ଟୁଇନ୍ସିଟିକୁ ଏମିତି ଆସିଛନ୍ତି ମାଆ: କେଉଁଠି ଗୁମ୍ଫା ତ କେଉଁଠି ରେଳ ଷ୍ଟେସନ୍
ଭୁବନେଶ୍ୱର/କଟକ (ଓଡ଼ିଶା ରିପୋର୍ଟର): ଆସିଗଲା ପାର୍ବଣ ଋତୁ। ଆଜିଠାରୁ ପୀଠରେ ମା’ ଜଗତଜନନୀଙ୍କ ପୂଜା ଆରମ୍ଭ ହୋଇଯାଇଛି। ଆସନ୍ତାକାଲିଠାରୁ ମଣ୍ଡପରେ ପୂଜା ପାଇବେ ମା’ ଦୁର୍ଗା। ଦୈତ୍ୟନଗରୀ ଭୁବନେଶ୍ୱର ଓ କଟକରେ ଲାଗିଲାଣି ପୂଜା ଗହଳି। ରାଜଧାନୀରେ ସୁଉଚ୍ଚ ତୋରଣରେ ମଣ୍ଡପଗୁଡିକ ଝଲସୁ ଥିବା ବେଳେ କଟକରେ ରଙ୍ଗିନ ଆଲୋକମାଳା ଲୋକଙ୍କ ମନ ମୋହୁଛି।
ରାଜଧାନୀର ରସୁଲଗଡ଼ରେ ତୋରଣରୁ ଆଦିମ ମଣିଷର ଜୀବନଶୈଳୀ ବାର୍ତ୍ତା ମିଳିବ। ଆଦିମ ମଣିଷଙ୍କ ଖାଦ୍ୟପେୟ, ଯାନିଯାତ୍ରା ଓ ପର୍ବପର୍ବାଣୀ ସାଙ୍ଗକୁ ଯୁଦ୍ଧ କୌଶଳ, ପାହାଡ ସାଙ୍ଗକୁ ଗୁମ୍ଫା ମଧ୍ୟ ଦେଖିବାକୁ ପାଇବେ ଦର୍ଶକ। ତୋରଣ ଭିତର ପାର୍ଶ୍ୱରେ ଆଦିମ ମଣିଷର ଜୀବନଶୈଳୀ ଚିତ୍ରିତ ହୋଇଥିବା ବେଳେ ବାହାର ପାଖରେ ଶୋଭା ପାଉଛି ଆଧୁନିକ ଜୀବନଶୈଳୀ। ତୋରଣର ଉଚ୍ଚତା ୭୦ ଫୁଟ୍ ଓ ଚଉଡା ୧୨୦ ଫୁଟ୍ ରହିଛି।
ଝାରପଡା ପୂଜା ମଣ୍ଡପ ଆଡେ ଯଦି ବୁଲିବାକୁ ଯାଆନ୍ତି ତାହା ହେଲେ ଟିକେ ଭ୍ରମରେ ପଡିଯିବେ। କୌଣସି ଏକ ରେଳଷ୍ଟେସନରେ ଛିଡା ହେଲା ଭଳି ଆପଣଙ୍କୁ ଲାଗିବ। ଏଠାରେ ନିର୍ମାଣ ହୋଇଛି କଳିଙ୍ଗ ଜଙ୍କସନ ଇଞ୍ଜିନ ସାଙ୍ଗକୁ ୩ଟି ଏସି ବଗି। ଏଥିପାଇଁ ୪୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି ପୂଜା କମିଟି। ଖାସକରି ମହିଳା, ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ବମିଖାଲ ଦୁର୍ଗାପୂଜା ମଣ୍ଡପ ଏଥର ୫୪ ବର୍ଷରେ ପଦାର୍ପଣ କରିଛି। ନେପାଳ ରାଜପ୍ରାସାଦ ଆକାରରେ ଏଠାରେ ତୋରଣ ତିଆରି ହୋଇଛି। ତୋରଣରେ ଶାମୁକା, କଉଡି, ଶଙ୍ଖ ଆଦି ୬ କୁଇଣ୍ଟାଲ ସାମୁଦ୍ରିକ ଜିନିଷ ବ୍ୟବହାର ହୋଇଛି। ତୋରଣର ଉଚ୍ଚତା ୮୦ ଫୁଟ ଓ ଚଉଡା ୧୨୦ ଫୁଟ ରହିଛି। ଏହାସହ ଆକର୍ଷିତ କରିବ ଏଲଇଡି ଲାଇଟ ଓ ଏଚଡି ଲାଇଟ୍।
ଥାଇଲ୍ୟାଣ୍ଡର ବୁଦ୍ଧ ମନ୍ଦିର ଢାଞ୍ଚାରେ ନିର୍ମାଣ ହୋଇଛି ସହିଦନଗର ପୂଜା ମଣ୍ଡପ ତୋରଣ। ଆସନ୍ତାକାଲିଠାରୁ ମଣ୍ଡପରେ ମା’ଙ୍କ ପୂଜା ଆରମ୍ଭ ହେବ। ହେଲେ ଏବେଠାରୁ ଦେଖଣାହାରିଙ୍କ ଭିଡ ଜମିଲାଣି ତୋରଣ ପାଖରେ।
ନବବଧୂ ବେଶରେ ସଜେଇ ହେଲାଣି ପରମ୍ପରାର ସହର କଟକ। ନାନା ଅଳଙ୍କାରରେ ବିଭୂଷିତ ହୋଇ ଧରାଗମନ ପାଇଁ ମା’ ବି ପ୍ରସ୍ତୁତ ହେଲେଣି। ପ୍ରତିବର୍ଷ ଭଳି ଚାନ୍ଦି ମେଢ଼ ସାଙ୍ଗକୁ ବିଭିନ୍ନ ପୂଜାମଣ୍ଡପର ସୁଉଚ୍ଚ ତୋରଣ ଏଠି ମୁଖ୍ୟ ଆକର୍ଷଣ। ଖାନନଗର ପୂଜା ମଣ୍ଡପରେ ଆମେରିକାର ସ୍ୱାମୀନାଥନ୍ ମନ୍ଦିର ଢାଞ୍ଚାରେ ନିର୍ମିତ ହୋଇଛି ଆକର୍ଷଣୀୟ ତୋରଣ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।