଶାଇ ୩ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ କ୍ରୀଷ୍ଣା ଦାସ ୨ଟି, ଦର୍ଶନ ମିଶାଲ ଓ ଅମୁଲ୍ୟ ପାନ୍ଦେରକର ଗୋଟିଏ ଲେଖାଏ ୱିକେଟ୍‌ ନେଇଥିଲେ।

ଓଡ଼ିଶାର ୩୫୨ ରନ୍‌ ଜବାବରେ ଗୋଆ ପ୍ରଥମ ୱିକେଟ୍‌ ପାଇଁ ୪୯ ରନ୍‌ ଯୋଡ଼ିଥିଲା। ଏହି ୪୯ ରନ୍‌ ମଧ୍ୟରୁ ଏକାକୀ ୪୩ ରନ୍‌ କରିଥିବା ସାଗୁନ କାମତଙ୍କୁ ସୂର୍ଯ୍ୟକାନ୍ତ ପ୍ରଧାନ ଆଉଟ୍‌ କରି ପ୍ରଥମ ସଫଳତା ଦେଇଥିଲେ। ୩ ନଂରେ ବ୍ୟାଟିଂ କରିବାକୁ ଆସିଥିବା ଏଏସ୍‌ ଦେଶାଇ(୪)ଙ୍କୁ ସୂର୍ଯ୍ୟକାନ୍ତ ଆଉଟ୍‌ କରି ନିଜର ଦ୍ୱିତୀୟ ୱିକେଟ୍‌ ଦଖଲ କରିଥିଲେ।

ଅନ୍ୟତମ ଓପନର ସୁମିରନ୍‌ ଅମୋନକର(୨୦)ଙ୍କୁ ବସନ୍ତ ମହାନ୍ତି ଆଉଟ୍‌ କରି ତୃତୀୟ ସଫଳତା ଦେଇଥିଲେ। ଏହାପରେ କୌଣସି ଗୋଆ ଖେଳାଳି ଓଡ଼ିଶା ବୋଲରଙ୍କ ସମ୍ମୁଖୀନ ହୋଇପାରି ନଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗୋଆର ୫ ଜଣ ବ୍ୟାଟସ୍‌ମ୍ୟାନ୍‌ କେବଳ ୧୦ କିମ୍ବା ତା’ଠାରୁ ଅଧିକ ରନ୍‌ କରିପାରି ଥିଲେ। ଗୋଆ ମାତ୍ର ୧୧୬ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।

ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ୫ଟି ୱିକେଟ୍‌ ନେଇଥିବା ବେଳେ ରାଜେଶ ମହାନ୍ତି ୩ଟି ଓ ବସନ୍ତ ମହାନ୍ତି ୨ଟି ୱିକେଟ୍‌ ପାଇଛନ୍ତି।

ଓଡ଼ିଶା ଦ୍ୱିତୀୟ ଇନିଂସ୍‌ର ପ୍ରଥମ ବଲ୍‌ରେ ପ୍ରଥମ ଇନିଂସ୍‌ରେ ଶତକ କରିଥିବା ସନ୍ଦୀପ ପଟ୍ଟନାୟକଙ୍କୁ ହରାଇଥିଲା। ତେବେ ଏହାପରେ ଦେବାଶିଷ ସାମନ୍ତରାୟ ଓ ଅନୁରାଗ ଷଡ଼ଙ୍ଗୀ ଦିବସର ଖେଳ ଶେଷ ହେବା ପର୍ଯ୍ୟନ୍ତ ଆଉ କୌଣସି କ୍ଷତି ଘଟାଇବାକୁ ଦେଇ ନଥିଲେ।

ଷ୍ଟମ୍ପ ଅପସାରଣ ବେଳକୁ ଅନୁରାଗ ୨୩ ଓ ଦେବାଶିଷ ୯ ରନ୍‌ କରି ଅପରାଜିତ ରହିଛନ୍ତି। ଗୋଆ ପକ୍ଷରୁ କ୍ରୀଷ୍ଣା ଦାସ ଗୋଟିଏ ୱିକେଟ୍‌ ନେଇଛନ୍ତି।

Related story