ମୁମ୍ବାଇ: କ୍ରିକେଟର ରୋହିତ ଶର୍ମା ଓ ପୂର୍ବତନ କୋଚ୍ ରବି ଶାସ୍ତ୍ରୀଙ୍କ ପରେ ଏବେ ବିରାଟ କୋହଲି ମଧ୍ୟ ନିଜର ଗୋଟିଏ ଫାର୍ମ ହାଉସ ତିଆରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ମୁମ୍ବାଇର ଆଲିବାଗରେ ନିଜସ୍ୱ ଫର୍ମା ହାଉସ ତିଆରି କରିବେ। ଏଥିପାଇଁ ଗଣେଶ ପୂଜାର ଦିନକ ପୂର୍ବରୁ ସେ ନିଜ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ମିଶି ୮ ଏକର ଜମି କିଣିଛନ୍ତି। ଜିରାଡ ଗାଁରେ ସେମାନେ ଏହି ବିରାଟ ଜମି କିଣିଥିବା ରିପୋର୍ଟ ପ୍ରକାଶ ପାଇଛି।
ତେବେ ଏହି ଜମିର ଦାମ ଜାଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ। ଜିରାଡ ଅଞ୍ଚଳରେ ପୂର୍ବରୁ ସଚିନ ତେନ୍ଦୁଲକର, ରୋହିତ ଶର୍ମା ଓ ରବି ଶାସ୍ତ୍ରୀଙ୍କର ଫାର୍ମ ହାଉସ ଅଛି। ଏହା କପଲଙ୍କ ପାଇଁ ଏକ ସୁନ୍ଦର ସ୍ଥାନ। ସେହିପରି ଏହି ସୁନ୍ଦର ସ୍ଥାନର ଦାମ ମଧ୍ୟ ସେତିକି ଅଧିକ।
ବିରୁଷ୍କା ଏହି ଅଞ୍ଚଳରେ ୮ ଏକର ଜମିକୁ ୧୯ କୋଟି ୨୪ ଲକ୍ଷ ୫୦ ହଜାର ଟଙ୍କା ଦେଇ କିଣିଛନ୍ତି। ଏଠାରେ ସେମାନେ ମିଳିତ ଭାବେ ଗୋଟିଏ ସୁନ୍ଦର ଓ ବିରାଟ ଫାର୍ମ ହାଉସ ତିଆରି କରିବେ।
୬ ମାସ ତଳେ ବିରୁଷ୍କା ଏହି ଜମିକୁ ପସନ୍ଦ କରିଥିଲେ। ହେଲେ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଯୋଗୁ ସେମାନେ ୩୦ ଅଗଷ୍ଟ ଡିଲ ଦିନ ଆସି ପାରି ନଥିଲେ। ବିରାଟ ଏବେ ଦୁବାଇରେ ଏସିଆ କପରେ ଖେଳୁଛନ୍ତି। ତେଣୁ ତାଙ୍କ ଅନୁପସ୍ଥିତିରେ ତାଙ୍କ ସାନ ଭାଇ ପାୱାର ଅଫ ଆଟର୍ଣ୍ଣି ଆଣିଥିଲେ ଓ ଜମିକୁ ବିରାଟ କୋହଲିଙ୍କ ନାଁରେ ପଞ୍ଜୀକରଣ କରିଥିଲେ। ଏହି ପଞ୍ଜୀକରଣ ପାଇଁ ଷ୍ଟାମ୍ପ ଡ୍ୟୁଟି ବାବଦରେ ସେ ୧ କୋଟି ୧୫ ଲକ୍ଷ ୪୫ ହଜାର ଟଙ୍କା ଦେଇଛନ୍ତି। ରିୟଲ ଷ୍ଟେଟ ବ୍ୟବସାୟ କରୁଥିବା ସମୀରା ହାବିଟାଟ୍ସ ଦ୍ୱାରା ଏହି ଜମି କାରବାର ହୋଇଛି।
ଏହାପୂର୍ବରୁ ବିରାଟ କୋହଲି କିମ୍ବଦନ୍ତୀ କଣ୍ଠଶିଳ୍ପୀ କିଶୋର କୁମାରଙ୍କ ଜୁହୁ ସ୍ଥିତି ବଙ୍ଗଳାର ପ୍ରମୁଖ ଅଂଶ ଭଡ଼ାରେ ନେଇଥିଲେ। ସେ ୫ ବର୍ଷ ପାଇଁ ଏହାକୁ ଲିଜ୍ରେ ନେଇ ରେଷ୍ଟୁରାଣ୍ଟ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ଏହି ଆଲିବାଗ ଅଞ୍ଚଳରେ ହାର୍ଦ୍ଦିକ ପାଣ୍ତ୍ୟା ଓ ୟୁଜବେନ୍ଦର ଚହଲ ମଧ୍ୟ ଜମି କିଣିବାକୁ ଚେଷ୍ଟା କରୁଛନ୍ତି। ୧୦ ବର୍ଷ ତଳେ ରବି ଶାସ୍ତ୍ରୀ ଏଠାରେ ଗୋଟିଏ ଫାର୍ମ ହାଉସ ତିଆରି କରିଥିଲେ। ସେହିପରି ରୋହିତ ଶର୍ମାଙ୍କ ୩ ଏକର ଜମିରେ ଫାର୍ମ ହାଉସ ତିଆରି କାମ ଚାଲିଛି।