ଆଇସିସି ଟେଷ୍ଟ ରାଙ୍କିଙ୍ଗ୍‌: ଶୀର୍ଷ ସ୍ଥାନ ହରାଇଲେ କୋହଲି

ଦୁବାଇ: ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟରେ ଖରାପ ପ୍ରଦର୍ଶନ କରିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ମହଙ୍ଗା ପଡ଼ିଛି। ୱେଲିଂଟନ୍ ଟେଷ୍ଟର ଉଭୟ ଇନିଂସରେ ୨୧ ରନ୍ କରିଥିବା କୋହଲି ସଦ୍ୟ ଘୋଷିତ ଆଇସିସି ଟି-୨୦ ରାଙ୍କିଙ୍ଗର ଶୀର୍ଷ ସ୍ଥାନ ହରାଇଛନ୍ତି। କୋହଲି ଏବେ ୯୦୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ଏଥିସହ ଅଷ୍ଟ୍ରେଲିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ପୁଣିଥରେ ଶୀର୍ଷ ସ୍ଥାନ କବଜା କରିଛନ୍ତି। କୋହଲିଙ୍କୁ ରାଙ୍କିଙ୍ଗରେ ଗୋଟିଏ ସ୍ଥାନର […]

virat

virat

Ranjit Kumar Jena
  • Published: Wednesday, 26 February 2020
  • Updated: 26 February 2020, 04:42 PM IST

Sports

Latest News

ଦୁବାଇ: ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟରେ ଖରାପ ପ୍ରଦର୍ଶନ କରିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ମହଙ୍ଗା ପଡ଼ିଛି। ୱେଲିଂଟନ୍ ଟେଷ୍ଟର ଉଭୟ ଇନିଂସରେ ୨୧ ରନ୍ କରିଥିବା କୋହଲି ସଦ୍ୟ ଘୋଷିତ ଆଇସିସି ଟି-୨୦ ରାଙ୍କିଙ୍ଗର ଶୀର୍ଷ ସ୍ଥାନ ହରାଇଛନ୍ତି। କୋହଲି ଏବେ ୯୦୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ଏଥିସହ ଅଷ୍ଟ୍ରେଲିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ପୁଣିଥରେ ଶୀର୍ଷ ସ୍ଥାନ କବଜା କରିଛନ୍ତି।

କୋହଲିଙ୍କୁ ରାଙ୍କିଙ୍ଗରେ ଗୋଟିଏ ସ୍ଥାନର କ୍ଷତି ହୋଇଥିବା ବେଳେ ଭାଇସ୍‌-କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେ ଓ ଓପନିଂ ବ୍ୟାଟ୍ସମ୍ୟାନଙ୍କୁ ମୟଙ୍କ ଅଗ୍ରୱାଲଙ୍କୁ ଫାଇଦା ହୋଇଛି। ଅନ୍ୟପକ୍ଷରେ ଚେତେଶ୍ୱର ପୂଜାରାଙ୍କୁ ରାଙ୍କିଙ୍ଗରେ ବଡ଼ କ୍ଷତି ସହିବାକୁ ପଡ଼ିଛି। ପ୍ରଥମ ଟେଷ୍ଟରେ ୭୫ ରନ୍ କରିଥିବା ରାହାଣେ ଗୋଟିଏ ସ୍ଥାନ ଉପରକୁ ଉଠି ଏବେ ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ୱେଲିଂଟନ୍ ଟେଷ୍ଟର ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ସହ ମୋଟ ୯୨ ରନ୍ କରିଥିବା ମୟଙ୍କଙ୍କୁ ଦୁଇଟି ସ୍ଥାନର ଫାଇଦା ହୋଇଛି ଏବଂ ସେ ଏବେ କ୍ୟାରିୟରର ଶ୍ରେଷ୍ଠ ଦଶମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ପୂଜାରାଙ୍କୁ ଦୁଇଟି ସ୍ଥାନର କ୍ଷତି ହୋଇଛି ଏବଂ ସେ ନବମକୁ ଖସି ଆସିଛନ୍ତି।

ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ସ୍ମିଥ୍ ୨୦୧୫ ଜୁନ୍ ମାସ ପରଠାରୁ ଅଷ୍ଟମଥର ଲାଗି ପ୍ରଥମ ସ୍ଥାନ କବଜା କରିଛନ୍ତି। କୋହଲି ଓ ସ୍ମିଥଙ୍କ ବ୍ୟତୀତ ନ୍ୟୁଜିଲ୍ୟାଣ୍ଡ୍ କ୍ୟାପଟେନ୍ କେନ୍ ୱିଲିୟମସନ୍ ୨୦୧୫ ଡିସେମ୍ବର ମାସରେ ୮ଦିନ ପାଇଁ ଏକ ନମ୍ବର ସ୍ଥାନ ହାସଲ କରିଥିଲେ। ବୋଲିଂ ତାଲିକାରେ ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଗୋଟିଏ ସ୍ଥାନ ଖସି ଏବେ ନବମରେ ପହଞ୍ଚିଛନ୍ତି। ଅଶ୍ୱିନ୍ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପ୍ରଥମ ଇନିଂସରେ ୯୯ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ଅଶ୍ୱିନ୍ ମଧ୍ୟ ଏକମାତ୍ର ବୋଲର ଭାବେ ଟପ୍‌-୧୦ରେ ସ୍ଥାନ ପାଇଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ୫ ୱିକେଟର ସଫଳତା ପାଇଥିବା ପେସ୍ ବୋଲର ଈଶାନ୍ତ ଶର୍ମାଙ୍କୁ ଗୋଟିଏ ସ୍ଥାନର ଫାଇଦା ହୋଇଛି ଏବଂ ସେ ରାଙ୍କିଙ୍ଗର ୧୭ଶ ସ୍ଥାନକୁ ଉଠିଛନ୍ତି।

ଭାରତ ବିପକ୍ଷରେ ଯଥାକ୍ରମେ ୯ ଓ ୫ ୱିକେଟ୍ ନେଇଥିବା ନ୍ୟୁଜିଲ୍ୟାଣ୍ଡ୍ ପେସ୍ ବୋଲର ଟିମ୍ ସାଉଦୀ ଓ ଟ୍ରେଣ୍ଟ ବୋଲ୍ଟଙ୍କୁ ବିପୁଳ ଫାଇଦା ହୋଇଛି। ଭାରତ ବିପକ୍ଷରେ ସାଉଦୀ ଏକାଥରକେ ୮ଟି ସ୍ଥାନ ଉପରକୁ ଉଠିଛନ୍ତି ଏବଂ ସେ ନୂଆ ରାଙ୍କିଙ୍ଗରେ ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି, ଯାହା ୨୦୧୪ ଜୁନ୍ ମାସ (ପଞ୍ଚମ) ପରେ ଏହା ତାଙ୍କର ସର୍ବଶ୍ରେଷ୍ଠ ସ୍ଥାନ। ସେହିପରି ବୋଲ୍ଟ ୪ଟି ସ୍ଥାନ ଉପରକୁ ଉଠି ୧୪ଶ ସ୍ଥାନରେ ପହଞ୍ଚିଛନ୍ତି। ଅଲରାଉଣ୍ଡରଙ୍କ ତାଲିକାରେ ରବୀନ୍ଦ୍ର ଜାଡେଜା ଓ ଅଶ୍ୱିନ୍ ଯଥାକ୍ରମେ ତୃତୀୟ ଓ ପଞ୍ଚମ ସ୍ଥାନରେ ରହିଛନ୍ତି। ଜାଡେଜା ପ୍ରଥମ ଟେଷ୍ଟରେ ଖେଳିନଥିବା ବେଳେ ଅଶ୍ୱିନ୍ ଯଥାକ୍ରମେ ୦ ଓ ୪ ରନ୍ କରି ଗୋଟିଏ ସ୍ଥାନ ହରାଇଛନ୍ତି।

ସୂଚନାଯୋଗ୍ୟ, ୱେଲିଂଟନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ୧୦ ୱିକେଟରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ପରାଜୟ ସତ୍ତ୍ୱେ ଭାରତ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ୩୬୦ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି। ଭାରତ ପରେ ଅଷ୍ଟ୍ରେଲିଆ ୨୯୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ୱେଲିଂଟନ୍ ଟେଷ୍ଟ ଜିତି ୬୦ ପଏଣ୍ଟ ଅର୍ଜନ କରିଥିବା ନ୍ୟୁଜିଲ୍ୟାଣ୍ଡର ଏବେ ୧୨୦ ପଏଣ୍ଟ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos