ଭୁବନେଶ୍ୱର: ମେୟର ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ଆସିଥିବା ଭିଡିଓ ଓ ଇଂଜିନିୟରିଂ ଛାତ୍ର ରିଷି ମୃତ୍ୟୁ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି। ଏହାର ପ୍ରତିବାଦରେ ଆସନ୍ତାକାଲି ସକାଳ ୧୦ଟାରୁ ପୂର୍ବହ୍ନ ୧୨ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଏନ୍ଏସି ଓ ପୌରାଞ୍ଚଳରେ ବିଜେପି ପକ୍ଷରୁ ଚକା ଜାମ୍ କରାଯିବ ବୋଲି ଚେତାବନୀ ଦିଆଯାଇଛି। ରିଷି ମୃତ୍ୟୁ ଘଟଣାର ତଦନ୍ତ ପ୍ରକ୍ରିୟାକୁ ଆଉଥରେ ଆରମ୍ଭ କରିବା ସହ କେନ୍ଦ୍ରୀୟ ଫରେନସେକ୍ ଲ୍ୟାବରେ ଭିଡିଓ କ୍ଲିପ୍ର ଯାଞ୍ଚ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ହରିଚନ୍ଦନ କହିଛନ୍ତି,“ବିଜେଡିର ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆସିଛି। ଏହାସହ ଜଣେ ଛାତ୍ରାଙ୍କୁ ହତ୍ୟା କରିବାର ଅଭିଯୋଗ ମଧ୍ୟ ଆସିଛି। ପୋଲିସ ଏହି ଘଟଣାକୁ ଚାପି ଦେଇ ଏକ ଅପମୃତ୍ୟୁ ମାମଲା କରିଥିଲା। ଏହି ହତ୍ୟା ଘଟଣାର ଆଉଥିରେ ତଦନ୍ତ କରାଯିବାକୁ ବିଜେପି ପୋଲିସ କମିନରଙ୍କ ନିକଟରେ ଦାବି କରିବା ସହ ଆନ୍ଦୋଳନ ପ୍ରକ୍ରିୟା ଜାରି ରଖିଛି।”
ସେ କହିଛନ୍ତି,“ରିଷି ମୃତ୍ୟୁର ଆଉ ଥରେ ତଦନ୍ତ କରାଯାଉ। ଯେଉଁ ବିବାଦୀୟ ଭିଡିଓ କଥା ଉଠିଛି ଏହା ସତ କି ମିଛ ଜାଣିବାକୁ ଏକ କେନ୍ଦ୍ରୀୟ ଲାବୋରେଟୋରୀରେ ଏହାର ଯାଞ୍ଚ କରାଯାଉ। ନୟାଗଡ଼ର ଛବି ହତ୍ୟାକାଣ୍ଡଠାରୁ ଆରମ୍ଭ କରି ବିଭିନ୍ନ ହତ୍ୟାରୁ ନେତାମାନଙ୍କୁ ସୁରୁଖୁରୁରେ ଖସାଇ ଦିଆଯିବାର ବହୁ ନଜିର ରହିଛି। ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରି ଭିଡିଓ କ୍ଲିପିଂ ଓ ହତ୍ୟା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ।”
ସେ ଆହୁରି କହିଛନ୍ତି,“ଗତକାଲି କୋର୍ଟ କିଛିଦିନ ପାଇଁ ଡିଭିଓର ପ୍ରସାରଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ପରେ ବିଜେଡି ନେତାମାନେ ଆମର ବିଜୟ ହେଲା ବୋଲି କହିଥିଲେ। ଏହା ସ୍ପଷ୍ଟ କରୁଛି, ବିଜେଡି ନେତା ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି। ସେହିପରି ଏହି ଭିଡିଓ ଯେଉଁ ଯେଉଁ ମାଧ୍ୟରେ ଆସିଥିଲା ପୋଲିସ ସେମାନଙ୍କୁ ଧମକ ଦେବା ଆରମ୍ଭ କରିଛି। ଏହାର ପ୍ରତିବାଦରେ ଆମ ଆନ୍ଦୋଳନ ଜାରି ରହିବ। ଆନ୍ଦୋଳନକୁ ପ୍ରତିଦିନରେ ପରିଣତ କରାଯିବ। ଆବଶ୍ୟକ ହେଲେ ଭୁବନେଶ୍ୱର ବନ୍ଦ କରାଯିବ। ନବୀନ ସରକାରଙ୍କ ନିଦ ନ ଭାଙ୍ଗିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ।”
ସେ କହିଛନ୍ତି,“ରିଷିଙ୍କୁ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ଉକ୍ତ ଭିଡିଓ ପ୍ଲିପିଂ ସହ ଜଡିତ। ଏଥିରେ ବିଜେଡି ନେତାଙ୍କ ସମ୍ପୂର୍ଣ୍ଣ ସମ୍ପୃକ୍ତି ଅଛି। ମୁଖ୍ୟମନ୍ତ୍ରୀ ଯଦି ନିଜେ ଭାବୁଛନ୍ତି ତାଙ୍କ ଦଳର ନେତା ଏଥିରେ ସମ୍ପୃକ୍ତ ଅଛିନ୍ତି, ତେବେ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରନ୍ତୁ।”
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,“ମେୟରଙ୍କ ବିରୋଧରେ ଆସିଥିବା ଅଭିଯୋଗ ଗମ୍ଭୀର, ଏଥିରେ ଆଧାର ଥିଲେ ଏହା ଚିନ୍ତାଜନକ। ରିଷିଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ସୃଷ୍ଟି ହୋଇଛି। ଏନେଇ ସ୍ଥାନୀୟ ଅନୁସନ୍ଧାନକାରୀ ସଂସ୍ଥା ଯଥେଷ୍ଟ ଗୁରୁତ୍ୱ ଦେଇନାହିଁ। ମାମଲା ରଫାଦଫା ପାଇଁ ଯୋଜନା ହୋଇଛି। ପରେ ଏନେଇ ବିତର୍କ ହେବା ପରେ ଘଟଣା ପଦାକୁ ଆସିଛି।”
ସେ କହିଛନ୍ତି,“ଘଟଣାରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି। ଉଚିତ ଅନୁସନ୍ଧାନ ନ ହେଲେ ବ୍ୟବସ୍ଥା ଉପରୁ ଲୋକଙ୍କ ଆସ୍ଥା ତୁଟିଯିବ।”
ବିଜେଡି ମଧ୍ୟ ଏହି ଘଟଣା ଉପରେ ପ୍ରତିକ୍ରିୟା ରଖିଛି। ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି,“ଘଟଣାର ତଦନ୍ତ ଚାଲିଛି। ମେୟର ଦୋଷୀ ବୋଲି ପ୍ରମାଣିତ ହେଲେ ମୁଖ୍ୟମନ୍ତ୍ରୀ ନିଶ୍ଚିତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।”
ସନ୍ଧ୍ୟାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ମେୟରଙ୍କ ବାସଭବନ ଘେରାଉ ପାଇଁ ଉଦ୍ୟମରେ ବେଳେ ପୋଲିସ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। କର୍ମୀମାନେ ରାଜମହଲ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ପୋଲିସ ସହ ଧସ୍ତାଧସ୍ତି କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।