ଆଇସିସି ଟେଷ୍ଟ ଚାମ୍ପିୟନଶିପ୍ ଶୀର୍ଷରେ ଟିମ୍ ଇଣ୍ଡିଆ ମଜଭୁତ୍‌

ରାଞ୍ଚି: ଭାରତରେ ଦିପାବଳୀର ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଦିପାବଳୀ ପୂର୍ବରୁ ଟିମ୍ ଇଣ୍ଡିଆ ଦେଶବାସୀଙ୍କୁ ମହାବିଜୟ ଭେଟି ଦେଇଛି। ଦମଦାର ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଭାରତ ମଙ୍ଗଳବାର ଏଠାରେ ଦକ୍ଷିଣ ଆଫ୍ରିକାକୁ ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଇନିଂସ୍ ଓ ୨୦୨ ରନରେ ହରାଇ ସିରିଜକୁ ୩-୦ରେ କ୍ଲିନସୁଇପ୍ କରିଛି। ଏହି ବିଜୟ ସହ ଭାରତକୁ ୪୦ ପଏଣ୍ଟ ମିଳିଛି ଏବଂ ଟିମ୍ ଟେଷ୍ଟ ଚାମ୍ପିୟନଶିପରେ ତା’ର ସମସ୍ତ ୫ଟି ଯାକ ମ୍ୟାଚ୍ ଜିତି ୨୪୦ ପଏଣ୍ଟ […]

india

india

Ranjit Kumar Jena
  • Published: Tuesday, 22 October 2019
  • Updated: 22 October 2019, 06:48 PM IST

ରାଞ୍ଚି: ଭାରତରେ ଦିପାବଳୀର ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଦିପାବଳୀ ପୂର୍ବରୁ ଟିମ୍ ଇଣ୍ଡିଆ ଦେଶବାସୀଙ୍କୁ ମହାବିଜୟ ଭେଟି ଦେଇଛି। ଦମଦାର ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଭାରତ ମଙ୍ଗଳବାର ଏଠାରେ ଦକ୍ଷିଣ ଆଫ୍ରିକାକୁ ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଇନିଂସ୍ ଓ ୨୦୨ ରନରେ ହରାଇ ସିରିଜକୁ ୩-୦ରେ କ୍ଲିନସୁଇପ୍ କରିଛି। ଏହି ବିଜୟ ସହ ଭାରତକୁ ୪୦ ପଏଣ୍ଟ ମିଳିଛି ଏବଂ ଟିମ୍ ଟେଷ୍ଟ ଚାମ୍ପିୟନଶିପରେ ତା'ର ସମସ୍ତ ୫ଟି ଯାକ ମ୍ୟାଚ୍ ଜିତି ୨୪୦ ପଏଣ୍ଟ ସହ ଶୀର୍ଷ ସ୍ଥାନକୁ ଆହୁରି ମଜଭୁତ୍ କରିଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତର ଏହା ୧୧ତମ ସିରିଜ୍ ବିଜୟ। ଏହା ସହ ଭାରତୀୟ ଟିମ୍ ପ୍ରଥମଥର ପାଇଁ କୌଣସି ଟେଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକାକୁ କ୍ଲିନସୁଇପ୍ କରିଛି। ଘରୋଇ ମାଟିରେ ମଧ୍ୟ ଭାରତର ଏହା କ୍ରମାଗତ ୧୧ତମ ସିରିଜ୍ ବିଜୟ।

ସୋମବାର ତୃତୀୟ ଦିବସରେ ଭାରତ ଦକ୍ଷିଣ ଆଫ୍ରିକାକୁ ଫଲୋଅନ୍ ଦେଇଥିଲା ଏବଂ ଭ୍ରମଣକାରୀ ଟିମ୍ ଦ୍ୱିତୀୟ ଇନିଂସରେ ୮ ୱିକେଟ୍ ହରାଇ ୧୩୨ ରନ୍ କରିଥିଲା। ଆୟୋଜକ ଟିମ୍ ଆଜି ମାତ୍ର ୨ ଓଭରରେ ବିଜୟର ଔପଚାରିକତା ପୂରଣ କରି ଦକ୍ଷିଣ ଆଫ୍ରିକାକୁ ୪୮ ଓଭରରେ ୧୩୩ ରନରେ ଅଲଆଉଟ୍ କରିଥିଲା। ଭାରତ ପ୍ରଥମ ଇନିଂସରେ ୯ ୱିକେଟ୍ ହରାଇ ୪୯୭ ରନରେ ଘୋଷଣା କରିଥିଲା। ଯାହା ପରେ ଦକ୍ଷିଣ ଆଫ୍ରିକା ଟିମ୍ ପ୍ରଥମ ଇନିଂସରେ ୧୬୨ ରନ୍ କରି ଅଲଆଉଟ୍ ହୋଇଥିଲା। ସିରିଜ୍ ଏବଂ ମ୍ୟାଚର ଫଳାଫଳରେ ଭାରତର ଦବଦବାକୁ ଦର୍ଶାଉଛି ଯେ ଦକ୍ଷିଣ ଆଫ୍ରିକା ଟିମ୍ ଏହା ତୁଳନାରେ କେତେ ଦୁର୍ବଳ।

ପଦାର୍ପଣ କରିଥିବା ଶାହାବାଜ ନଦୀମ (୨/୧୮) ମଙ୍ଗଳବାର ଦ୍ୱିତୀୟ ଓଭରର ପଞ୍ଚମ ଓ ଷଷ୍ଠ ବଲରେ ଯଥାକ୍ରମେ ଥ୍ୟୁନିସ୍ ଡି'ବ୍ରୁନ୍ (୩୦) ଓ ଲୁଙ୍ଗି ଏନଗିଡି (୦)ଙ୍କୁ ଆଉଟ୍ କରି ଭାରତର ବିଜୟ ଔପଚାରିକତା ପୂରଣ କରିଥିଲେ। ଭାରତ ପକ୍ଷରୁ ମହମ୍ମଦ ଶାମି ୧୦ ରନ୍ ଦେଇ ୩ଟି, ଉମେଶ ଯାଦବ ୩୫ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ। ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

ତିନି ମ୍ୟାଚ୍ ବିଶିଷ୍ଟ ଘରୋଇ ଟେଷ୍ଟରେ ଭାରତ ତୃତୀୟଥର ପାଇଁ ସିରିଜ୍ କ୍ଲିନସୁଇପ୍ କରିଛି। ଭାରତ ସିରିଜର ପ୍ରଥମ ଟେଷ୍ଟକୁ ୨୦୩ ରନ୍ ଏବଂ ଦ୍ୱିତୀୟ ଟେଷ୍ଟକୁ ଇନିଂସ୍ ଓ ୧୩୭ ରନରେ ଜିତିଥିଲା। ସିରିଜରେ ଭାରତ ପାଇଁ ପ୍ରଥମଥର ଓପନ୍ କରିଥିବା ରୋହିତ୍ ଶର୍ମା ସର୍ବାଧିକ ୫୨୯ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ସେହିପରି ଏହି ଟେଷ୍ଟରେ ନିଜର ପ୍ରଥମ ଦ୍ୱିଶତକ (୨୧୨) ପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ମଧ୍ୟ ବିବେଚିତ କରାଯାଇଛି।

ଚଳିତ ସିରିଜରେ ଯଶପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତିରେ ଭାରତୀୟ ପେସରମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଆହତ କାରଣରୁ ବୁମ୍ରା ଏହି ସିରିଜରେ ଖେଳିପାରି ନାହାନ୍ତି। ଏହି ସିରିଜରେ ଭାରତୀୟ ସ୍ପିନର୍ ଯଥା ଅଶ୍ୱିନ୍ (୧୫ ୱିକେଟ୍‌), ରବୀନ୍ଦ୍ର ଜାଡେଜା (୧୩ ୱିକେଟ୍‌) ଏବଂ ଶାହାବାଜ ନଦୀମ (୪ ୱିକେଟ୍‌) ମୋଟ ୩୨ଟି ୱିକେଟ୍ ନେଇଥିବା ନେଇଥିବା ବେଳେ ମହମ୍ମଦ ଶାମି (୧୩ ୱିକେଟ୍‌), ଉମେଶ ଯାଦବ (୧୧ ୱିକେଟ୍‌) ଏବଂ ଈଶାନ୍ତ ଶର୍ମା (୨ ୱିକେଟ୍‌)ଙ୍କୁ ଗଠିତ ପେସ୍ ଆକ୍ରମଣ ୨୬ ୱିକେଟ୍ ହାସଲ କରିଛନ୍ତି।

ସଂକ୍ଷିପ୍ତ ସ୍କୋର
ଭାରତ ପ୍ରଥମ ଇନିଂସ୍ ୪୯୭/୯ (ଘୋଷିତ)
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ୍ ୧୬୨, ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ୍ ୧୩୩: ଥ୍ୟୁନିସ୍ ଡି'ବ୍ରୁନ୍ ୩୦, ଜର୍ଜ ଲିଣ୍ଡେ ୨୭, ଡେନ୍ ପିଟ୍ ୨୩, ଆନରିଚ୍ ନୋର୍ଟଜେ ୫³, ମହମ୍ମଦ ଶାମି ୩/୧୦, ଉମେଶ ଯାଦବ ୨/୩୫, ଶାହାବାଜ ନଦୀମ ୨/୧୮।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos