କୋଲକାତା: ୱେଷ୍ଟଇଣ୍ଡିଜ୍ ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ଭାରତୀୟ ଟି-୨୦ ଏବଂ ଦିନିକିଆ ଟିମର ଘୋଷଣା କରାଯାଇଛି। ବିରାଟ୍ କୋହଲି ପୁଣିଥରେ ସୀମିତ ଓଭର ଟିମକୁ ଫେରିଛନ୍ତି। ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରୁ ବିଶ୍ରାମ ନେଇଥିବା କୋହଲି ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ପୁଣିଥରେ ଟିମର ନେତୃତ୍ୱ ନେବେ। ତେବେ ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଟିମରେ ସ୍ଥାନ ମିଳିନାହିଁ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ତିନୋଟି ଟି-୨୦ ଏବଂ ତିନୋଟି ଦିନିକିଆ ମ୍ୟାଚ୍ ଖେଳିବ।
ଗୁରୁବାର କୋଲକାତାରେ ଐତିହାସିକ ଦିବାରାତ୍ର ଟେଷ୍ଟ ପୂର୍ବରୁ ସିନିୟର ଚୟନକମିଟି ଅଧ୍ୟକ୍ଷ ଏମଏସକେ ପ୍ରସାଦ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଦଳ ଘୋଷଣା କରିଛନ୍ତି। ଏହା ମଧ୍ୟ ଚୟନକର୍ତ୍ତା ଭାବେ ପ୍ରସାଦଙ୍କ ଶେଷ ବୈଠକ ଥିଲା। ଦଳକୁ ପେସ୍ ବୋଲର ଭୁବନେଶ୍ୱର କୁମାର ଫେରିଛନ୍ତି। ଆହତ କାରଣରୁ ଭୁବି ଟିମରୁ ବାହାରେ ରହିଥିଲେ। ସେହିପରି ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରିଥିବା ମହମ୍ମଦ ଶାମି ଉଭୟ ଟି-୨୦ ଓ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି।
ଭାଇସକ୍ୟାପଟେନ୍ ରୋହିତ୍ ଶର୍ମା ଏବଂ ତାଙ୍କ ପାର୍ଟନର ଶିଖର ଧୱନଙ୍କୁ ମଧ୍ୟ ଟିମରେ ରଖାଯାଇଛି। ଇଣ୍ଡିଜ୍ ବିପକ୍ଷ ସିରିଜରୁ ରୋହିତଙ୍କୁ ବିଶ୍ରାମ ଦିଆଯିବା ନେଇ ଚର୍ଚ୍ଚା ହେଉଥିଲା। ଧୱନଙ୍କ ଉପରେ ଚୟନକର୍ତ୍ତା ପୁଣିଥରେ ଭରସା ଦେଖାଇଛନ୍ତି । ଅଲରାଉଣ୍ଡର କେଦାର ଯାଦବ ଦିନିକିଆରେ ନିଜ ସ୍ଥାନ ବଜାୟ ରଖିଛନ୍ତି। ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍ ଖେଳି ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ଶିବମ ଦୁବେ ପ୍ରଥମଥର ପାଇଁ ଦିନିକିଆ ଦଳରେ ସ୍ଥାନରେ ପାଇଛନ୍ତି। ବାଂଲାଦେଶ ବିପକ୍ଷ ଟି-୨୦ରେ ହ୍ୟାଟ୍ରିକ୍ ନେଇଥିବା ଦୀପକ ଚହର୍ ବର୍ଷକ ପରେ ଦିନିକିଆ ଦଳକୁ ଫେରିଛନ୍ତି ।
ସୂଚନାଯୋଗ୍ୟ, ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମେ ଟି-୨୦ ସିରିଜ୍ ଖେଳାଯିବ। ତିନୋଟି ଯାକ ଟି-୨୦ ଯଥା ମୁମ୍ବାଇ (ଡିସେମ୍ବର ୬), ଥିରୁଅନନ୍ତପୁରମ୍ (ଡିସେମ୍ବର ୮), ହାଇଦ୍ରାବାଦ (ଡିସେମ୍ବର ୧୧)ରେ ଖେଳିବ। ଏହା ପରେ ତିନୋଟି ଦିନିକିଆ ମ୍ୟାଚ୍ ଯଥା ଚେନ୍ନାଇ (ଡିସେମ୍ବର ୧୫), ବିଶାଖାପାଟଣା (ଡିସେମ୍ବର ୧୮) ଓ କଟକ (ଡିସେମ୍ବର ୨୨)ରେ ଖେଳାଯିବ।
ଦିନିକିଆ ସ୍କ୍ୱାଡ୍: ବିରାଟ୍ କୋହଲି (କ୍ୟାପଟେନ୍), ରୋହିତ୍ ଶର୍ମା, ଶିଖର ଧୱନ୍, ଲୋକେଶ ରାହୁଲ୍, ଶ୍ରେୟସ ଆୟର୍, ଋଷଭ ପନ୍ତ (ୱିକେଟକିପର), ଶିବମ ଦୁବେ, କେଦାର ଯାଦବ, ୟୁଜବେନ୍ଦ୍ର ଚହଲ୍, କୁଲଦୀପ ଯାଦବ, ଦୀପକ ଚହର୍, ମହମ୍ମଦ ଶାମି, ଭୁବନେଶ୍ୱର କୁମାର।
ଟି-୨୦ ସ୍କ୍ୱାଡ୍: ବିରାଟ୍ କୋହଲି (କ୍ୟାପଟେନ୍), ରୋହିତ୍ ଶର୍ମା, ଶିଖର ଧୱନ୍, ଲୋକେଶ ରାହୁଲ୍, ଶ୍ରେୟସ ଆୟର୍, ମନିଷ ପାଣ୍ଡେ, ଋଷଭ ପନ୍ତ (ୱିକେଟକିପର), ଶିବମ ଦୁବେ, ୟୁଜବେନ୍ଦ୍ର ଚହଲ୍, କୁଲଦୀପ ଯାଦବ, ଦୀପକ ଚହର୍, ମହମ୍ମଦ ଶାମି, ଭୁବନେଶ୍ୱର କୁମାର।