ବ୍ରହ୍ମପୁତ୍ରରୁ ମହାନଦୀ ଭରିବାକୁ କେନ୍ଦ୍ରର ପରିକଳ୍ପନା

ଭୁବନେଶ୍ୱର: ବ୍ରହ୍ମପୁତ୍ର ଜଳରେ ମହାନଦୀକୁ ଭରିବାକୁ ପରିକଳ୍ପନା କରାଯାଇଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାପ ପକା ଆରମ୍ଭ ହୋଇଛି। ଛତିଶଗଡ଼ ପ୍ରକଳ୍ପ ଯୋଗୁଁ ମହାନଦୀ ଶୁଖିଯିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ନଦୀ ସଂଯୋଗୀକରଣକୁ ନେଇ ଏହି ପରିକଳ୍ପନା ପଦାକୁ ଆସିଛି। ମହାନଦୀ-ଗୋଦାବରୀ ନଦୀ ସଂଯୋଗୀକରଣ ପ୍ରସଙ୍ଗରେ ମହାନଦୀ ଜଳ ବଳକା ନୁହେଁ ବୋଲି ରାଜ୍ୟ ସରକାର ଯୁକ୍ତି ରଖିବା ପରେ ବ୍ରହ୍ମପୁତ୍ରରୁ ମହାନଦୀକୁ ପାଣି ଆଣିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। ମହାନଦୀ ଓ […]

mahanadi

Rakesh Mallick
  • Published: Monday, 02 January 2017
  • , Updated: 02 January 2017, 09:32 PM IST

ଭୁବନେଶ୍ୱର: ବ୍ରହ୍ମପୁତ୍ର ଜଳରେ ମହାନଦୀକୁ ଭରିବାକୁ ପରିକଳ୍ପନା କରାଯାଇଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାପ ପକା ଆରମ୍ଭ ହୋଇଛି। ଛତିଶଗଡ଼ ପ୍ରକଳ୍ପ ଯୋଗୁଁ ମହାନଦୀ ଶୁଖିଯିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ନଦୀ ସଂଯୋଗୀକରଣକୁ ନେଇ ଏହି ପରିକଳ୍ପନା ପଦାକୁ ଆସିଛି।

ମହାନଦୀ-ଗୋଦାବରୀ ନଦୀ ସଂଯୋଗୀକରଣ ପ୍ରସଙ୍ଗରେ ମହାନଦୀ ଜଳ ବଳକା ନୁହେଁ ବୋଲି ରାଜ୍ୟ ସରକାର ଯୁକ୍ତି ରଖିବା ପରେ ବ୍ରହ୍ମପୁତ୍ରରୁ ମହାନଦୀକୁ ପାଣି ଆଣିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି।

ମହାନଦୀ ଓ ଗୋଦାବରୀ ନଦୀ ସଂଯୋଗୀକରଣ ପାଇଁ କେନ୍ଦ୍ର ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇ ଆସୁଥିଲେ। ମହାନଦୀ ବେସିନ୍‌ରେ ଅଧିକ ଜଳ ନ ଥିବା ଦର୍ଶାଇ ରାଜ୍ୟ ସରକାର ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ଗତ ନଭେମ୍ବରରେ ନୂଆଦିଲ୍ଲୀରେ ଏନେଇ ବସିଥିଲା ସ୍ପେଶାଲ କମିଟି ବୈଠକ। ମହାନଦୀରେ ଜଳ ବଳକା ହେଉ ନ ଥିବାରୁ ବ୍ରହ୍ମପୁତ୍ର ନଦୀରୁ ମହାନଦୀକୁ ଜଳ ନେବାକୁ ଏଥିରେ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲେ।

ତେବେ କେନ୍ଦ୍ରର ଏହି ପ୍ରସ୍ତାବ ସମ୍ପର୍କରେ ରାଜ୍ୟ ସରକାର ଅବଗତ ନ ଥିବା ଦର୍ଶାଇଥିଲେ। ରାଜ୍ୟ ସରକାରଙ୍କୁ ଅନ୍ଧାରରେ ରଖି ଏଭଳି ପ୍ରସ୍ତାବ ପରିକଳ୍ପନା କରାଯାଇଥିବା ରାଜ୍ୟ ଜଳସମ୍ପଦ ସଚିବ ଯୁକ୍ତି ରଖିଥିଲେ। ଅନ୍ୟପକ୍ଷରେ ୨୦୧୬ ଫେବୃଆରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏ ନେଇ ଅବଗତ କରାଯାଇଥିବା ନ୍ୟାସନାଲ ୱାଟର ଡେଭଲପମେଣ୍ଟ ଏଜେନ୍ସି କହିଥିଲା।

ନଦୀ ସଂଯୋଗୀକରଣ କାର୍ଯ୍ୟକାରୀ କରିବା ପାଇଁ ଗତ ଫେବୃଆରୀ ମାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀ ଆଲୋଚନା କରିଥିଲେ।

କେନ୍ଦ୍ର ପରିକଳ୍ପନା ଅନୁସାରେ ବ୍ରହ୍ମପୁତ୍ରରୁ ଗଙ୍ଗାକୁ ଭରାଯିବା ପରେ ସୁବର୍ଣ୍ଣରେଖା, ବୈତରଣୀ ଓ ବ୍ରାହ୍ମଣୀ ନଦୀକୁ ସଂଯୋଗ କରି ମହାନଦୀରେ ପାଣି ଭରାଯିବ, ଯାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।

Related story