ଆନ୍ଦ୍ରିସ୍କୁଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍

ନ୍ୟୁୟର୍କ: କ୍ୟାନାଡାର ୧୯ ବର୍ଷୀୟ ଯୁବ ଟେନିସ୍ ତାରକା ବିଆଙ୍କା ଆନ୍ଦ୍ରିସ୍କୁ ୟୁଏସ୍ ଓପନ୍ ମହିଳା ସିଙ୍ଗଲ୍ସ ଟାଇଟଲ୍ ଜିତିଛନ୍ତି। ଶନିବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଟାଇଟଲ୍ ମୁକାବିଲାରେ ଆନ୍ଦ୍ରିସ୍କୁ ଘରୋଇ ତାରକା ତଥା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳି ସେରେନା ୱିଲିୟମ୍ସଙ୍କୁ ସିଧାସଳଖ ୬-୩, ୭-୫ ସେଟରେ ପରାସ୍ତ କରି କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ୍ ମୁକୁଟ ପିନ୍ଧିଛନ୍ତି। ଆନ୍ଦ୍ରିସ୍କୁ ଆରମ୍ଭରୁ ହିଁ ସେରେନାଙ୍କ ଉପରେ ଚାପ ପକାଇଥିଲେ ଏବଂ ଶେଷରେ ଟାଇଟଲ୍ ନିଜ ନାଁରେ କରିବାରେ […]

BIANCA

Ranjit Kumar Jena
  • Published: Sunday, 08 September 2019
  • , Updated: 08 September 2019, 04:41 PM IST

ନ୍ୟୁୟର୍କ: କ୍ୟାନାଡାର ୧୯ ବର୍ଷୀୟ ଯୁବ ଟେନିସ୍ ତାରକା ବିଆଙ୍କା ଆନ୍ଦ୍ରିସ୍କୁ ୟୁଏସ୍ ଓପନ୍ ମହିଳା ସିଙ୍ଗଲ୍ସ ଟାଇଟଲ୍ ଜିତିଛନ୍ତି। ଶନିବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଟାଇଟଲ୍ ମୁକାବିଲାରେ ଆନ୍ଦ୍ରିସ୍କୁ ଘରୋଇ ତାରକା ତଥା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳି ସେରେନା ୱିଲିୟମ୍ସଙ୍କୁ ସିଧାସଳଖ ୬-୩, ୭-୫ ସେଟରେ ପରାସ୍ତ କରି କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ୍ ମୁକୁଟ ପିନ୍ଧିଛନ୍ତି।

ଆନ୍ଦ୍ରିସ୍କୁ ଆରମ୍ଭରୁ ହିଁ ସେରେନାଙ୍କ ଉପରେ ଚାପ ପକାଇଥିଲେ ଏବଂ ଶେଷରେ ଟାଇଟଲ୍ ନିଜ ନାଁରେ କରିବାରେ ସଫଳ ହୋଇଥିଲେ। କୌଣସି କ୍ୟାନାଡା ଖେଳାଳିଙ୍କ ପକ୍ଷେ ଏହା ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍। ଏହି ବିଜୟ ସହ ଆନ୍ଦ୍ରିସ୍କୁ ସେରେନାଙ୍କର ୨୪ତମ ଗ୍ରାଣ୍ଡସ୍ଲାମ୍ ଚାମ୍ପିୟନ୍ ହେବାର ଆଶାକୁ ମଧ୍ୟ ଧୂଳିସାତ୍ କରିଛନ୍ତି। ୟୁଏସ୍ ଓପନ୍ ଫାଇନାଲରେ ସେରେନାଙ୍କର ଏହା କ୍ରମାଗତ ଦ୍ୱିତୀୟ ପରାଜୟ।

କ୍ୟାନାଡାର ଏହି ଯୁବ ଖେଳାଳି ଆନ୍ଦ୍ରିସ୍କୁ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବେଲିନ୍ଦା ବେନସିକଙ୍କୁ ହରାଇ ୟୁଏସ୍ ଓପନ୍ ଫାଇନାଲରେ ପ୍ରବେଶ କରିଥିଲେ । ଦୁଇ ସେଟ୍ ପର୍ଯ୍ୟନ୍ତ ଚାଲିଥିବା ରୋମାଞ୍ଚକର ମୁକାବିଲାରେ ଆନ୍ଦ୍ରିସ୍କୁ ସ୍ୱିଜରଲ୍ୟାଣ୍ଡର ବେନସିକଙ୍କୁ ୭-୬ (୭/୩), ୭-୫ ସେଟରେ ପରାସ୍ତ କରିଥିଲେ।

ସେହିପରି ୨୩ଥର ଗ୍ରାଣ୍ଡସ୍ଲାମ୍ ବିଜେତା ହୋଇସାରିଥିବା ସେରେନା ସେମିଫାଇନାଲରେ ୟୁକ୍ରେନର ଏଲିନା ସ୍ୱିତୋଲିନାଙ୍କୁ ହରାଇ ଫାଇନାଲରେ ପହଞ୍ଚିଥିଲେ। ସେରେନା ୨୪ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତି ମାର୍ଗ୍ରେଟ୍ କୋର୍ଟଙ୍କ ରେକର୍ଡ ବରାବର କରିବାକୁ ଆଶା ବାନ୍ଧିଥିଲେ, କିନ୍ତୁ ସେ ଏଥିରେ ସଫଳ ହେଲେ ନାହିଁ। କୌଣସି ଗ୍ରାଣ୍ଡସ୍ଲାମ୍ ଫାଇନାଲରେ ସେରେନାଙ୍କର ଏହା କ୍ରମାଗତ ଚତୁର୍ଥ ପରାଜୟ।

ଅନ୍ୟପକ୍ଷରେ ଆନ୍ଦ୍ରିସ୍କୁ ରୁଷର ମାରିଆ ଶାରାପୋଭାଙ୍କ ପରେ ୟୁଏସ୍ ଓପନ୍ ଟାଇଟଲ୍ ଜିତିବାରେ ସବୁଠାରୁ କନିଷ୍ଠ ଖେଳାଳି ହୋଇଛନ୍ତି। ଶାରାପୋଭା ୨୦୦୬ରେ ୟୁଏସ୍ ଓପନ୍ ଜିତିଥିଲେ। ଏହାଛଡ଼ା ୧୯ ବର୍ଷୀୟା ଆନ୍ଦ୍ରିସ୍କୁ ଗତ ୧୫ ବର୍ଷରେ ସବୁଠାରୁ କନିଷ୍ଠ ଗ୍ରାଣ୍ଡସ୍ଲାମ୍ ବିଜେତା ମଧ୍ୟ ହୋଇଛନ୍ତି। ଏହା ପୂର୍ବରୁ ୨୦୦୪ରେ ସ୍ୱେତଲାନା କୁଜନେତ୍ସୋଭା ୟୁଏସ୍ ଓପନ୍ ଟାଇଟଲ୍ ଜିତିଥିଲେ।

ଏଠାରେ ଟାଇଟଲ୍ ଜିତିବା ପରେ ଆନ୍ଦ୍ରିସ୍କୁ କହିଥିଲେ, "ବର୍ତ୍ତମାନ ମୁଁ କ'ଣ ଅନୁଭୂତ କରୁଛି, ତାହା ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ । ଏହି ମୁହୂର୍ତ୍ତ ପାଇଁ ମୁଁ ବହୁତ ପରିଶ୍ରମ କରିଛି।" ଏହି ସିଜନରେ ଆନ୍ଦ୍ରିସ୍କୁଙ୍କର ଶୀର୍ଷ ୧୦ ଖେଳାଳିଙ୍କ ବିରୋଧରେ ରେକର୍ଡ ୮-୦ ଥିଲା। ଏହି ବିଜୟ ସହ ସେ ରାଙ୍କିଙ୍ଗର ପଞ୍ଚମ ସ୍ଥାନରେ ପହଞ୍ଚିଯିବେ। ଆନ୍ଦ୍ରିସ୍କୁ ମୋନିକା ସେଲେସଙ୍କ ବରାବର କରିଛନ୍ତି, ଯିଏ ୧୯୯୦ରେ ଚତୁର୍ଥ ଗ୍ରାଣ୍ଡସ୍ଲାମ୍ ଖେଳି ଟାଇଟଲ୍ ଜିତିଥିଲେ।

ରେକର୍ଡ ଟାଇଟଲରୁ ବଞ୍ଚିତ ହୋଇଥିବା ସେରେନା କହିଛନ୍ତି, ଆନ୍ଦ୍ରିସ୍କୁ ଅଦ୍ଭୁତ ଖେଳିଥିଲେ। "ତାଙ୍କ ପ୍ରଦର୍ଶନ ଉପରେ ମୁଁ ଗର୍ବିତ। ଯଦି ଭିନସ୍ ୱିଲିୟମ୍ସଙ୍କ ଛଡ଼ା ଆଉ କିଏ ମୋତେ ଖୁସି ହୁଏ, ତାହେଲେ ସେ ହେଉଛନ୍ତି ଆନ୍ଦ୍ରିସ୍କୁ।" ସୂଚନାଯୋଗ୍ୟ, ସେରେନା ୧୯୯୯ରେ ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଜିତିଥିଲେ ହେଲେ ସେତେବେଳେ ଆନ୍ଦ୍ରିସ୍କୁ ଜନ୍ମ ହୋଇନଥିଲେ। ସେ ଗତ ଦୁଇବର୍ଷ ମଧ୍ୟରେ ଫ୍ଲସିଙ୍ଗ୍ ମିଡୋସରେ ମୁଖ୍ୟ ଡ୍ର'ରେ ମଧ୍ୟ ସ୍ଥାନ ହାସଲ କରିପାରିନଥିଲେ।

Related story