ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି କ୍ରିକେଟ୍ ମଇଦାନରେ ନିଜର ଦବଦବା ଦେଖାଇବା ପରେ ଏବେ ପ୍ରଶାସନ ଭାବେ ବଡ଼ ଇନିଂସ୍ ଖେଳିବା ପାଇଁ ପ୍ରସ୍ତୁତ। ସାଥୀ ଖେଳାଳିଙ୍କ ମଧ୍ୟ 'ଦାଦା' (ବଡ଼ ଭାଇ) ନାମରେ ଲୋକପ୍ରିୟ ରହିଥିବା ଗାଙ୍ଗୁଲି ବୁଧବାର ବିସିସିଆଇର ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି। ପ୍ରଶାସକ ଭାବେ ଗାଙ୍ଗୁଲିଙ୍କ ପାଖରେ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ (ସିଏବି)ର ଅଧ୍ୟକ୍ଷ ହେବାର ପ୍ରଚୁର ଅଭିଜ୍ଞତା ରହିଛି। ବିସିସିଆଇର କ୍ରିକେଟ୍ ଆଡଭାଇଜରି କମିଟି (ସିଏସି)ର ସଦସ୍ୟ ମଧ୍ୟ ସେ ରହିସାରିଛନ୍ତି। କିନ୍ତୁ ବୋର୍ଡର ମୁଖ୍ୟ ପଦବୀ ଦାୟିତ୍ୱ ନିଶ୍ଚିତ ଭାବେ ତାଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ।
ଗାଙ୍ଗୁଲି କଠିନ ସମୟରେ ଭାରତୀୟ କ୍ରିକେଟ୍ ଟିମର ମଙ୍ଗ ଧରିଥିଲେ ଏବଂ ଟିମକୁ ନୂଆ ଶିଖରରେ ପହଞ୍ଚାଇଥିଲେ। ଠିକ୍ ସେହିଭଳି କ'ଣ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ଦାୟିତ୍ୱକୁ ସୁଚାରୁରୂପେ ତୁଲାଇପାରୁଛନ୍ତି କି ନାହିଁ, ତାହା ସମୟ କହିବ। ପ୍ରଶାସନ କ୍ଷେତ୍ରରେ ଗାଙ୍ଗୁଲି ପ୍ରଥମଥର ସିଏବିରେ କାମ ଆରମ୍ଭ କରିଥିଲେ। ଏହା ପରେ ସେ ତିନି ବର୍ଷ ପର୍ଯ୍ୟନ୍ତ ଆସୋସିଏନରର ଯୁଗ୍ମ ସମ୍ପାଦକ ରହିଥିଲେ। ଏହା ପରେ ୨୦୧୫ରେ ସେ ସିଏବିର ଅଧ୍ୟକ୍ଷ ହୋଇଥିଲେ।
୧୯୯୨ରେ ଗାଙ୍ଗୁଲି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅନ୍ତର୍ଜାତୀୟ ଦିନିକିଆ ପଦାର୍ପଣ କରିଥିଲେ। କିନ୍ତୁ ସେ ନିଜର ପ୍ରଥମ ମ୍ୟାଚରେ ମାତ୍ର ୩ ରନ୍ କରିପାରିଥିଲେ। ଏହି ବିଫଳତା ପାଇଁ ତାଙ୍କୁ ଟିମରୁ ବାଦ୍ ଦିଆଯାଇଥିଲା। କିନ୍ତୁ ଗାଙ୍ଗୁଲି ହାର୍ ମାନିନଥିଲେ ଏବଂ ରଣଜୀ ଟ୍ରଫିରେ ପ୍ରଚୁର ରନ୍ କରିଥିଲେ। ଘରୋଇ କ୍ରିକେଟରେ ସଫଳ ପ୍ରଦର୍ଶନ ଯୋଗୁ ତାଙ୍କୁ ୧୯୯୬ରେ ଇଂଲଣ୍ଡ ଗସ୍ତ ପାଇଁ ଡାକରା ମିଳିଥିଲା। କିନ୍ତୁ ଏଥର ଗାଙ୍ଗୁଲି ପଛକୁ ଫେରି ଚାହିଁନଥିଲେ ଏବଂ ଲର୍ଡ୍ସରେ ନିଜର ଡେବ୍ୟୁ ଟେଷ୍ଟରେ ୧୩୧ ରନର ଶତକୀୟ ଇନିଂସ୍ ଖେଳିଥିଲେ। ନିଜର ଦ୍ୱିତୀୟ ମ୍ୟାଚରେ ମଧ୍ୟ ସେ ଆଉ ଏକ ଶତକ ମାରି ନୂଆ ରେକର୍ଡ କରିଥିଲେ। ସେ ଟେଷ୍ଟ କ୍ରିକେଟ୍ ଇତିହାସର ତୃତୀୟ ଖେଳାଳି ଭାବେ ନିଜର ପ୍ରଥମ ଦୁଇଟି ମ୍ୟାଚରେ ଲଗାତାର ଶତକ ମାରି ବିଶ୍ୱ ରେକର୍ଡ କରିଥିଲେ।
୨୦୦୦ ମସିହା ମ୍ୟାଚ୍ ଫିକ୍ସିଂ ମାମଲା ଭାରତୀୟ କ୍ରିକେଟକୁ କଳଙ୍କିତ କରିଥିଲା। ଏହି ସମୟରେ ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ଥିବା ମହାନ୍ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ହାତ ଟେକି ଦେଇଥିଲେ । ସେ ଟିମର ନେତୃତ୍ୱ ନେବାକୁ ସିଧାସଳଖ ମନା କରି ଦେଇଥିଲେ। ଏହି ସମୟରେ ଗାଙ୍ଗୁଲିଙ୍କ ଟିମର ମଙ୍ଗ ପ୍ରଦାନ କରାଯାଇଥିଲା। ତାଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଧୀରେ ଧୀରେ ଆଗକୁ ବଢ଼ିଥିଲା। ୨୦୦୧ରେ ତାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଟିମ୍ ଅଷ୍ଟ୍ରେଲିଆର ଲଗାତାର ୧୬ଟି ମ୍ୟାଚରେ ଅପରାଜେୟ ରେକର୍ଡକୁ ଭାଙ୍ଗିଥିଲା। ଏହି ବର୍ଷ ତାଙ୍କ କ୍ୟାପଟେନ୍ସିରରେ ଭାରତ ଇଡେନ୍ ଗାର୍ଡେନ୍ସରେ ଐତିହାସିକ ବିଜୟ ହାସଲ କରିଥିଲା।
ଗାଙ୍ଗୁଲି ନିଜ ଆକ୍ରମଣାତ୍ମକ ନେତୃତ୍ୱ ପାଇଁ ଖୁବ୍ ପରିଚିତ। ସେ ମଧ୍ୟ ସେହି ସମୟରେ ଯୁବରାଜ ସିଂହ, ମହମ୍ମଦ କୈଫ୍, ବୀରେନ୍ଦ୍ର ସେହ୍ୱାଗ, ଜାହିର୍ ଖାନ୍, ହରଭଜନ ସିଂହଙ୍କ ଭଳି ବଡ଼ ଖେଳାଳିଙ୍କୁ ସୁଯୋଗ ଦେଇଥିଲେ। ୨୦୦୨ରେ ଇଂଲଣ୍ଡ ବିପକ୍ଷ ନାଟୱେଷ୍ଟ ସିରିଜ୍ ଫାଇନାଲ୍ସରେ ଯୁବରାଜ ଓ କୈଫଙ୍କ ଚମତ୍କାର ବ୍ୟାଟିଂ ବଳରେ ଭାରତ ୩୨୬ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ଇତିହାସ ରଚିଥିଲା। ଫାଇନାଲରେ ଭାରତର ବିଜୟ ପରେ ଐତିହାସିକ ଲର୍ଡ୍ସର ବାଲକୋନୀରେ ଗାଙ୍ଗୁଲି ଖୁସିରେ ଆତ୍ମହରା ହୋଇ ନିଜ ଟି-ଶାର୍ଟ ଖୋଲି ବୁଲାଇଥିଲେ। ୨୦୦୩ରେ ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତ ୧୯୮୩ ପରେ ପ୍ରଥମଥର ପାଇଁ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଥିଲା। କିନ୍ତୁ ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ନିକଟରୁ ହାରି ଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ସେ ୫୮.୧୨ ହାରରେ ୪୫୬ ରନ୍ କରିଥିଲେ।
୨୦୦୫ରେ ଖରାପ ପ୍ରଦର୍ଶନ ପାଇଁ ଗାଙ୍ଗୁଲି ନିଜ କ୍ୟାପଟେନ୍ ପଦ ହରାଇବା ସହ ଟିମରୁ ମଧ୍ୟ ବାଦ୍ ପଡ଼ିଥିଲେ। କିନ୍ତୁ ଗାଙ୍ଗୁଲି ଘରୋଇ କ୍ରିକେଟରେ ରନ୍ କରି ପୁଣିଥରେ ଜାତୀୟ ଦଳକୁ ଫେରିଥିଲେ ଏବଂ ୨୦୦୮ରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ। କ୍ୟାପଟେନ୍ ଭାବେ ୪୯ ଟେଷ୍ଟରେ ଭାରତର ନେତୃତ୍ୱ ନେଇଛନ୍ତି, ଯେଉଁଥିରେ ୨୧ଟିରେ ବିଜୟ ମିଳିଛି। ସେହିପରି କ୍ୟାପଟେନ୍ ଭାବେ ସେ ୧୪୬ ଦିନିକିଆରେ ୭୬ଟି ମ୍ୟାଚରେ ଭାରତକୁ ଜିତାଇଛନ୍ତି।
ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ବିଦେଶ ମଇଦାନରେ ଜିତିବା ଅଭିଯାନ ଆରମ୍ଭ କରିଥିଲା ଏବଂ ପରେ ମହେନ୍ଦ୍ର ସିଂହ ଧୋନି ଓ ବିରାଟ୍ କୋହଲି ଏହାକୁ ଆଗକୁ ବଢ଼ାଇଥିଲେ। ଇଂଲଣ୍ଡର ମହାନ୍ ବ୍ୟାଟ୍ସମ୍ୟାନ୍ ଜେଫ୍ରି ବୟକଟ୍ ଗାଙ୍ଗୁଲିଙ୍କୁ 'ପ୍ରିନ୍ସ ଅଫ୍ କୋଲକାତା' ଭାବେ ସମ୍ବୋଧିତ କରିଥିଲେ। ଆକ୍ରମଣାତ୍ମକ ସ୍ୱଭାବ ଗାଙ୍ଗୁଲିଙ୍କର ପରିଚୟ ଥିଲା ଏବଂ ବିସିସିଆଇରେ ତାଙ୍କ ନୂଆ ଇନିଂସରେ ଏହି ସ୍ୱଭାବ ଜାରି ରହିବ ବୋଲି ଆଶା କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।