ପୁଣେ: ଶାନ୍ତନୁ ମିଶ୍ର ଓ ରାଜେଶ ଧୂପରଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ଓଡ଼ିଶା ଏଠାରେ ଆରମ୍ଭ ହୋଇଥିବା ମହାରାଷ୍ଟ୍ର ବିପକ୍ଷ ରଣଜୀ ମୁକାବିଲାର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୫ ୱିକେଟ୍ ହରାଇ ୨୨୦ ରନ୍ କରିଛି। ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଏଲିଟ୍ ଗ୍ରୁପ୍-ସି'ର ଏହି ମ୍ୟାଚରେ ମହାରାଷ୍ଟ୍ର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ଓଡ଼ିଶା ଏକ ସମୟରେ ୯୬ ରନରେ ତା'ର ଅଧା ବ୍ୟାଟ୍ସମ୍ୟାନଙ୍କୁ ହରାଇ ବିପଦରେ ପଡ଼ିଥିଲା ବେଳେ ଶାନ୍ତନୁ ଓ ରାଜେଶ ଷଷ୍ଠ ୱିକେଟ୍ ପାଇଁ ଅପରାଜିତ ୧୨୪ ରନ୍ ଯୋଡ଼ି ଭ୍ରମଣକାରୀ ଦଳକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ଶାନ୍ତନୁ ୮୪ (୨୬୫ ବଲ୍, ୭ ଚୌକା) ଓ ରାଜେଶ ୬୭ (୧୦୪ ବଲ୍, ୫ ଚୌକା, ୪ ଛକା) ରନ୍ କରି ଅପରାଜିତ ରହିଛନ୍ତି।
ମ୍ୟାଚରେ ଓଡ଼ିଶାର ଆରମ୍ଭ ଭଲ ରହିଥିଲା। ଦୁଇ ଓପ୍ନର ଶାନ୍ତନୁ ଓ ଅନୁରାଗ ଷଡଙ୍ଗୀ ପ୍ରଥମ ୱିକେଟ୍ ପାଇଁ ୬୨ ରନର ଭାଗୀଦାରୀ କରିଥିଲେ। କିନ୍ତୁ ଏହାପରେ ମହାରାଷ୍ଟ୍ର ବୋଲରମାନେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୩୪ ରନରେ ଭିତରେ ୫ ୱିକେଟ୍ ନେଇ ଓଡ଼ିଶାକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ଅନୁରାଗ ୪୧ ରନ୍ କରି ସତ୍ୟଜିତ୍ ବଚାଭଙ୍କ ବଲରେ ଆଉଟ୍ ହୋଇଥିଲେ।
ଏହା ପରେ ଆଶୟ ପାଲକର ଓଡ଼ିଶା କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି (୧) ଓ ଗୋବିନ୍ଦ ପୋଦ୍ଦାରଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ମଧ୍ୟକ୍ରମରେ ବିପ୍ଳବ ସାମନ୍ତରାୟ (୫) ଓ ଅଭିଷେକ ରାଉତ (୧୨) ଆଶାମୁତାବକ ବ୍ୟାଟିଂ କରିପାରିନଥିଲେ। ମହାରାଷ୍ଟ୍ର ପକ୍ଷରୁ ପାଲକର ୨ଟି, ମନୋଜ ଇଙ୍ଗାଲେ ଓ ବଚାଭ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।