ଭିଜିଲାନ୍ସ ପକ୍ଷରୁ ୪ ଦିନିଆ ରିମାଣ୍ଡ ଆବେଦନ କରାଯାଇଥିବା ବେଳେ ତିନିଦିନ ପାଇଁ କୋର୍ଟ ଅନୁମତି ଦେଇଛନ୍ତି। ଆଜି ସକାଳ ୧୦ଟାରୁ ଜୟଦୀପଙ୍କ ରିମାଣ୍ଡ ଅବଧି ଆରମ୍ଭ ହୋଇଛି। ୩୦ ତାରିଖ ଦିନ ୧୧ଟାରେ ତାଙ୍କୁ କୋର୍ଟରେ ହାଜର କରିବା ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦିଆଯାଇଛି।
ଗତକାଲି ଜୟଦୀପଙ୍କ ଜାମିନ ଆବେଦନକୁ କଟକର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଖାରଜ କରି ଦେଇଥିଲେ।
ଓଡ଼ିଶା ପୋଲିସ୍ର ମାନବାଧିକାର ସୁରକ୍ଷା ସେଲ୍ (ଏଚ୍ଆର୍ପିସି) ଅଧୀନରେ ଅନୁସୂଚିତ ଜାତି ଓ ଜନଜାତିଙ୍କ କଲ୍ୟାଣ ପାଇଁ ଆସିଥିବା ୮୮ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଜୟଦୀପ ନାୟକଙ୍କ ସମେତ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତ୍ରିପୁରା କ୍ୟାଡର୍ର ୧୯୯୧ ବ୍ୟାଚ୍ର ଏହି ଆଇପିଏସ୍ ଅଫିସର ଡେପୁଟେସନ୍ରେ ଓଡ଼ିଶା ପୋଲିସ୍କୁ ଆସି ୨୦୧୨ ଅଗଷ୍ଟ ୨୪ରୁ ୨୦୧୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏଚ୍ଆର୍ପିସି ଆଇଜି ଭାବେ କାର୍ଯ୍ୟ କରୁଥିବା ବେଳେ ଏହି ଅର୍ଥ ହଡ଼ପ ଅଭିଯୋଗ ହୋଇଥିଲା। ଅଡିଟ୍ ରିପୋର୍ଟରୁ ଏ ସଂପର୍କିତ ସୂଚନା ମିଳିବା ପରେ ଭିଜିଲାନ୍ସ ଘଟଣାର ତଦନ୍ତ ଦାୟିତ୍ୱ ନେଇଥିଲା।
ଏ ମାମଲାରେ ପୂର୍ବରୁ ଭିଜିଲାନ୍ସ ୫ ଜଣଙ୍କୁ ଗିରଫ କରି ସାରିଛି।
ଗିରଫଦାରୀକୁ ଏଡ଼ାଇବା ପାଇଁ ଜୁନ୍ ୨୭ ତାରିଖରେ ଜୟଦୀପ ଓଡ଼ିଶା ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ।
ଜୁଲାଇ ୨୩ ତାରିଖରେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଜୟଦୀପଙ୍କୁ ଗାଜିଆବାଦରୁ ଗିରଫ କରିଥିଲା।