ଆସନ୍ତାକାଲିଠାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ରାଜ୍ୟର ୭୨ ହଜାର ଶିକ୍ଷା ସହାୟକ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ରାଜ୍ୟର ୭୨ ହଜାର ଶିକ୍ଷା ସହାୟକ। କାମ ବନ୍ଦ କରି ଶିକ୍ଷା ସହାୟକମାନେ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣା ଦେବେ। ନିୟମିତ ଶିକ୍ଷକ ପଦବିରେ ନିଯୁକ୍ତି, ଗ୍ରେଡ୍ ପେ’ ଓ ଇନ୍କ୍ରିମେଣ୍ଟ ଭଳି ୬ ଦଫ। ଦାବିରେ ଏହି ଆନ୍ଦୋଳନ କରାଯିବ। ଆଜି ଶିକ୍ଷା ସହାୟକ ଓ ଅର୍ଥମନ୍ତ୍ରୀ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଦାବି ସଂପର୍କରେ ବିଚାର ପାଇଁ ସରକାର ଏକ ମାସ ସମୟ ମାଗିଥିଲେ। ତେବେ ଶିକ୍ଷା ସହାୟକମାନେ ଏହାକୁ ଗ୍ରହଣ କରିନାହାନ୍ତି। ପୂର୍ବରୁ ଗତ ଅଗଷ୍ଟ ମାସରେ ମଧ୍ୟ ସରକାର ଏକ ମାସ ସମୟ ନେଇ କୌଣସି ପଦକ୍ଷେପ ନେଇ ନ ଥିବାରୁ ସରକାରଙ୍କ ପ୍ରସ୍ତାବରେ ଶିକ୍ଷା ସହାୟକ ରାଜି ହୋଇ ନ ଥିଲେ।

ଓଡ଼ିଶା ଶିକ୍ଷା ସହାୟକ ସଂଘ ସଭାପତି ସୁନୀଲ କୁମାର ପ୍ରଧାନ କହିଛନ୍ତି ଯେ ସରକାର ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କିଛି କଲେନି। ଆଜି ପୁଣି ଏକ ମାସ ସମୟ ମାଗିଲେ। ଏହାକୁ ସଂଘ ଗ୍ରହଣ କରି ନାହିଁ। ତେଣୁ ଆସନ୍ତାକାଲିଠାରୁ ଶିକ୍ଷା ସହାୟକମାନେ କାର୍ଯ୍ୟ ବନ୍ଦ କରି ପୁଣି ଆନ୍ଦୋଳନରେ ବସିବେ।