ଚଣ୍ଡିଗଡ଼: ଲଗାତାର ୬ଟି ମ୍ୟାଚରେ ପରାଜୟଧାରା ଭାଙ୍ଗିବାରେ ସଫଳ ହୋଇଛି ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)। ମୋହାଲିରେ ରବିବାର ରାତିରେ ଖେଳାଯାଇଥିବା ଆଇପିଏଲର ୨୭ତମ ମ୍ୟାଚରେ ଆରସିବି ୮ ୱିକେଟରେ ଘରୋଇ କିଙ୍ଗସ ଇଲେଭେନ୍ ପଞ୍ଜାବକୁ ପରାସ୍ତ କରି ଚଳିତ ସିଜନରେ ପ୍ରଥମ ବିଜୟ ହାସଲ କରିଛି।
ଅନ୍ୟପକ୍ଷରେ ମୋହାଲିରେ ଲଗାତାର ୭ଟି ବିଜୟ ହାସଲ କରିଥିବା ପଞ୍ଜାବର ଏହି ଧାରାରେ ବ୍ରେକ୍ ଲାଗିଛି। ଆରସିବି ବିଜୟରେ ପ୍ରମୁଖ ଭୂମିକା ବହନ କରିଥିଲେ ଏବି ଡି'ଭିଲିୟର୍ସ ଓ ଅଧିନାୟକ ବିରାଟ୍ କୋହଲି। ପଞ୍ଜାବ ଦ୍ୱାରା ଧାର୍ଯ୍ୟ ୧୭୪ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଆରସିବି ୧୯.୨ ଓଭରରେ ୨ ୱିକେଟ ହରାଇ ଆବଶ୍ୟକ ରନ୍ କରିନେଇଥିଲା।
ଦଳ ପକ୍ଷରୁ ଦୁଇ ଓପ୍ନର ପାର୍ଥିବ ପଟେଲ (୧୯) ଓ ବିରାଟ୍ ପ୍ରଥମ ୱିକେଟ୍ ପାଇଁ ୪୩ ରନ୍ ଯୋଡ଼ିଥିଲେ। ଏହା ପରେ ବିରାଟ ଓ ଏବି ମିଶି ଦଳର ସ୍କୋରକୁ ଆଗକୁ ବଢ଼ାଇଥିଲେ। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୮୫ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରିଥିଲେ। ବିରାଟ ଫର୍ମକୁ ଫେରି ୫୩ ବଲରେ ୮ ଚୌକା ସହ ୬୭ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।
ବିରାଟଙ୍କ ଆଉଟ୍ ପରେ ଏବି ଓ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍ ଧୂଆଁଧାର ବ୍ୟାଟିଂ କରି ଆରସିବିକୁ ଚାରୋଟି ବଲ୍ ବାକି ଥାଇ ବିଜୟୀ କରାଇଥିଲେ। ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଏବି ୩୮ ବଲରେ ୫ ଚୌକା ଓ ୨ ଛକା ସହ ୫୯ ଓ ଷ୍ଟୋଇନିସ୍ ୧୬ ବଲରେ ୪ ଚୌକା ସହ ୨୮ ରନ୍ ଅପରାଜିତ ଥିଲେ।
ପୂର୍ବରୁ ଟସ ହାରି ବ୍ୟାଟିଂ କରିଥିବା ଆୟୋଜକ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୭୩ ରନ୍ କରିଥିଲା। ଦଳ ପକ୍ଷରୁ କ୍ରିସ୍ ଗେଲଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ୨୦ରୁ ଅଧିକ ରନ୍ କରିପାରିନଥିଲେ। ଗେଲ୍ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୯୯ (୬୪ ବଲ, ୧୦ ଚୌକା, ୫ ଛକା) ରନର ଇନିଂସ୍ ଖେଳିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଲୋକେଶ ରାହୁଲ (୧୮), ମୟଙ୍କ ଅଗ୍ରୱାଲ୍ (୧୫), ସର୍ଫରାଜ ଖାନ୍ (୧୫) ଓ ସାମନ୍ କରାନ୍ (୧) ନିରାଶ କରିଥିବା ବେଳେ ମନଦୀପ ସିଂହ ୧୮ ରନ୍ କରି ଅପରାଜିତ ଥିଲେ। ଆରସିବି ପକ୍ଷରୁ ୟୁଜବେନ୍ଦ୍ର ଚହଲ୍ ୨ଟି ୱିକେଟ୍ ନେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।