ଚୟନକମିଟି ଉପରେ ଗୁରୁତର ଅଭିଯୋଗ ଆଣିଲେ ଗାଭାସ୍କର

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତର ସବୁ ପ୍ରସ୍ତୁତି ଶେଷ ହୋଇଛି। ସୋମବାର ରାତିରେ ଭାରତୀୟ ଟିମ୍ ୱେଷ୍ଟଇଣ୍ଡିଜ୍ ଗସ୍ତ କରିବ। ତେବେ ଏହା ପୂର୍ବରୁ ଭାରତର ପୂର୍ବତନ ମହାନ୍ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର ଗସ୍ତ ପାଇଁ ଟିମ୍ ଚୟନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ଗାଭାସ୍କର ସିଧାସଳଖ ଚୟନକମିଟି ଅଧ୍ୟକ୍ଷ ଏମଏସକେ ପ୍ରସାଦଙ୍କ ଉପରେ ଅଙ୍ଗୁଳି ଉଠାଇଛନ୍ତି। ବିଶ୍ୱକପ୍ ସେମିଫାଇନାଲରେ ଭାରତର ପରାଜୟ ପରେ ବିରାଟ୍ କୋହଲିଙ୍କୁ ସ୍ୱାଭାବିକ ଭାବେ କ୍ୟାପଟେନ୍ ପଦରେ ରଖିବା ନେଇ […]

gava

Ranjit Kumar Jena
  • Published: Monday, 29 July 2019
  • , Updated: 29 July 2019, 04:39 PM IST

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତର ସବୁ ପ୍ରସ୍ତୁତି ଶେଷ ହୋଇଛି। ସୋମବାର ରାତିରେ ଭାରତୀୟ ଟିମ୍ ୱେଷ୍ଟଇଣ୍ଡିଜ୍ ଗସ୍ତ କରିବ। ତେବେ ଏହା ପୂର୍ବରୁ ଭାରତର ପୂର୍ବତନ ମହାନ୍ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର ଗସ୍ତ ପାଇଁ ଟିମ୍ ଚୟନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ଗାଭାସ୍କର ସିଧାସଳଖ ଚୟନକମିଟି ଅଧ୍ୟକ୍ଷ ଏମଏସକେ ପ୍ରସାଦଙ୍କ ଉପରେ ଅଙ୍ଗୁଳି ଉଠାଇଛନ୍ତି। ବିଶ୍ୱକପ୍ ସେମିଫାଇନାଲରେ ଭାରତର ପରାଜୟ ପରେ ବିରାଟ୍ କୋହଲିଙ୍କୁ ସ୍ୱାଭାବିକ ଭାବେ କ୍ୟାପଟେନ୍ ପଦରେ ରଖିବା ନେଇ ଗାଭାସ୍କର ପ୍ରଶ୍ନ କରିଛନ୍ତି। ଗାଭାସ୍କରଙ୍କ ମତରେ କୋହଲିଙ୍କୁ ପୁନର୍ବାର କ୍ୟାପଟେନ୍ସି ଦେବା ପୂର୍ବରୁ ଏକ ଅଫିସିଆଲ୍ସ ବୈଠକ ହେବାର ଆବଶ୍ୟକତା ଥିଲା।

ଇଂରାଜୀ ଖବର କାଗଜ ମିଡ୍ ଡେ'ରେ ନିଜର ସମ୍ଭରେ ଗାଭାସ୍କର କହିଛନ୍ତି, "ଚୟନକର୍ତ୍ତା ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଟିମ୍ ଚୟନ ପୂର୍ବରୁ ବିରାଟ୍ କୋହଲିଙ୍କୁ କ୍ୟାପଟେନ୍ ଭାବେ ଚୟନ କରିବା ପାଇଁ କୌଣସି ବୈଠକ କରିନାହାନ୍ତି। ତେଣୁ ଏଠି ପ୍ରଶ୍ନ ଉଠୁଛି ଯେ, କ'ଣ ବିରାଟ୍ କୋହଲି ନିଜ ଦମରେ ଟିମର କ୍ୟାପଟେନ୍ ଅଛନ୍ତି ନା ଚୟନକମିଟିର ଖୁସି କାରଣରୁ ଏହି ପଦବୀରେ ଅଛନ୍ତି।"

ଗାଭାସ୍କର ଆହୁରି ଲେଖିଛନ୍ତି, "ମୋ ଜାଣତରେ କୋହଲି ବିଶ୍ୱକପ୍ ପର୍ଯ୍ୟନ୍ତ କ୍ୟାପଟେନ୍ ଭାବେ ଚୟନ ହୋଇଥିଲେ। ଏହା ପରେ ବିରାଟଙ୍କୁ ପୁନର୍ବାର କ୍ୟାପଟେନ୍ ଭାବେ ନିଯୁକ୍ତ କରିବା ପାଇଁ ଚୟନକମିଟିକୁ ବୈଠକ କରିବାର ଆବଶ୍ୟକ ଥିଲା, ତେଣିକି ତାହା ପାଞ୍ଚ ମିନିଟ୍ ପାଇଁ ହେଉ ନା କାହିଁକି। କିନ୍ତୁ ମୋ ଜାଣିବାରେ ଏଭଳି କିଛି ହୋଇ ନାହିଁ।"

ଗାଭାସ୍କର କହିଛନ୍ତି, "ଚୟନ କମିଟିରେ ଥିବା ସବୁ ସଦସ୍ୟ ହାତ କଣ୍ଢେଇ। କାରଣ ସେମାନେ ନିଜେ କୌଣସି ନିଷ୍ପତ୍ତି ନେଉନାହାନ୍ତି ବରଂ ଅନ୍ୟର ନିର୍ଦ୍ଦେଶରେ ଟିମ୍ ଚୟନ କରୁଛନ୍ତି। ପୁନଃନିଯୁକ୍ତି ହେବା ପରେ ଜଣେ କ୍ୟାପଟେନଙ୍କୁ ଖେଳାଳିଙ୍କ ଚୟନ ପାଇଁ ହେବାକୁଥିବା ବୈଠକରେ ଯୋଗଦେବାର ଥିଲା। ପୁନର୍ବାର କ୍ୟାପଟେନ୍ ଚୟନ କରିବା ପ୍ରକ୍ରିୟାକୁ ଅଣଦେଖା କରିବା ଦ୍ୱାରା ଏହି ବାର୍ତ୍ତା ବାହାରକୁ ଗଲା ଯେ ଦିନେଶ କାର୍ତ୍ତିକ ଓ କେଦାର ଯାଦବଙ୍କୁ ଖରାପ ପ୍ରଦର୍ଶନ ପାଇଁ ଟିମରୁ ବାଦ୍ ଦିଆଗଲା। ଅନ୍ୟପକ୍ଷରେ ଟିମକୁ ଫାଇନାଲରେ ନପହଞ୍ଚାଇବା ସତ୍ତେ୍ୱ ବିରାଟଙ୍କ ଅଧିନାୟକ ପଦ କାଏମ ରହିଲା। ତେଣୁ ଏଥିରୁ ଜଣାପଡୁଛି, ଟିମ୍ ଇଣ୍ଡିଆ ଚୟନ କମିଟି କେବେ ସ୍ୱଚ୍ଛ।"

ସୂଚନାଯୋଗ୍ୟ, ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତା ବିଶିଷ୍ଟ ଭାରତୀୟ ଚୟନ କମିଟି ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ କୋହଲିଙ୍କୁ ତିନୋଟି ଯାକ ଫର୍ମାଟର କ୍ୟାପଟେନ୍ ନିଯୁକ୍ତ କରିଛନ୍ତି। ଏହି ସିରିଜର ଶୁଭାରମ୍ଭ ଫ୍ଲୋରିଡ଼ାରେ ହେବାକୁଥିବା ଟି-୨୦ ମୁକାବିଲାରୁ ହେବ। ବିଶ୍ୱକପରେ ଭାରତୀୟ ଟିମର ପ୍ରଦର୍ଶନ ନେଇ କୌଣସି ସମୀକ୍ଷା ବୈଠକ ହେବ ନାହିଁ ବୋଲି ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ଗଠିତ ପ୍ରଶାସନିକ କମିଟି (ସିଓଏ) ସ୍ପଷ୍ଟ କରିଥିଲା। କିନ୍ତୁ ବିଶ୍ୱକପରେ ଟିମର ପ୍ରଦର୍ଶନକୁ ନେଇ ଟିମ୍ ମ୍ୟାନେଜରଙ୍କ ରିପୋର୍ଟ ଉପରେ ବିଚାର କରାଯିବ।

Related story