ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ଡ.ଏ.ପି.ଜେ ଅବଦୁଲ କଲାମ କହିଥିଲେ ‘ସ୍ୱପ୍ନ ତାହା ନୁହଁ ଯାହା ଶୋଇଗଲା ପରେ ଆସେ। ସ୍ୱପ୍ନ ତାହା ଯାହା ଶୋଇବାକୁ ଦିଏନା।’ ଠିକ୍ ଏମିତି କିଛି ସ୍ୱପ୍ନ ଦେଖିଥିଲେ କୋଲ୍କାତାର ପଙ୍କଜ ମାଲୁ। ତାଙ୍କ ସ୍ୱପ୍ନ ଥିଲା ଭବିଷ୍ୟତରେ ସେ ଜଣେ ସଫଳ ବ୍ୟବସାୟୀ ହେବେ। ସେଥିପାଇଁ ଚାକିରି ଛାଡ଼ି ସାଙ୍ଗଠାରୁ କମ୍ପ୍ୟୁଟର ଉଧାର ଆଣି ଦିନ ରାତି ପରିଶ୍ରମ କରି ଆରମ୍ଭ କରିଥିଲେ ବ୍ୟବସାୟ। ଶେଷରେ ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ତାଙ୍କୁ ସଫଳତା ଆଣିଦେଲା। ଶୂନ୍ୟ ହସ୍ତେ ବ୍ୟବସାୟ ଆରମ୍ଭ କରି ପଙ୍କଜ ହୋଇଗଲେ କୋଟିପତି। କିପରି ଥିଲା ତାଙ୍କର ସଂଘର୍ଷମୟ ଯାତ୍ରା ଆସନ୍ତୁ ଜାଣିବା।
କୋଲକାତାର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ପଙ୍କଜ ମାଲୁ। ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ସ୍କୁଲ୍ରେ ପଢୁଥିବା ସମୟରେ ନିଜ ହାତ ଖର୍ଚ୍ଚ ନିଜେ ତୁଲାଉଥିଲେ।ବା ପାଇଁ ଚାର୍ଟାଡ ଆକାଉଣ୍ଟାଣ୍ଟ ଫାର୍ମରେ ଟ୍ରେନି ହିସାବରେ କାର୍ଯ୍ୟ କରୁଥିଲେ। ସେଥିରେ ଯାହା ମିଳୁଥିଲା ସେଥିରେ ତାଙ୍କ ହାତ ଖର୍ଚ୍ଚ ଚଳିଯାଉଥିଲା। ଗ୍ରାଜୁଏସନ୍ ପଢ଼ୁଥିବା ସମୟରେ ସି.ଏ କୋର୍ସ ସାରିବା ପରେ ୨୦୦୨ରେ ଏକ ପ୍ରାଇଭେଟ୍ ଫାର୍ମରେ ଚାର୍ଟାଡ୍ ଆକାଉଣ୍ଟାଣ୍ଟ ଭାବରେ ଚାକିରି କଲେ। ମାସିକ ଦରମା ହିସାବରେ ତାଙ୍କୁ ୧୨,୫୦୦ ଟଙ୍କା ମିଳୁଥିଲା। କିନ୍ତୁ ପରେ ଚାକିରି ଛାଡ଼ି ସେ ୨୦୦୪ରେ ନିଜର ଏକ ଚାର୍ଟାଡ ଆକାଉଣ୍ଟାଣ୍ଟ ଫାର୍ମ ସ୍ଥାପନା କଲେ। କିନ୍ତୁ ଏଠାରେ ତାଙ୍କୁ ଭଲ ଲାଗୁ ନଥିଲା। ମନ ଭିତରେ ବସା ବାନ୍ଧିଥିବା ସ୍ୱପ୍ନ ତାଙ୍କୁ ବାରମ୍ବାର ଆନ୍ଦୋଳିତ କରୁଥିଲା।
ଆରମ୍ଭ ହେଲା ସଫଳତାର ଯାତ୍ରା: ଚାକିରି ଛାଡ଼ିବାର କିଛି ମାସ ପରେ ଆଇଟି କ୍ଷେତ୍ରରେ ତାଙ୍କର ରୁଚି ଥିବା ଯୋଗୁଁ ଗ୍ରାଫିକ୍ସ ଡିଜାଇନିଂ ଫାର୍ମ ଆରମ୍ଭ କରିବାକୁ ଚିନ୍ତା କଲେ। ଏଥିପାଇଁ ତାଙ୍କୁ କମ୍ପ୍ୟୁଟର ଆବଶ୍ୟକତା ପଡ଼ିଲା। ପାଖରେ ପଇସା ନଥିବାରୁ ଜଣେ ବନ୍ଧୁଙ୍କ ପାଖରୁ କମ୍ପ୍ୟୁଟର ଉଧାର ଆଣିଲେ। ବନ୍ଧୁ ନୀତିଶ ଥାପରଙ୍କ ସହାୟତାରେ 'କ୍ରିଏଟିଭ୍ ଫିଙ୍ଗର୍ସ' ନାମକ ଏକ କମ୍ପାନୀ ଆରମ୍ଭ କଲେ। ଏବେବି ସମସ୍ୟା କମ୍ ନଥିଲା। କମ୍ପାନୀ ଆରମ୍ଭ କରିବା ପାଇଁ ଜାଗାଟିଏ ଖୋଜୁଥିଲେ ପଙ୍କଜ। ଏହି ସମୟରେ ଆଉ ଜଣେ ବନ୍ଧୁ ତାଙ୍କୁ ସହଯୋଗର ହାତ ବଢାଇଲେ। ବିନା ଭଡ଼ାରେ ତାଙ୍କୁ ଅଫିସ କରିବା ପାଇଁ ଏକ ଘର ଦେଇଦେଲେ। ଦୁଇ ବନ୍ଧୁଙ୍କ ସହୟତାରେ ସେ ଆରମ୍ଭ କଲେ ବ୍ୟବସାୟ।
୬୫୦ ଟଙ୍କାରେ ମିଲିଥିଲା ପ୍ରଥମ ଅର୍ଡର: ସ୍ୱପ୍ନ ସାକାର ହେଲା ସତ କିନ୍ତୁ ବ୍ୟବସାୟ ଚଳାଇବା ଛୋଟିଆ କଥା ନଥିଲା। ଠିକ୍ ଭାବରେ ପରିଚାଳନା ନ ହୋଇପାରିଲେ ବ୍ୟବସାୟ ବୁଡ଼ିଯିବାର ଭୟ ରହୁଥିଲା। କମ୍ପାନୀ ଆରମ୍ଭ ହେବାର ସପ୍ତାହକ ପରେ ୬୫୦ ଟଙ୍କାର ପ୍ରଥମ ଅର୍ଡର ମିଳିଲା। ଏହା ତାଙ୍କ ମନବଳକୁ ଦ୍ୱିଗୁଣିତ କରିଥିଲା। ସେଥିପାଇଁ କମ୍ପାନୀର ଅନଲାଇନ୍ ପ୍ରଚାର ପ୍ରସାର ପାଇଁ ଜୋରସୋର୍ରେ ଲାଗିପଡ଼ିଲେ ପଙ୍କଜ । ବହୁ ପରିଶ୍ରମ ପରେ ପ୍ରଥମ ବର୍ଷରେ କମ୍ପାନୀର ଟର୍ଣ୍ଣଓଭର ୪ ଲକ୍ଷ ଟଙ୍କାରେ ପହଞ୍ଚିଲା ଓ ୧୦୦ ଜଣ କ୍ଲାଏଣ୍ଟ କମ୍ପାନୀ ସହ ଯୋଡ଼ି ହେଲେ। ଧୀରେ ଧୀରେ ସଫଳତା ଆଡ଼କୁ ଗତି କରୁଥିଲେ ପଙ୍କଜ। ୨୦୦୯ରେ କମ୍ପାନୀର ଟର୍ଣ୍ଣଓଭର ୨.୫ କୋଟି ଟଙ୍କାରେ ପହଞ୍ଚିଗଲା। ଯଦିଓ ବ୍ୟବସାୟରେ ଦୁଇ ବର୍ଷ ମାନ୍ଦା ଦେଖାଦେଇଥିଲା, କିନ୍ତୁ ୨୦୧୪-୧୫ ରେ ୨୫ ପ୍ରତିଶତ ବ୍ୟବସାୟ ବଢି ବର୍ଷକ ପରେ କମ୍ପାନୀର ଟର୍ଣ୍ଣଓଭର ୫ କୋଟି ଟଙ୍କାରେ ପହଞ୍ଚିଲା। ଆଜି ତାଙ୍କ କମ୍ପାନୀରେ ୧୦୦ରୁ ଅଧିକ ଲୋକ କାମ କରୁଥିବା ବେଳେ ୫୦୦ରୁ ଅଧିକ ଲୋକ କମ୍ପାନୀ ସହ ଯୋଡ଼ି ହୋଇ ରହିଛନ୍ତି। କମ୍ପାନୀକୁ ଆହୁରି ଆଗକୁ ନେବାକୁ ନୂଆ ନୂଆ ଯୋଜନା କରୁଛନ୍ତି ପଙ୍କଜ।
ଏହାଥିଲା ପଙ୍କଜଙ୍କ ସଫଳତାର କାହାଣୀ। ଜୀବନରେ ସଫଳତା ପାଇବାକୁ ହେଲେ କିଛି ଏମିତି ସ୍ୱପ୍ନ ଦେଖିବାକୁ ପଡ଼ିବ। ସ୍ୱପ୍ନ ସାକାର ପାଇଁ ଉଦ୍ୟମ କରିବାକୁ ପଡ଼ିବ। ତେବେ ଯାଇ ସଫଳତାର ଫଳ ହାତା ପାଆନ୍ତାରେ ମିଳିବ। ଆଶା କରୁଛୁ ପଙ୍କଜ ମାଲୁଙ୍କର ଏହି କାହାଣୀ ଯୁବଗୋଷ୍ଠୀଙ୍କୁ ନିଶ୍ଚୟ ପ୍ରେରଣା ଦେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।