ଏଡିଲେଡ୍‌ ଟେଷ୍ଟ୍‌: ବୃହତ ଅଗ୍ରଣୀ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ଏଡିଲେଡ୍‌: ଅଷ୍ଟ୍ରେଲିଆ ମାଟିରେ ଇତିହାସ ବଦଳାଇବା ଲକ୍ଷ୍ୟ ନେଇ ଏଡିଲେଡ୍‌ର ଓଭାଲ୍‌ ମଇଦାନକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆ ଧୀରେ ଧୀରେ ଦୃଢ଼ ସ୍ଥିତି ଅଭିମୁଖେ ଅଗ୍ରସର ହେଉଛି। ପ୍ରଥମ ଇନିଂସ୍‌ରେ ଅଷ୍ଟ୍ରେଲିଆ ଠାରୁ ୧୫ ରନ୍‌ରେ ଅଗ୍ରଣୀ ଥିବା ବିରାଟ୍‌ ବାହିନୀ ତୃତୀୟଦିନର ଖେଳ ଶେଷ ସୁଦ୍ଧା କମାଣ୍ଡିଂ ପୋଜିସନ୍‌ରେ ପହଞ୍ଚିଯାଇଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୨୩୫ ରନ୍‌ କରି ଅଲଆଉଟ୍‌ ହେବା ପରେ ଭାରତ ତା’ର ଦ୍ୱିତୀୟ ଇନିଂସ୍‌ ଖେଳ ଆରମ୍ଭ କରିଛି। ତୃତୀୟ ଦିନର […]

f2

Hemant Lenka
  • Published: Saturday, 08 December 2018
  • , Updated: 08 December 2018, 03:26 PM IST

ଏଡିଲେଡ୍‌: ଅଷ୍ଟ୍ରେଲିଆ ମାଟିରେ ଇତିହାସ ବଦଳାଇବା ଲକ୍ଷ୍ୟ ନେଇ ଏଡିଲେଡ୍‌ର ଓଭାଲ୍‌ ମଇଦାନକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆ ଧୀରେ ଧୀରେ ଦୃଢ଼ ସ୍ଥିତି ଅଭିମୁଖେ ଅଗ୍ରସର ହେଉଛି। ପ୍ରଥମ ଇନିଂସ୍‌ରେ ଅଷ୍ଟ୍ରେଲିଆ ଠାରୁ ୧୫ ରନ୍‌ରେ ଅଗ୍ରଣୀ ଥିବା ବିରାଟ୍‌ ବାହିନୀ ତୃତୀୟଦିନର ଖେଳ ଶେଷ ସୁଦ୍ଧା କମାଣ୍ଡିଂ ପୋଜିସନ୍‌ରେ ପହଞ୍ଚିଯାଇଛି।

ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୨୩୫ ରନ୍‌ କରି ଅଲଆଉଟ୍‌ ହେବା ପରେ ଭାରତ ତା’ର ଦ୍ୱିତୀୟ ଇନିଂସ୍‌ ଖେଳ ଆରମ୍ଭ କରିଛି। ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଟିମ୍‌ ଇଣ୍ଡିଆ ୩ ୱିକେଟ୍‌ ହରାଇ ୧୫୧ ରନ୍‌ କରିଛି। ଅର୍ଥାତ ଦଳ ଏବେ ୧୬୬ ରନ୍‌ରେ ଆଗୁଆ ରହିଛି। ତୃତୀୟ ଦିନ ଷ୍ଟମ୍ପ ଅପସାରଣ ବେଳକୁ ନିର୍ଭରଯୋଗ୍ୟ ଚେତେଶ୍ୱର ପୂଜରା ୪୦ ଓ ଅଜିଙ୍କ୍ୟ ରାହଣେ ୧ ରନ୍‌ କରି ଅପରାଜିତ ରହିଛନ୍ତି।

ପୂଜାରା ଓ ଅଧିନାୟକ ବିରାଟ୍‌ କୋହଲି ୭୧ ରନ୍‌ର ଭାଗୀଦାରି କରିଥିଲେ। ତେବେ ଖେଳ ଶେଷ ହେବାକୁ କିଛି ସମୟ ଥିବା ବେଳେ ବିରାଟ୍‌(୩୪)ଙ୍କୁ ଲିୟନ୍‌ ଆଉଟ୍‌ କରି ଦେଇଥିଲେ।

ଗତକାଲିର ୧୯୧/୭ରୁ ଆଜି ଅଷ୍ଟ୍ରେଲିଆ ଇନିଂସ୍‌ ଆରମ୍ଭ କରିଥିଲା। ଅର୍ଦ୍ଧଶତକ ହାସଲ କରି ଅପରାଜିତ ଟ୍ରାଭିସ୍‌ ହେଡ୍‌ ଦ୍ରୁତ ଗତିରେ ରନ୍‌ ସ୍କୋର କରିବାକୁ ଚାହିଁଥିଲେ। କିନ୍ତୁ ୧୫ ରନ୍‌ କରିଥିବା ମିଚେଲ୍‌ ଷ୍ଟାର୍କଙ୍କୁ ଯଶପ୍ରୀତ ବୁମ୍ରା ଆଉଟ୍‌ କରି ଦିବସର ପ୍ରଥମ ସଫଳତା ଦେଇଥିଲେ। ଏହାପରେ ଡ୍ରାଭିସ୍‌ ହେଡ(୭୨)ଙ୍କୁ ମହମ୍ମଦ ଶାମି ଆଉଟ୍‌ କରିଥିଲେ। ନାଥନ ଲିୟନ ୨୪ ରନ୍‌ କରିଥିବା ବେଳେ ଶେଷ ୱିକେଟ୍‌ ଭାବେ ଜୋସ୍‌ ହେଜେଲଉଡ୍‌ ଆଉଟ୍‌ ହୋଇଥିଲେ।

ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ଓ ରବିଚନ୍ଦ୍ରନ ଅଶ୍ୱିନ ୩ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ଇଶାନ୍ତ ଶର୍ମା ଓ ମହମ୍ମଦ ଶାମି ଦୁଇଟି ଲେଖାଏ ୱିକେଟ୍‌ ପାଇଛନ୍ତି। ଭାରତ ପ୍ରଥମ ଇନିଂସରେ ୨୫୦ ରନ୍‌ କରିଥିବା ବେଳେ ଅଷ୍ଟ୍ରେଲିଆ ୨୩୫ ରନ୍‌ କରିଥିଲା। ଫଳରେ ବିରାଟ୍‌ ବାହିନୀକୁ ଗୁରୁତ୍ୱପୂର୍ଣ୍ଣ ୧୫ ରନ୍‌ର ଲିଡ୍‌ ମିଳିଥିଲା।

ଭାରତ ତା’ର ଦ୍ୱିତୀୟ ଇନିଂସ୍‌ ବେଶ ସତର୍କତାର ସହ ଆରମ୍ଭ କରିଥିଲା। ଦୁଇ ଓପନର୍‌ ଲୋକେଶ ରାହୁଲ ଓ ମୁରଲୀ ବିଜୟ ଅଷ୍ଟ୍ରେଲୀୟ ପେସ୍‌ ଆଟାକ୍‌କୁ ସାହାସିକତାର ସହ ମୁକାବିଲା କରିଥିଲେ। ତେବେ ମ୍ୟାଚ୍‌ର ୬ ଓଭର୍‌ ପରେ ଲୋକେଶ ରାହୁଲ ବଡ଼ ଶଟ୍‌ ଖେଳିବା ଆରମ୍ଭ କରିଥିଲେ। ବିଜୟ ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ। ଉଭୟ ପ୍ରଥମ ୱିକେଟ୍‌ ପାଇଁ ୬୩ ରନ୍‌ର ଭାଗୀଦାରି କରିଥିଲେ।

ତେବେ ୧୮ ରନ୍‌ କରିଥିବା ମୁରଲୀ ବିଜୟଙ୍କୁ ମିଚେଲ୍‌ ଷ୍ଟାର୍କ ଆଉଟ୍‌ କରି ଦଳକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ ଜୋଶ ହେଜେଲଉଡ ୪୪ ରନ୍‌ କରିଥିବା ରାହୁଲଙ୍କୁ ମଧ୍ୟ ଆଉଟ୍‌ କରିଦେଇଥିଲେ। ୭୬ ରନ୍‌ରେ ୨ ୱିକେଟ୍‌ ହରାଇ ଟିମ୍‌ ଇଣ୍ଡିଆ ସାମାନ୍ୟ ଅଡ଼ୁଆରେ ପଡ଼ିଥିଲା। କିନ୍ତୁ ଟେଷ୍ଟ ସ୍ପେଶାଲିଷ୍ଟ ପୂଜାରା ଓ ଅଧିନାୟକ ବିରାଟ୍‌ ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଉଭୟ ୩ୟ ୱିକେଟ୍‌ ପାଇଁ ୭୧ ରନ୍‌ର ଭାଗୀଦାରି କରି ଲିଡ୍‌କୁ ୧୦୦ ପାର୍‌ କରାଇଥିଲେ।

ତେବେ ମ୍ୟାଚ୍‌ ଶେଷ ଆଡ଼କୁ ୩୪ ରନ୍‌ କରିଥିବା ବିରାଟ୍‌ଙ୍କୁ ଆରୋନ୍‌ ଫିଞ୍ଚଙ୍କ ହାତରେ କ୍ୟାଚ୍‌ ଆଉଟ୍‌ କରାଇ ନାଥନ ଲିୟନ୍‌ ରନ ସଂଗ୍ରହ ଗତିରେ କିଛିଟା ଅଙ୍କୁଶ ଲଗାଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ରାହଣେ ବେଶ ସତର୍କତାର ସହ ଖେଳ ପ୍ରଦର୍ଶନ କରି ଆଉ କୌଣସି କ୍ଷତି ଘଟାଇବାକୁ ସୁଯୋଗ ଦେଇ ନଥିଲେ। ଦଳ ପାଖରେ ଆଉରୁ ୭ଟି ୱିକେଟ୍‌ ଥିବାରୁ ଟିମ୍‌ ଇଣ୍ଡିଆ ନିଶ୍ଚିତ ଭାବେ ବଡ଼ ଅଗ୍ରଣୀ ପାଇବା ଲକ୍ଷ୍ୟରେ ରହିବ।

Related story