ଅକଲ୍ୟାଣ୍ଡ୍: ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ ଥିବା ଭାରତୀୟ ମହିଳା ହକି ବିଜୟଧାରାକୁ ଫେରିଛି। ଶେଷ ଦୁଇଟି ମ୍ୟାଚରେ ହାରିଥିବା ଭାରତ ମଙ୍ଗଳବାର ତା'ର ଚତୁର୍ଥ ମ୍ୟାଚରେ କ୍ୟାପଟେନ୍ ରାନୀ ରାମପଲଙ୍କ ଗୋଲରେ ଗ୍ରେଟ୍ ବ୍ରିଟେନକୁ ୧-୦ ଗୋଲରେ ହରାଇଛି। ମ୍ୟାଚର ୪୭ତମ ମିନିଟରେ ରାନୀ ଏହି ବିଜୟସୂଚକ ଗୋଲ୍ ଦେଇଥିଲେ।
ଚଳିତ ଗସ୍ତରେ ଭାରତୀୟ ମହିଳା ଟିମ୍ ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ଡେଭଲପମେଣ୍ଟ ଟିମକୁ ୪-୦ରେ ହରାଇ ଜବରଦସ୍ତ ଆରମ୍ଭ କରିଥିଲା। କିନ୍ତୁ ଭାରତ ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ସିନିୟର ଟିମଠାରୁ ୧-୨ ଏବଂ ତୃତୀୟ ମ୍ୟାଚରେ ୦-୧ରେ ହାରିଯାଇଥିଲା। ଆସନ୍ତାକାଲି ଭାରତ ତା'ର ଶେଷ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ। ଆଜି ମ୍ୟାଚରେ ଭାରତ ଆକ୍ରମଣାତ୍ମକ ଆରମ୍ଭ କରିଥିଲେ ହେଁ, ପ୍ରଥମ କ୍ୱାର୍ଟରରେ କୌଣସି ଗୋଲ୍ ଦେଇପାରିନଥିଲା।
ଦ୍ୱିତୀୟ କ୍ୱାର୍ଟରରେ ଉଭୟ ଦଳ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା। ଭାରତ ଏହା ମଧ୍ୟରେ କିଛି ସୁଯୋଗ ସୃଷ୍ଟି କରିଥିଲା, କିନ୍ତୁ ଏହାକୁ ସେମାନେ ଗୋଲରେ ପରିଣତ କରିପାରିନଥିଲେ। ଏହିପରି ଭାବେ ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ରହିଥିଲା। ତୃତୀୟ କ୍ୱାର୍ଟରରେ ଭାରତକୁ ସଅଳ ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ଏହାର ଫାଇଦା ଖେଳାଳିମାନେ ଉଠାଇପାରିନଥିଲେ।
ତେବେ ଚତୁର୍ଥ କ୍ୱାର୍ଟରରେ ଭାରତ ପାଇଁ ଖାତା ଖୋଲିଥିଲେ ରାନୀ। ସର୍କଲ ଭିତରେ ରାନୀ ଶକ୍ତିଶାଳୀ ଶଟ୍ ମାରିଥିଲେ, ଯାହାକୁ ରୋକିବାରେ ବ୍ରିଟେନ୍ ଗୋଲକିପର ବିଫଳ ହୋଇଥିଲେ। ଗୋଟିଏ ଗୋଲ୍ ଖାଇବା ପରେ ବ୍ରିଟେନ୍ ଉପରେ ଚାପ ପଡ଼ିଥିଲା ଏବଂ ଟିମ୍ ଆଉ କମବ୍ୟାକ୍ କରିପାରିନଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।