ଜଗା-କାଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ: ଚାଲିବ ୨୫ରୁ ୨୭ ଘଣ୍ଟା
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀର ଏମ୍ସ ଅପରେସନ ଥିଏଟରରେ ଜଗା-କାଳିଆ। ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ଚାଲିଛି। ଦୁଇ ଭାଇଙ୍କୁ ଅଲଗା କରିବାକୁ ନନ୍ଷ୍ଟପ୍ ସର୍ଜରୀରେ ଲାଗିଛନ୍ତି ଏକ୍ସପର୍ଟ ଡାକ୍ତରୀ ଟିମ୍। ଯେଉଁଥିରେ ସାମିଲ ଅଛନ୍ତି ନ୍ୟୁରୋ ସର୍ଜନଙ୍କ ସହ ପେଡିଆଟ୍ରିକ୍ ଓ କାର୍ଡିଓଲୋଜି ସହ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତର। ତେବେ ଗତଥର ଭଳି ଏଥର ଦେଶ ବାହାରୁ କୌଣସି ବିଶେଷଜ୍ଞ ଡାକ୍ତରଙ୍କୁ ଅଣାଯାଇ ନାହିଁ।
ଆଜି ଭୋର ୫ଟାରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ନ୍ୟୁରୋ ସାଇନସ୍ ଓ୍ୱାର୍ଡରୁ ଅପରେସନ ଥିଏଟରକୁ ନିଆଯାଇଥିଲା। ସକାଳ ୯ଟାରୁ ମାରାଥନ୍ ଅପରେସନ୍ ଚାଲିଛି। ଯାହା ପାଖାପାଖି ୨୫ରୁ ୨୭ ଘଣ୍ଟା ଧରି ଚାଲିବ।
ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି-“ଯୋଡ଼ା ମୁଣ୍ଡ ଅଲଗା କରିବା ପାଇଁ ବାହାର ଡାକ୍ତର ଆସୁ ନାହାନ୍ତି। ଏମ୍ସ ଡାକ୍ତରୀ ଟିମ୍ ଅପରେସନ୍ କରୁଛନ୍ତି।”
ଗତ ଅଗଷ୍ଟ ୨୮ ତାରିଖରେ ଜଗା-କାଳିଆଙ୍କର ପ୍ରଥମ ପର୍ଯ୍ୟାୟ ଅପରେସନ ହୋଇଥିଲା। ଏହି ଅପରେସନ ପରେ କାଳିଆ ସୁସ୍ଥ ଥିବା ବେଳେ ଜଗା ସାମାନ୍ୟ ଅସୁସ୍ଥ ହୋଇ ପଡିଥିଲା। ଏମିତିକି ତାର ହାର୍ଟରେ ସାମାନ୍ୟ ଅସୁବିଧା ଥିବା ଜଣାପଡିଥିଲା। ଜଗାକୁ କିଛି ଦିନ ଧରି ଜ୍ୱର ମଧ୍ୟ ହୋଇଥିଲା। ତେବେ ପାଖାପାଖି ୨ ମାସ ପରେ ଆଜି ପୁଣି ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ଚାଲିଛି।
ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସମ୍ପର୍କରେ ପ୍ରଥମେ ଓଟିଭିରେ ଖବର ପ୍ରସାର ହୋଇଥିଲା। ଏହା ପରେ ଜୁଲାଇ ୧୪ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଦିଲ୍ଲୀ ଏମ୍ସକୁ ଚିକିତ୍ସା ପାଇଁ ପଠାଯାଇଥିଲା। ସେବେଠାରୁ ସେମାନେ ଏମ୍ସରେ ଅଛନ୍ତି। ଆଜି ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ଚାଲିଥିବା ଶୁଣି ଦୁହିଁଙ୍କ ଆରୋଗ୍ୟ କାମନା କରି କନ୍ଧମାଳରେ ପୂଜାର୍ଚ୍ଚନା ଓ ଦୀପଦାନ ଚାଲିଛି।
ଏମ୍ସରେ ଜଗା-କାଳିଆଙ୍କ ଦ୍ୱିତୀୟ ପର୍ଯାୟ ଅପରେସନ ଆରମ୍ଭ #Odisha #Delhi pic.twitter.com/6paYjdIisW
— Odisha Reporter (@OdishaReporter) October 25, 2017
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।