ନୂଆଦିଲ୍ଲୀ: ଦୀର୍ଘ ଦେଢ଼ ଦଶନ୍ଧି ଧରି କ୍ରିକେଟ୍ ଖେଳାଯାଇ ଆସୁଛି ଏବଂ ଏହି ଖେଳ ଅନିର୍ଦ୍ଦିଷ୍ଟ ବୋଲି ସମସ୍ତେ ଜାଣନ୍ତି। ବେଳେବେଳେ କ୍ରିକେଟ୍ ମ୍ୟାଚରେ ଏଭଳି କିଛି ଘଟିଯାଏ, ଯାହା ଅମ୍ପାୟାରଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଥାଏ। ମହାନ୍ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଏକର ନିଜ ଟ୍ୱିଟର୍ ଆକାଉଣ୍ଟରେ ଠିକ୍ ସେହିଭଳି ଏକ ଭିଡିଓ ପୋଷ୍ଟ କରିଛନ୍ତି। ସଚିନ ଏହି ଭିଡିଓ ପ୍ରସଙ୍ଗରେ ନିଜ ପ୍ରଶଂସକଙ୍କ ଠାରୁ ମତାମତ ମାଗିଛନ୍ତି ଯେ ଯଦି ସେମାନେ ଅମ୍ପାୟାର ହୁଅନ୍ତି, ତାହେଲେ ଏହାକୁ ଆଉଟ୍ ଦେବେ ନା ନଟଆଉଟ୍।
A friend shared this video with me.
Found it very unusual!What would your decision be if you were the umpire? 🤔 pic.twitter.com/tJCtykEDL9— Sachin Tendulkar (@sachin_rt) July 24, 2019
ସଚିନ ୩୧ ସେକେଣ୍ଡର ଯେଉଁ ଭିଡିଓ ପୋଷ୍ଟ କରିଛନ୍ତି, ସେଥିରେ ଜଣେ ବାମହାବୀ ବ୍ୟାଟ୍ସମ୍ୟାନ୍ ବୋଲ୍ଡ ହୋଇଛନ୍ତି, କିନ୍ତୁ ଦୁଇ ଷ୍ଟମ୍ପ ମଝିରେ ଥିବା ଏକ ବେଲ୍ ତଳେ ପଡ଼ୁନାହିଁ। ଏହି ବଲଟି ବେଲକୁ ହାଲକା ଭାବେ ସ୍ପର୍ଶ କରି ଚାଲିଯାଇଥିଲା, ଯେଉଁଥିରେ ବେଲ୍ ହଲିଲା ଏବଂ ନିଜ ସ୍ଥାନ ଛାଡ଼ି ଦେଇଥିଲା। କିନ୍ତୁ ବେଲଟି ମିଡିଲ୍ ଷ୍ଟମ୍ପରୁ ଅଲଗା ହେବା ବଦଳରେ ବ୍ୟାଟ୍ସମ୍ୟାନଙ୍କ ଅଫ୍ ଷ୍ଟମ୍ପରେ ହିଁ ଅଟକି ଯାଇଥିଲା। ଏହି ବେଲ୍ ଗୋଟିଏ ଷ୍ଟମ୍ପରେ ହିଁ ତିଷ୍ଠି ଯାଇଥିଲା ଏବଂ ଆଦୌ ତଳେ ପଡ଼ିଲା ନାହିଁ।
ଫିଲ୍ଡିଂ ଟିମ୍ ଅମ୍ପାୟାରଙ୍କୁ ଆଉଟ୍ ଦେବା ପାଇଁ ଅପିଲ୍ କରିଥିଲା। ଏହା ମଧ୍ୟରେ ଲେଗ୍ ଅମ୍ପାୟାର ବେଲକୁ ପୁଣିଥରେ ଠିକ୍ କରିଥିଲେ ଏବଂ ମୁଖ୍ୟ ଅମ୍ପାୟାରଙ୍କ ସହ ବିଚାରବିମର୍ଶ କରିବା ପରେ ବ୍ୟାଟ୍ସମ୍ୟାନଙ୍କୁ ନଟଆଉଟ୍ ଘୋଷିତ କରିଥିଲେ। ତେବେ ଅମ୍ପାୟାରଙ୍କ ଏହି ନିଷ୍ପତ୍ତିରେ ଫିଲ୍ଡିଂ ଟିମ୍ ନିରାଶ ହୋଇଥିଲା।
ଏହି ଭିଡିଓକୁ ଶେୟାର କରି ମାଷ୍ଟର୍ ବ୍ଲାଷ୍ଟର୍ ଲେଖିଛନ୍ତି, ଜଣେ ବନ୍ଧୁ ମୋ ସହ ଏହି ଭିଡିଓ ଶେୟାର କରିଛନ୍ତି। ଏହା ବହୁତ ଅସାଧାରଣ। ସଚିନ ନିଜ ପ୍ରଶଂସକଙ୍କଠାରୁ ଏହି ଭିଡିଓ ପାଇଁ ମତାମତ ମାଗିଛନ୍ତି। ସଚିନ କହିଛନ୍ତି, ଯଦି ଆପଣମାନେ ଏହି ମ୍ୟାଚରେ ଅମ୍ପାୟାର ହୋଇଥିବେ, ତାହେଲେ କ'ଣ ନିଷ୍ପତ୍ତି ଦେଇଥାନ୍ତେ।