କଟକ (ଓଡ଼ିଶା ରିପୋର୍ଟର): ଟାଙ୍ଗୀସ୍ଥ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା ଓ ବେଙ୍ଗଲ ରଣଜୀ ଟ୍ରଫିର ଦ୍ୱିତୀୟ କ୍ୱାର୍ଟରଫାଇନାଲ୍ ମ୍ୟାଚ୍ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ମ୍ୟାଚର ଦ୍ୱିତୀୟ ଦିବସରେ ବେଙ୍ଗଲ ଆଉ ୨୪ ରନ୍ ଯୋଡ଼ିବା ପରେ ପ୍ରଥମ ଇନିଂସରେ ୩୩୨ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଓଡ଼ିଶା ଦିବସର ଖେଳ ଶେଷ ସୁଦ୍ଧା ୪ ୱିକେଟ୍ ହରାଇ ୧୫୧ ରନ୍ କରିଛି। ଓଡ଼ିଶା ପକ୍ଷରୁ ଶାନ୍ତନୁ ମିଶ୍ର (୬୨) ଓ ଦେବାଶିଷ ସାମନ୍ତରାୟ (୬୮) ଅର୍ଦ୍ଧଶତକ ମାରିଥିବା ବେଳେ ଅନୁରାଗ ଷଡଙ୍ଗୀ (୫) ଓ ଗୋବିନ୍ଦ ପୋଦ୍ଦାର (୧୧) ନିରାଶ କରିଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ନାଇଟ ୱାଚମ୍ୟାଚ୍ ଦେବବ୍ରତ ପ୍ରଧାନ ବିନା ରନରେ ଅପରାଜିତ ଥିଲ ।
ଶୁକ୍ରବାର ସକାଳେ ଓଡ଼ିଶାର ସିନିୟର ବୋଲର ବସନ୍ତ ମହାନ୍ତି ଜବରଦସ୍ତ ବୋଲିଂ କରି ବେଙ୍ଗଲର ତିନୋଟି ୱିକେଟ୍ ନେଇଥିଲେ । ପୂର୍ବଦିନର ସେଟ୍ ବ୍ୟାଟ୍ସମ୍ୟାନ୍ ଶାହବାଜ ଅହମ୍ମଦଙ୍କୁ ସୂର୍ଯ୍ୟକାନ୍ତ ପ୍ରଧାନ ପ୍ୟାଭିଲିୟନ୍ ପଠାଇଥିଲେ। ଶାହବାଜ ୮୨ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ବସନ୍ତ ମୁକେଶ କୁମାର (୧), ଇଶାନ୍ ପୋରେଲ୍ (୦) ଓ ଅନୁସ୍ତୁପ ମଜୁମଦାରଙ୍କୁ ଆଉଟ୍ କରି ବେଙ୍ଗଲ ଇନିଂସର ପରିସମାପ୍ତି ଘଟାଇଥିଲେ। ଅନୁସ୍ତୁପ ସର୍ବାଧିକ ୧୫୭ (୨୨୯ ବଲ, ୨୨ ଚୌକା) ରନ୍ କରି ଆଉଟ୍ ହୋଇଥିଲେ । ଓଡ଼ିଶା ପକ୍ଷରୁ ବସନ୍ତ ୫୩ ରନ୍ ଦେଇ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ସୂର୍ଯ୍ୟକାନ୍ତ ୩ଟି ଓ କନୱର ସିଂହ ଚୌହାନ୍ ୨ଟି ସଫଳତା ପାଇଥିଲେ।
୩୩୨ ରନ୍ ଜବାବରେ ଓଡ଼ିଶାକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଓପ୍ନର ଅନୁରାଗଙ୍କୁ ନୀଳକଣ୍ଠ ଦାସ ଆଉଟ୍ କରି ବେଙ୍ଗଲକୁ ପ୍ରତମ ସଫଳତା ଦେଇଥିଲେ। କିନ୍ତୁ ଅନ୍ୟତମ ଓପ୍ନର ଶାନ୍ତନୁ ଓ ଇନଫର୍ମ ଦେବାଶିଷ ସ୍ଥିତି ସମ୍ଭାଳିଥିଲେ ଏବଂ ଦ୍ୱିତୀୟ ୱିକେଟ୍ ପାଇଁ ୧୨୫ ରନ୍ ଯୋଡ଼ି ଓଡ଼ିଶାକୁ ମଜଭୁତ୍ ସ୍ଥିତିରେ ପହଞ୍ଚାଇଥିଲେ। କିନ୍ତୁ ଏହି ଯୋଡ଼ି ଭାଙ୍ଗିବା ପରେ ଓଡ଼ିଶା ଲଗାତର ତିନୋଟି ୱିକେଟ୍ ହରାଇ ବସିଥିଲା।
ଦେବାଶିଷଙ୍କୁ ନୀଳକଣ୍ଠ ଆଉଟ୍ କରିଥିବା ବେଳେ ଶାନ୍ତନୁଙ୍କୁ ଶାହାବାଜ ପ୍ୟାଭିଲିୟନ୍ ପଠାଇଥିଲେ। ଅଭିଜ୍ଞ ଗୋବିନ୍ଦ ପୋଦ୍ଦାର ମଧ୍ୟ କିଛି ଖାସ କରିପାରିନଥିଲେ ଏବଂ ଡାହାଣହାତୀ ପେସର୍ ଇଶାନଙ୍କ ଶିକାର ହୋଇଥିଲ । ବେଙ୍ଗଲର ନୀଳକଣ୍ଠ ୨ଟି, ଇଶାନ୍ ଓ ଶାହାବାଜ ଗୋଟିଏ ଲେଖାଏ ୱିକେଟ୍ ଅକ୍ତିଆର କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।