ଡମ୍ବରୁଙ୍କ ମୃତ୍ୟୁ ଘଟଣା: ପୁଅଝିଅ ରଖିଲେ ନାହିଁ, ଗଛମୂଳେ ପକାଇ ଦେଇ ପଳାଇଲା ଆମ୍ବୁଲାନ୍ସ

ମାଲକାନଗିରି: ଗଛମୂଳେ ଡମ୍ବରୁ ମାଢ଼ୀଙ୍କ ମୃତ୍ୟୁ ପଛର ଏକ ହୃଦୟ ବିଦାରକ ସତ୍ୟ ପଦାକୁ ଆଣିଛି ଜିଲ୍ଲା ଶ୍ରମ ବିଭାଗ। ଖାଲି ତେଲେଙ୍ଗାନା ହସ୍ପିଟାଲ କର୍ତ୍ତୃପକ୍ଷ ଅବହେଳା କରି ନ ଥିଲେ ନିଜ ଜନ୍ମ କଲା ପୁଅ, ଝିଅ ଶେଷ ସମୟରେ ତାଙ୍କୁ ରଖିବାକୁ ରାଜି ହୋଇ ନ ଥିଲେ କି ମୁହଁରେ ପାଣି ଟୋପେ ଦେଇ ନ ଥିଲେ। ଏପରି ଏକ ରିପୋର୍ଟ ସରକାରଙ୍କୁ ଦେଇଛି ଜିଲ୍ଲା ଶ୍ରମ ବିଭାଗ। ଖାଲି ସେତିକି ନୁହେଁ ମୃତ୍ୟୁ […]

malkangiri-sramika-mruta

Rakesh Mallick
  • Published: Friday, 25 March 2016
  • , Updated: 25 March 2016, 04:42 PM IST

ମାଲକାନଗିରି: ଗଛମୂଳେ ଡମ୍ବରୁ ମାଢ଼ୀଙ୍କ ମୃତ୍ୟୁ ପଛର ଏକ ହୃଦୟ ବିଦାରକ ସତ୍ୟ ପଦାକୁ ଆଣିଛି ଜିଲ୍ଲା ଶ୍ରମ ବିଭାଗ। ଖାଲି ତେଲେଙ୍ଗାନା ହସ୍ପିଟାଲ କର୍ତ୍ତୃପକ୍ଷ ଅବହେଳା କରି ନ ଥିଲେ ନିଜ ଜନ୍ମ କଲା ପୁଅ, ଝିଅ ଶେଷ ସମୟରେ ତାଙ୍କୁ ରଖିବାକୁ ରାଜି ହୋଇ ନ ଥିଲେ କି ମୁହଁରେ ପାଣି ଟୋପେ ଦେଇ ନ ଥିଲେ। ଏପରି ଏକ ରିପୋର୍ଟ ସରକାରଙ୍କୁ ଦେଇଛି ଜିଲ୍ଲା ଶ୍ରମ ବିଭାଗ। ଖାଲି ସେତିକି ନୁହେଁ ମୃତ୍ୟୁ ପରେ ଡମ୍ବରୁଙ୍କ ପୁଅଝିଅ ତାଙ୍କ ଶେଷକୃତ୍ୟ ବି ସମ୍ପନ୍ନ କରି ନ ଥିଲେ। ଜଣେ ସମ୍ପର୍କୀୟ ମାମୁଁ ଡମ୍ବରୁଙ୍କ ଶେଷକୃତ୍ୟ ସମ୍ପନ୍ନ କରିଥିବା ବେଳେ ପଞ୍ଚାୟତ ପକ୍ଷରୁ ତାଙ୍କୁ ୨ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା। ଏହା ହେଉଛି ଦୟନୀୟ ଭାବେ ଗଛମୂଳେ ଦୀର୍ଘ ୧୨ ଘଣ୍ଟା ଜୀବନ ସହ ସଂଗ୍ରାମ କରି ଆଖି ବୁଜିଥିବା ଡମ୍ବରୁଙ୍କ କାହାଣୀ।

ମାଲକାନଗିରି ଜିଲ୍ଲା ଶ୍ରମ ଅଧିକାରୀ ଲକ୍ଷ୍ମଣ ବେହେରା କହିଛନ୍ତି, “ଆମ୍ବୁଲାନ୍ସ ପ୍ରଥମେ ଝିଅ ଘର ସେଣ୍ଡାବେଡ଼ା ଯାଇଥିଲା। ସେମାନେ ଡମ୍ବରୁଙ୍କୁ ରଖିବାକୁ ମନା କରି ଦେଇଥିଲେ। ପରେ ମାଥିଲିରେ ରହୁଥିବା ପୁଅକୁ ଯୋଗାଯୋଗ କରିଥିଲେ। ପୁଅ କହିଥିଲା ମୁଁ ମାଆ ପେଟରେ ଥିବା ବେଳେ ବାପା ଛାଡି ଚାଲି ଯାଇଥିଲେ। ସେ ମଲେ କି ବଞ୍ଚିଲେ ତାଙ୍କ ସହ ଆମର କିଛି ସମ୍ପର୍କ ନାହିଁ। ଏପରି ସ୍ଥିତିରେ ଡମ୍ବରୁଙ୍କୁ ଆଣିଥିବା ଆମ୍ବୁଲାନ୍ସ ତାଙ୍କ ଏକ ଗଛ ମୂଳେ ଛାଡ଼ି ଚାଲିଯାଇଥିଲା।”

ଆଦିବାସୀ ସମ୍ପ୍ରଦାୟର ଡମ୍ବରୁ ଇଟା ଭାଟିରେ କାମ କରିବାକୁ କରିମ ନଗର ଯାଇଥିଲେ। ସେଠାରେ ହଠାତ ତାଙ୍କ ଦେହ ଖରାପ ହୋଇଯାଇଥିଲା। ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଆପୋକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ଲାଗି ଆବଶ୍ୟକ ଅର୍ଥ ଡମ୍ବରୁ ଦେଇ ପାରି ନ ଥିଲେ। ଫଳରେ ହସ୍ପିଟାଲ କର୍ତ୍ତୃପକ୍ଷ ଏକ ଆମ୍ବୁଲାନ୍ସରେ ତାଙ୍କୁ ଘରକୁ ପଠାଇ ଦେଇଥିଲେ। ହେଲେ ଆମ୍ବୁଲାନ୍ସ କର୍ମଚାରୀ ଡମ୍ବରଙ୍କୁ ଘରେ ଛାଡ଼ିବା ପରିବର୍ତ୍ତେ ଗୁରୁତ୍ୱର ଅବସ୍ଥାରେ ପଦ୍ମପୁର ବଜାରର ଏକ ଗଛ ମୂଳରେ ଛାଡି ଚାଲିଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ଜଣାପଡିବା ପରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂ ମୃତକଙ୍କ ପରିବାର ବର୍ଗଙ୍କୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରିବା ସହ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ଡମ୍ବରୁଙ୍କ କି ରୋଗ ହୋଇଥିଲା ଏବଂ କେଉଁ ପରିସ୍ଥିତିରେ ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଗଲା ସେ ନେଇ ସମ୍ପୃକ୍ତ ହସ୍ପିଟାଲଠାରୁ ଜିଲ୍ଲା ଶ୍ରମ ବିଭାଗ ରିପୋର୍ଟ ମାଗିଛି।

Related story