ସାଂସଦଙ୍କ ନେତାଗିରି, ମୁଣ୍ଡ ବୁଲେଇଲା ଘିରିଘିରି !

ନୂଆ କରି ରାଜ୍ୟସଭାକୁ ଯାଇଥିବା ବିଜେଡିର ଜଣେ ସାଂସଦଙ୍କ ନେତାଗିରିକୁ ନେଇ ଦଳରେ ଏବେ ଚର୍ଚ୍ଚା। ଏହି ସାଂସଦଙ୍କୁ ଭବ୍ୟ ସମ୍ୱର୍ଦ୍ଧନା ନମିଳିବାରୁ ସିଏ କୁଆଡେ଼ ଖପ୍ପା ହୋଇ ତାଙ୍କୁ ନ୍ୟସ୍ତ ହୋଇଥିବା ସାଂଗଠନିକ କାର୍ଯ୍ୟ ତୁଲାଇବାକୁ ଅନିଚ୍ଛା ପ୍ରକାଶ କରିଥିବା ଶୁଣିବାକୁ ମିଳୁଛି। ଚର୍ଚ୍ଚା ହେଉଛି, ବିଜେଡି ଟିକେଟ୍‌ରେ ରାଜ୍ୟସଭାକୁ ନିର୍ବାଚିତ ହେବାର କିଛିଦିନ ପରେ ଏହି ସାଂସଦଙ୍କୁ କୁଆଡେ଼ ୨ଟି ଜିଲ୍ଲାର ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଇବାକୁ ଦଳ ପକ୍ଷରୁ ନିଯୁକ୍ତି ମିଳିଥିଲା। ଆଉ ବାବୁ […]

achyuta

Ordigital Desk
  • Published: Tuesday, 17 July 2018
  • , Updated: 17 July 2018, 08:53 PM IST

ନୂଆ କରି ରାଜ୍ୟସଭାକୁ ଯାଇଥିବା ବିଜେଡିର ଜଣେ ସାଂସଦଙ୍କ ନେତାଗିରିକୁ ନେଇ ଦଳରେ ଏବେ ଚର୍ଚ୍ଚା। ଏହି ସାଂସଦଙ୍କୁ ଭବ୍ୟ ସମ୍ୱର୍ଦ୍ଧନା ନମିଳିବାରୁ ସିଏ କୁଆଡେ଼ ଖପ୍ପା ହୋଇ ତାଙ୍କୁ ନ୍ୟସ୍ତ ହୋଇଥିବା ସାଂଗଠନିକ କାର୍ଯ୍ୟ ତୁଲାଇବାକୁ ଅନିଚ୍ଛା ପ୍ରକାଶ କରିଥିବା ଶୁଣିବାକୁ ମିଳୁଛି।

ଚର୍ଚ୍ଚା ହେଉଛି, ବିଜେଡି ଟିକେଟ୍‌ରେ ରାଜ୍ୟସଭାକୁ ନିର୍ବାଚିତ ହେବାର କିଛିଦିନ ପରେ ଏହି ସାଂସଦଙ୍କୁ କୁଆଡେ଼ ୨ଟି ଜିଲ୍ଲାର ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଇବାକୁ ଦଳ ପକ୍ଷରୁ ନିଯୁକ୍ତି ମିଳିଥିଲା। ଆଉ ବାବୁ ସେହି ଜିଲ୍ଲାକୁ ଯିବା ପାଇଁ ନିଜର ଗସ୍ତ କାର୍ଯ୍ୟସୂଚୀ ଚୂଡ଼ାନ୍ତ କରି ତାଙ୍କୁ ଯେଭଳି ବିଭିନ୍ନ ସ୍ଥାନରେ ସମ୍ୱର୍ଦ୍ଧନା ଦିଆଯିବ ତା’ର ଖସଡ଼ା ପ୍ରସ୍ତୁତ କରିଥିଲେ। ଏଥିପାଇଁ ସାଂସଦଙ୍କ ଅଫିସ୍ ପକ୍ଷରୁ କୁଆଡେ଼ ଦଳର ଜିଲ୍ଲା ପଦାଧିକାରୀଙ୍କୁ ଆନୁଷ୍ଠାନିକ ଚିଠି ମଧ୍ୟ ଯାଇଥିଲା। କିନ୍ତୁ ସମ୍ପୃକ୍ତ ସାଂସଦ ବାଟ ତମାମ୍ ଏଭଳି ଭବ୍ୟ ସମ୍ୱର୍ଦ୍ଧନା ନେବା ପାଇଁ କରିଥିବା ପ୍ରସ୍ତୁତି ବିଷୟରେ ସେହି ଜିଲ୍ଲାର ପର୍ଯ୍ୟବେକ୍ଷକ ଜାଣିବା ପରେ କୁଆଡ଼େ ସେଥିରେ ବାଧକ ସାଜିଥିଲେ। ସିଏ ସିଧାସଳଖ ସାଂସଦଙ୍କୁ କିଛି ନ କହି ତୃତୀୟ ମହଲାରେ କୁଆଡେ଼ ଏ ନେଇ ଫେରାଦ ହୋଇଥିଲେ। ଏଭଳି ପରମ୍ପରା ବିଜେଡିରେ ନାହିଁ କହି କୁଆଡ଼େ ସମ୍ପୃକ୍ତ ସାଂସଦଙ୍କୁ ଏଭଳି କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ ତୃତୀୟ ମହଲା ତାଗିଦ୍ କରିଥିଲା। ଆଉ ଏହାପରେ ସାଂସଦଙ୍କ ସମ୍ୱର୍ଦ୍ଧନା ନିଶା ଖସି ଯାଇଥିଲା। ସେ ନିର୍ଦ୍ଧାରିତ ତାରିଖରେ ସେ ନିଯୁକ୍ତି ପାଇଥିବା ଜିଲ୍ଲା ଗସ୍ତରେ ଯାଇଥିଲେ ମଧ୍ୟ ସେଠାରେ ସାଂସଦଙ୍କୁ ବିଶେଷ ଗୁରୁତ୍ୱ ମିଳି ନଥିଲା। ଖାସ୍ ଏହି କାରଣରୁ ଗତ ସପ୍ତାହରେ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ଯେଉଁ ବୈଠକ ଡାକିଥିଲେ ସେଥିରେ ସାଂସଦ କୁଆଡ଼େ ଯୋଗ ଦେଇନଥିଲେ। ସାଂସଦଙ୍କୁ ଜିଲ୍ଲା ସଂଗଠନରୁ ଦୂରେଇ ରଖିବାକୁ କୁଆଡ଼େ ତୃତୀୟ ମହଲାର ଗୁଡ୍‌ ବୁକ୍‌ରେ ଥିବା ଜିଲ୍ଲାର ପର୍ଯ୍ୟବେକ୍ଷକ ନିଜର ଗୋଟି ଚାଳନା କରିବାରେ ଲାଗିଛନ୍ତି। ନେତାଗିରି ଦେଖାଇବାକୁ ଚାହିଁ ବିଫଳ ହେବା ପରେ ସାଂସଦ ଜଣକ କୁଆଡେ଼ ନିଜର ବ୍ୟକ୍ତିଗତ କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦେଉଥିବା ଚର୍ଚ୍ଚା ହେଉଛି।

Related story