ଆଇପିଏଲରେ କମବ୍ୟାକ୍ କରିବେ କି ନାମୀ ଦଳ ଓ ଦାମୀ ଖେଳାଳି

ନୂଆଦିଲ୍ଲୀ: ରବିବାର ରେକର୍ଡ ରନ୍ ପିଛା କରି କିଙ୍ଗସ୍ ଇଲେଭେନ୍ ବିପକ୍ଷ ମ୍ୟାଚକୁ ରାଜସ୍ଥାନ ରୟାଲସ୍ କବଜା କରିନେବା ପରେ ଆଇପିଏଲର ପୂର୍ବ ଚମକ ଓ ରୋମାଞ୍ଚ ଫେରିଛି। ଏହା ପୂର୍ବରୁ ଅବଶ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷରେ ରାହୁଲ ଓ ଅଗ୍ରୱାଲଙ୍କ ବିସ୍ଫୋରକ ପ୍ରଦର୍ଶନ ଆଇପିଏଲ ପ୍ରଶଂସକଙ୍କୁ ଜବରଦସ୍ତ ମନୋରଞ୍ଜନ ଦେଇଥିଲା। ତେବେ ଚଳିତ ସିଜନର ଗୋଟିଏ ସପ୍ତାହ ପରେ ଟୁର୍ଣ୍ଣାମେଣ୍ଟର ଅଣ୍ଡରଡଗ୍ କୁହାଯାଉଥିବା କିଛି ଦଳ ଅପ୍ରତ୍ୟାଶିତ ସଫଳତା ପାଇ ପଏଣ୍ଟ ଟେବୁଲର ପ୍ରମୁଖ ସ୍ଥାନ […]

d

Hemant Lenka
  • Published: Monday, 28 September 2020
  • , Updated: 28 September 2020, 04:31 PM IST

ନୂଆଦିଲ୍ଲୀ: ରବିବାର ରେକର୍ଡ ରନ୍ ପିଛା କରି କିଙ୍ଗସ୍ ଇଲେଭେନ୍ ବିପକ୍ଷ ମ୍ୟାଚକୁ ରାଜସ୍ଥାନ ରୟାଲସ୍ କବଜା କରିନେବା ପରେ ଆଇପିଏଲର ପୂର୍ବ ଚମକ ଓ ରୋମାଞ୍ଚ ଫେରିଛି। ଏହା ପୂର୍ବରୁ ଅବଶ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷରେ ରାହୁଲ ଓ ଅଗ୍ରୱାଲଙ୍କ ବିସ୍ଫୋରକ ପ୍ରଦର୍ଶନ ଆଇପିଏଲ ପ୍ରଶଂସକଙ୍କୁ ଜବରଦସ୍ତ ମନୋରଞ୍ଜନ ଦେଇଥିଲା। ତେବେ ଚଳିତ ସିଜନର ଗୋଟିଏ ସପ୍ତାହ ପରେ ଟୁର୍ଣ୍ଣାମେଣ୍ଟର ଅଣ୍ଡରଡଗ୍ କୁହାଯାଉଥିବା କିଛି ଦଳ ଅପ୍ରତ୍ୟାଶିତ ସଫଳତା ପାଇ ପଏଣ୍ଟ ଟେବୁଲର ପ୍ରମୁଖ ସ୍ଥାନ ଅକ୍ତିଆର କରିଥିବାବେଳେ କିଛି ନାମୀ ଦଳ ଓ ଦାମୀ ଖେଳାଳି ଏଯାଏ ନିଜ ଖ୍ୟାତି ଅନୁସାରେ ପ୍ରଦର୍ଶନ ଦେଇ ପାରିନାହାନ୍ତି।

ଏହି ଚର୍ଚ୍ଚାର ସବୁଠାରୁ ଆଗରେ ରହିଛି କ୍ୟାପଟେନ୍ କୁଲଙ୍କ ଚେନ୍ନାଇ ସୁପର କିଙ୍ଗସ, ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଡେଭିଡ୍ ୱାର୍ଣ୍ଣରଙ୍କ ସନରାଇଜର୍ସ ହାଇଦ୍ରାବାଦ।

ଧୋନିଙ୍କ ସିଏସକେ ଏଯାଏ ତିନିଟି ମ୍ୟାଚ୍ ଖେଳି ଦୁଇଟିରେ ପରାଜୟ ବରଣ କରିଛି। ଅମ୍ବାତି ରାୟିଡୁଙ୍କ ଅନୁପସ୍ଥିତିରେ ଦଳର ଟପ୍ ଅର୍ଡର ରନ୍ ପାଇଁ ସଂଘର୍ଷ କରୁଥିବାବେଳେ ଜାଡେଜା ଓ ଚାୱଲାଙ୍କ ପ୍ରଦର୍ଶନ ମଧ୍ୟ ଗତ ଦୁଇ ମ୍ୟାଚରେ ନୈରାଶ୍ୟଜନକ ରହିଛି। ନିଜେ ଅଧିନାୟକ ଧୋନି ନିଜ ବ୍ୟାଟିଂ ଅର୍ଡରକୁ ନେଇ ଦ୍ୱନ୍ଦ୍ୱରେ ଥିବାବେଳେ ଦଳୀୟ ପ୍ରଦର୍ଶନକୁ ହିସାବକୁ ନେଲେ. ଏହି ତିନିଥର ଆଇପିଏଲ ବିଜେତା ଏଥର ପ୍ଲେ ଅଫ୍ ପର୍ଯ୍ୟାୟକୁ ଯିବ କି ନାହିଁ, ତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।

ସେହିପରି ଏଯାଏ ଆଶାନୁସାରେ ପ୍ରଦର୍ଶନ ଦେବାରେ ବିଫଳ ରହିଛି କୋହଲିଙ୍କ ବେଙ୍ଗାଲୁରୁ। ପ୍ରଥମ ମ୍ୟାଚରେ ପାଡ୍ଡିକଲ ବ୍ୟାଟିଂକୁ ନେଇ ଦଳର ଆଶା ବଢ଼ିଥିଲେ ହେଁ ପର ମ୍ୟାଚରେ ମଧ୍ୟକ୍ରମ ବିଶେଷ କରି କୋହଲିଙ୍କ ଦୁର୍ବଳ ପ୍ରଦର୍ଶନ ଦଳୀୟ ସଫଳତାକୁ ପ୍ରଶ୍ନ ଘେରରେ ରଖିଛି। ସ୍ପିଡ୍ ଷ୍ଟାରମାନେ ଏଯାଏ ଲୟକୁ ନଫେରିବା ଦଳ ପାଇଁ ପ୍ରମୁଖ ଚିନ୍ତା ହୋଇଛି। ସେପଟେ ଡେଭିଡ୍ ୱାର୍ଣ୍ଣରଙ୍କ ହାଇଦ୍ରାବାଦ ମଧ୍ୟ ଏଯାଏ ଉଭୟ ବ୍ୟାଟିଂ ଓ ବୋଲିଂରେ ଦର୍ଶକଙ୍କୁ ନିରାଶ କରିଛି।

ଏଥର ସିଜିନରେ ଉଲ୍ଲେଖନୀୟ ସଫଳତାର ପ୍ରଥମ ସ୍ଥାନରେ ଅଛି ଷ୍ଟିଭ୍ ସ୍ମିଥଙ୍କ ରାଜସ୍ଥାନ ରୟାଲସ। ଉଭୟ ଚେନ୍ନାଇ ଓ ପଞ୍ଜାବ ବିପକ୍ଷ ବିଜୟରେ ଶୀର୍ଷ କ୍ରମ ଓ ଟେଲ୍ ଏଣ୍ଡରଙ୍କ ବ୍ୟାଟ୍ ଗର୍ଜିବାରୁ ଦଳ ଦୁଇ ଶହ ରନ୍ ପରେ ସ୍କୋରିଂ କରିବାକୁ ସକ୍ଷମ ହୋଇଛି। ସିଜିନ ଆରମ୍ଭରୁ ଅଣ୍ଡର ଡଗ୍ କୁହାଯାଉଥି୍ବା ଏହି ଦଳ ଆଗକୁ ଟୁର୍ଣ୍ଣାମେଣ୍ଟର ଡାର୍କ ହର୍ସ ହେଲେ କେହି ଆଶ୍ଚର୍ଯ୍ୟ ଅବଶ୍ୟ ହେବେ ନାହିଁ।

ଏହା ପରେ ପ୍ରଦର୍ଶନ ଅନୁସାରେ ରହିଛି କେଏଲ ରାହୁଲଙ୍କ କିଙ୍ଗସ ଇଲେଭେନ୍ ପଞ୍ଜାବ। ଯଦିଓ ଦୁଇ ଶହରୁ ଅଧିକ ରନର ଟାର୍ଗେଟ ରଖି ସୁଦ୍ଧା ପ୍ରତିପକ୍ଷ ମ୍ୟାଚ୍ ଛଡ଼ାଇ ନେବା ଦଳୀୟ ବୋଲିଂ ଦୁର୍ବଳତାକୁ ପଦାରେ ପକାଇଛି, ତେବେ ରାହୁଲ, ମୟଙ୍କ୍, ପୂରନ୍ ଓ ମ୍ୟାକ୍ସୱେଲଙ୍କ ପ୍ରଦର୍ଶନ ବେଶ୍ ଦମଦାର ରହିଛି।

ଆଉ ଦଳୀୟ ସନ୍ତୁଳନ ଓ ସଫଳତା ଦୃଷ୍ଟିରୁ ଏଥର ସିଜିନରେ ସର୍ବାଗ୍ରେ ରହିଛି ଶ୍ରେୟସ ଆୟାରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ। ରାଜସ୍ଥାନ ରୟାଲସ ଭଳି ଏହି ଦଳ ଅଣ୍ଡର ଡଗର ମାନ୍ୟତାକୁ ଭୁଲ ପ୍ରମାଣିତ କରି ଏବେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ରବି ଅଶ୍ୱିନ ଓ ଇଶାନ୍ତ ଶର୍ମାଙ୍କ ବିନା ଦଳର ବୋଲିଂବାହିନୀ ଭଲ କରୁଥିବାବେଳେ ଶ୍ରେୟସ ଆୟାର, ପୃଥ୍ୱୀ ଶ ଓ ରିଷଭ ପନ୍ତ ମଧ୍ୟ ଭଲ ଫର୍ମରେ ଅଛନ୍ତି। ତେବେ ଦଳ ପାଇଁ ମୂଲ୍ୟବାନ ସଂପତ୍ତି ସାଜିଛନ୍ତି ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ ଓ ଦୁଇ ଦକ୍ଷିଣ ଆପ୍ରିକୀୟ ସ୍ପିଡ୍ ଷ୍ଟାର୍ ରାବଡା ଓ ନୋର୍ଜେ।

ଏମାନଙ୍କ ବ୍ୟତୀତ ମୁମ୍ବାଇ ଇଣ୍ଡିଆନସ ତା’ର ଚିରାଚରିତ ଶୈଳୀରେ ପରାଜୟରୁ ଅଭିଯାନ ଆରମ୍ଭ କରି ୱିନିଂ ଟ୍ରାକକୁ ଫେରିଛି ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟ ହାଇଦ୍ରାବାଦ ବିପକ୍ଷ ନିଜର ଦ୍ୱିତୀୟ ମ୍ୟାଚ ଜିତି ବିଜୟ ଅଭିଯାନ ଆରମ୍ଭ କରିଛି। ଉଭୟ ଦଳରେ କିଛି ବିସ୍ଫୋରକ ବ୍ୟାଟସମ୍ୟାନ ଥି୍ବାରୁ ଆଗାମୀ ପର୍ଯ୍ୟାୟରେ ଏହି ଦୁଇ ଦଳ ଶୀର୍ଷ ଚାରିକୁ ଯିବାର କ୍ଷମତା ରଖିଛନ୍ତି।

କିନ୍ତୁ ଷ୍ଟାର ଅଲରାଉଣ୍ଡର ତଥା ଆଇପିଏଲର ସବୁଠୁ ଦାମୀ ଖେଳାଳି ପ୍ୟାଟ୍ କମିନସ ଓ ଦୁର୍ଦ୍ଧର୍ଷ ଆଣ୍ଡ୍ରେ ରସେଲ୍ ଏଯାଏ ସେମାନଙ୍କ ଖ୍ୟାତି ଓ ନାଁ ଅନୁସାରେ ପ୍ରଦର୍ଶନି ଦେଇ ନାହାନ୍ତି। ଆଶା କରାଯାଉଛି ଚଳିତ ଆଇପିଏଲର ଏହି ସବୁ ଦାମୀ ଖେଳାଳି ଓ ନାମୀ ଦଳ ଖୁବଶୀଘ୍ର କମବ୍ୟାକ୍ କଲେ ଫଟାଫଟ୍ କ୍ରିକେଟର ମଜା ଆଗକୁ ଆହୁରି ଜମିବ।

Related story