ଭାରତ ବିପକ୍ଷ ଟି-୨୦ ସିରିଜ୍ ପାଇଁ ୱେଷ୍ଟଇଣ୍ଡିଜ୍ ଦଳକୁ ଫେରିଲେ ପୋଲାର୍ଡ ଓ ନରିନ୍

ସେଣ୍ଟ ଜନ୍ସ: ଆସନ୍ତା ଅଗଷ୍ଟ ୩ ତାରିଖରୁ ଭାରତ ବିପକ୍ଷ ଖେଳାଯିବାକୁଥିବା ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଆଜି ୱେଷ୍ଟଇଣ୍ଡିଜ୍ ଦଳର ଘୋଷଣା କରାଯାଇଛି। ଟିମକୁ ଦୁଇ ଭେଟେରାନ୍ ସୁନୀଲ୍ ନରିନ୍ ଓ କାଇରନ୍ ପୋଲାର୍ଡ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲଙ୍କୁ ଏହି ଦୁଇଟି ମ୍ୟାଚରୁ ବାଦ୍ ଦିଆଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ୍ ଆନ୍ଥୋନୀ ବ୍ରାମ୍ବଲ ଏକମାତ୍ର ନୂଆମୁହଁ ଭାବେ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି। ଟି-୨୦ ସିରିଜର ପ୍ରଥମ ଦୁଇଟି […]

pollard

Ranjit Kumar Jena
  • Published: Tuesday, 23 July 2019
  • , Updated: 23 July 2019, 05:07 PM IST

ସେଣ୍ଟ ଜନ୍ସ: ଆସନ୍ତା ଅଗଷ୍ଟ ୩ ତାରିଖରୁ ଭାରତ ବିପକ୍ଷ ଖେଳାଯିବାକୁଥିବା ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଆଜି ୱେଷ୍ଟଇଣ୍ଡିଜ୍ ଦଳର ଘୋଷଣା କରାଯାଇଛି। ଟିମକୁ ଦୁଇ ଭେଟେରାନ୍ ସୁନୀଲ୍ ନରିନ୍ ଓ କାଇରନ୍ ପୋଲାର୍ଡ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ତେବେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲଙ୍କୁ ଏହି ଦୁଇଟି ମ୍ୟାଚରୁ ବାଦ୍ ଦିଆଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ୍ ଆନ୍ଥୋନୀ ବ୍ରାମ୍ବଲ ଏକମାତ୍ର ନୂଆମୁହଁ ଭାବେ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି। ଟି-୨୦ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଅଗଷ୍ଟ ୩ ଓ ୪ ତାରିଖରେ ଫ୍ଲୋରିଡା ଲାଉଡରହିଲର ବ୍ରୋୱାର୍ଡ କାଉଣ୍ଟି ଷ୍ଟାଡିୟମରେ ଖେଳାଯିବ।

ଚୟନ କମିଟି ଅଗଷ୍ଟ ୬ ତାରିଖରେ ଗାଏନାରେ ଖେଳାଯିବାକୁଥିବା ତୃତୀୟ ଟି-୨୦ ପାଇଁ ସ୍କ୍ୱାଡରେ ପରିବର୍ତ୍ତନ କରିପାରନ୍ତି। ଘୋଷିତ ଟିମର ନେତୃତ୍ୱଭାର ପୁଣିଥରେ କାର୍ଲସ୍ ବ୍ରାଥୱେଟଙ୍କୁ ପ୍ରଦାନ କରିଯାଇଛି। ଏହି ଟିମରେ ଷ୍ଟାର୍ ଅଲରାଉଣ୍ଡର ଆନ୍ଦ୍ରେ ରସେଲ୍ ସ୍ଥାନ ପାଇଛନ୍ତି। ବିଶ୍ୱକପ୍ ଶେଷ ପର୍ଯ୍ୟାୟରେ ଆହତ କାରଣରୁ ରସେଲ୍ ବାକି ମ୍ୟାଚ୍ ଖେଳିପାରିନଥିଲେ। ଏହା ପରେ ସେ ନିଜର ବାମ ଆଣ୍ଠୁରେ ଅସ୍ତ୍ରୋପଚାର କରାଇଥିଲେ। ସେ ଫିଟନେସ୍ ଟେଷ୍ଟ ପାସ୍ କରି ପୁଣିଥରେ ସ୍କ୍ୱାଡରେ ସାମିଲ୍ ହୋଇଛନ୍ତି।

ଚୟନ କମିଟିର ଅନ୍ତରୀଣ ଅଧ୍ୟକ୍ଷ ରବର୍ଟ ହେନ୍ସ କହିଛନ୍ତି, ଭେଟେରାନ୍ ଓପ୍ନର୍ ଗେଲ୍ ଟି-୨୦ ସିରିଜ୍ ପାଇଁ ଉପଲବ୍ଧ ହୋଇପାରିବେ ନାହିଁ, କାରଣ ସେ କ୍ୟାନାଡାରେ ଗ୍ଲୋବାଲ୍ ଟି-୨୦ ଟୁର୍ଣ୍ଣାମେଣ୍ଟ ଖେଳିବେ। ତେଣୁ ତାଙ୍କ ସ୍ଥାନ ପୂରଣ କରିବା ପାଇଁ ଜନ୍ କ୍ୟାମ୍ପବେଲଙ୍କୁ ସାମିଲ୍ କରାଯାଇଛି। ଏହାଛଡ଼ା ବାମହାତୀ ସ୍ପିନର ଖାରୀ ପିଏରୀଙ୍କୁ ମଧ୍ୟ ସ୍କ୍ୱାଡରେ ସାମିଲ୍ କରାଯାଇଛି।

ନରିନ୍ ଦୁଇବର୍ଷ ତଳେ ନିଜର ଶେଷ ଟି-୨୦ ମ୍ୟାଚ୍ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ସେହିପରି ଅଲରାଉଣ୍ଡର ପୋଲାର୍ଡ ଗତବର୍ଷ ନଭେମ୍ବରରେ ଭାରତ ବିପକ୍ଷରେ ନିଜର ଶେଷ ଟି-୨୦ ମ୍ୟାଚ୍ ଖେଳିଥିଲେ। ଦୁହିଁଙ୍କ ସାମିଲ ହେବା ଦ୍ୱାରା ଟିମ୍ ମଜଭୁତ୍ ହେବ। ସୂଚନାଯୋଗ୍ୟ, ୱେଷ୍ଟଇଣ୍ଡିଜ୍ ଗସ୍ତ ଲାଗି ଭାରତ ତା'ର ତିନୋଟି ଯାକ ଫର୍ମାଟ୍ ପାଇଁ ଟିମ୍ ଘୋଷଣା କରାଯାଇଛି।

ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍ ପାଇଁ ୱେଷ୍ଟଇଣ୍ଡିଜ୍ ଟିମ୍: କାର୍ଲସ୍ ବ୍ରାଥୱେଟ୍ (କ୍ୟାପଟେନ୍), ସୁନୀଲ ନରିନ୍, କୀମୋ ପଲ୍, ଖାରୀ ପିଏରୀ, କାଇରନ୍ ପୋଲାର୍ଡ, ନିକୋଲାସ ପୁରନ୍ (ୱିକେଟକିପର), ରୋଭମ୍ୟାନ୍ ପାୱେଲ୍, ଆନ୍ଦ୍ରେ ରସେଲ୍, ଓଶାନି ଥୋମାସ, ଆନ୍ଥୋନୀ ବ୍ରାମ୍ବଲ୍ (ୱିକେଟକିପର), ଜନ୍ କ୍ୟାମ୍ପବେଲ୍, ଶେଲଡନ୍ କଟ୍ଟରେଲ୍, ଶିମରନ୍ ହେଟମେୟର୍, ଏଭିନ୍ ଲୁଇସ୍।

Related story