ମେଲବର୍ଣ୍ଣ: ଚଳିତ ମହିଳା ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜର ଫାଇନାଲକୁ ଅବତୀର୍ଣ୍ଣ ହୋଇଛନ୍ତି ଭାରତ ଓ ଅଷ୍ଟ୍ରେଲିଆ। ରବିବାର ଅନୁଷ୍ଠିତ ଅନ୍ତିମ ଲିଗ୍ ମ୍ୟାଚରେ ଘରୋଇ ଅଷ୍ଟ୍ରେଲିଆ ୧୬ ରନରେ ଇଂଲଣ୍ଡକୁ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଛି। ଫାଇନାଲରେ ପହଞ୍ଚିବା ପାଇଁ ଅଷ୍ଟ୍ରେଲିଆକୁ ନିଶ୍ଚିତ ବିଜୟର ଆବଶ୍ୟକ ହେଉଥିଲା।
ସିରିଜରେ ଭାଗ ନେଇଥିବା ତିନୋଟି ଯାକ ଦଳ ଦୁଇଟି ଲେଖାଏ ମ୍ୟାଚ୍ ଜିତିଥିଲେ ହେଁ, ପଏଣ୍ଟ ଆଧାରରେ ଭାରତ ଓ ଅଷ୍ଟ୍ରେଲିଆ ଶୀର୍ଷ ଦୁଇଟି ସ୍ଥାନରେ ରହି ଫାଇନାଲରେ ପ୍ରବେଶ କରିଛନ୍ତି। ଉକ୍ତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୨ ରନ୍ କରିଥିଲା। ଦଳ ପକ୍ଷରୁ ବେଥ୍ ମୁନୀ ସର୍ବାଧିକ ୫୦ ରନ୍ କରିଥିବା ବେଳେ ରାଚେଲ୍ ହାନେସ୍ ୨୪, କ୍ୟାପଟେନ୍ ମେଗ୍ ଲାନିଙ୍ଗ୍ ୧୨, ସୋଫି ମୋଲିନକ୍ସ ୧୧ ଓ ଆଶଲେ୍ ଗାର୍ଡନର୍ ୧୦ ରନ୍ କରିଥିଲେ।
ଇଂଲଣ୍ଡ ପକ୍ଷରୁ ସୋଫି ଇକ୍ଲେଷ୍ଟୋନ୍ ଓ ସାରା ଗ୍ଲେନ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ। ଜବାବରେ ଅଷ୍ଟ୍ରେଲିଆ ବୋଲରମାନେ ଜବରଦସ୍ତ ବୋଲିଂ କରି ଇଂଲଣ୍ଡ ଟିମକୁ ୨୦ ଓଭର ୭ ୱିକେଟରେ ୧୧୬ ରନରେ ରୋକିଥିଲେ। ଇଂଲଣ୍ଡ ପକ୍ଷରୁ କ୍ୟାଥରିନ୍ ବ୍ରଣ୍ଟ୍ ଅପରାଜିତ ୨୩ ଓ ଲରେନ୍ ୱିନଫିଲ୍ଡ ୨୩ ରନ୍ କରି ଆଉଟ୍ ହୋଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ମୋଲିନକ୍ସ ୩ଟି ଓ ଟାୟଲା ଭ୍ଲାମିନକ୍ ୨ଟି ୱିକେଟ୍ ନେଇଥିଲେ। ମଙ୍ଗଳବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।