ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ମେୟର ତଥା ବିଜେଡି ନେତା ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ଆସିଛି ଯୌନ କେଳେଙ୍କାରୀ ଅଭିଯୋଗ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓକୁ ଆଧାର କରି ଛାତ୍ର କଂଗ୍ରେସ ପକ୍ଷରୁ ଏହି ଅଭିଯୋଗ କରାଯାଇଛି।
ୟୁଟ୍ୟୁବରେ ଛଡା ଯାଇଥିବା ଭିଡିଓକୁ ଆଧାର କରି ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ଏହି ଅଭିଯୋଗ କରିବା ସହ ମେୟରଙ୍କ ଇସ୍ତଫା ଓ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ସେ କହିଛନ୍ତି,“ୟୁଟ୍ୟୁବରେ ନିଆଁଖୁଣ୍ଟା ଡଟ୍ କମ୍ର ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ମେୟର ଜେନାଙ୍କ ଯୌନ କେଳେଙ୍କାରୀଠାରୁ ଆରମ୍ଭ କରି ଛାତ୍ର କଂଗ୍ରେସ ସଦସ୍ୟ ଋଷିଙ୍କ ମୃତ୍ୟୁ ପଛରେ ତାଙ୍କ ହାତ ଥିବା ପ୍ରମାଣ କରୁଛି। ସେ ଇସ୍ତଫା ଦିଅନ୍ତୁ।”
ଭାଇରାଲ ହୋଇଥିବା ଭିଡିଓରୁ ପ୍ରାୟ ସାଢେ ୩ ମିନିଟର କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟ ରହିଛି। ଏଥିରେ ଦୁଇଜଣ ପୁରୁଷଙ୍କ ସହ ଜଣେ ମହିଳା ଅଛନ୍ତି। ମୋବାଇଲରେ ସେମାନଙ୍କ ଭିଡିଓ ରେକର୍ଡିଂ କରାଯାଇଥିବା ଅନୁମାନ କରାଯାଉଛି।
ଏହାସହ ଇଂଜିନିୟରିଂ ଛାତ୍ର ଋଷିଙ୍କ ମୃତ୍ୟୁ ପଛରେ ଅନନ୍ତ ନାରାୟଣ ଜେନାଙ୍କ ହାତ ଥିବା ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।
ତେବେ ଏପରି ଅଭିଯୋଗକୁ ମେୟର ଜେନା ଖଣ୍ଡନ କରିଛନ୍ତି। “ଭିଡିଓରେ ଥିବା ବ୍ୟକ୍ତି ଜଣଙ୍କ ମୁଁ ନୁହେଁ। ଏଥିରେ ମୋର ଦୁଃଖ କରିବାର ନାହିଁ, ଏହା ଭିତ୍ତିହୀନ” ବୋଲି ସେ କହିଛନ୍ତି।
ମେୟରଙ୍କ ଯୌନ କେଳେଙ୍କାରୀ ଅଭିଯୋଗ ପ୍ରସଙ୍ଗ ଆଜି ବିଧାନସଭାରେ ମଧ୍ୟ ଉଠିଥିଲା। ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ପଏଣ୍ଟ ଅଫ୍ ଅର୍ଡ ଜରିଆରେ ଏହି ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ,“ଭୁବନେଶ୍ୱର ମେୟର ଝିଅମାନଙ୍କ ସହ ଯେଉଁ କେଳେଙ୍କାରୀ କରୁଥିଲେ ବିଭିନ୍ନ ଚ୍ୟାନେଲରେ ଦେଖିବାକୁ ମିଳୁଛି। ମାଆକୁ ସମ୍ମାନ କଥା ବିଜେଡି କହୁଛି। ଏବେ ନବୀନ ବାବୁ କାହିଁକି ଚୁପ ହୋଇ ବସିଛନ୍ତି। ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ। ମେୟର ତୁରନ୍ତ ଇସ୍ତଫା ଦିଅନ୍ତୁ ଓ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।”
ବିଜେପି ବିଧାୟକ ବରି ନାଏକ କହିଥିଲେ,“ଭୁବନେଶ୍ୱରର ଏକ ନମ୍ବର ନାଗରିକ ହୋଇ ମେୟର ଝିଅ ବୋହୁଙ୍କ ସହ ଯେପରି କେଳେଙ୍କାରୀ କରୁଛନ୍ତି ଏହା ପ୍ରମାଣ କରୁଛି ଏ ସରକାର ଗୋଟିଏ କଥା କହୁଛି ଆଉ ଗୋଟେ କାମ କରୁଛି। ଏତେ ଅହଙ୍କାର ହୋଇଯାଇଛି ମାଆ, ବୋହୁଙ୍କ ଇଜ୍ଜତ ଲୁଟିବାକୁ ପଛାଉ ନାହାନ୍ତି।”
ଅନ୍ୟପକ୍ଷରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ମେୟରଙ୍କ ଇସ୍ତଫା ଦାବି କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ବିଜେପି ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ ଏହି ଦାବି କରିଛନ୍ତି। ସେ କହିଛନ୍ତି,“ଆଜି ମଧ୍ୟରେ ମେୟର ଇସ୍ତଫା ଦିଅନ୍ତୁ, ନ ହେଲେ ଆସନ୍ତାକାଲି ଆମେ କମିଶନରେଟ୍ ଅଫିସ ଆଗରେ ବିକ୍ଷୋଭ କରିବୁ।”
କଂଗ୍ରେସ ପକ୍ଷରୁ ମେୟରଙ୍କ ନାଁରେ କ୍ୟାବିଟାଲ ଥାନାରେ ଏତଲା ଦିଆଯାଇଛି। କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା ଏହି ଏତଲା ଦେଇଛନ୍ତି।
ଭିଡିଓ ଛାଡିଥିବା ନିଆଖୁଣ୍ଟା ଡଟ୍ କମ୍ ପ୍ରୋପାଇଟର ପ୍ରଦୀପ ପାଣ୍ଡେ ଏବଂ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଛାତ୍ର କଂଗ୍ରେସ ସଭାପତି ଇତୀଶଙ୍କ ବିରୋଧରେ ମେୟର କ୍ୟାପିଟାଲ ଥାନାରେ ପାଲଟା ଅଭିଯୋଗ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।