ଆପଣ କେବେ ଲକ୍ଷ୍ୟ କରିଛନ୍ତି କି, ବେଳେବେଳେ ଆମେ ଖରାରେ ଯିବା ବେଳେ ଖରାକୁ ଦେଖିଲେ, ଉଜ୍ଜ୍ୱଳ ଆକାଶକୁ ଦେଖିଲେ କିମ୍ବା ଧଳା କାନ୍ଥକୁ ଦେଖିଲେ ଆମ ଆଖି ଆଗରେ ଶୂନ୍ୟରେ କିଛି ଏଣେତେଣେ ଭାସୁଥିବା ଭଳି ଦିଶେ। ଏଗୁଡ଼ିକ ଖୁବ୍ ଛୋଟଛୋଟ, ଅନିର୍ଦ୍ଦିଷ୍ଟ ଆକୃତିର ହୋଇଥାଏ, ଅସ୍ପଷ୍ଟ ଦିଶେ ଏବଂ ଆଖି ସ୍ଥିର ରଖିଲେ ଧୀରେଧୀରେ ତଳକୁ ତଳକୁ ଖସୁଥିବା ଭଳି ବା ବୁଡ଼ିଯାଉଥିବା ଭଳି ଦିଶେ। ଆପଣ ଯେଉଁଆଡ଼େ ଆଖି ବୁଲାଇଲେ ମଧ୍ୟ ସେଗୁଡ଼ିକ ଆଖି ଆଗରୁ ହଟନ୍ତି ନାହିଁ ଏବଂ ଏଣେତେଣେ ଭାସିବାରେ ଲାଗନ୍ତି । ତେବେ ପ୍ରକୃତରେ ସେଗୁଡ଼ିକ କଣ ଏବଂ ଆମକୁ ଏଭଳି କାହିଁକି ଦିଶେ?
ଆଖି ଆଗରେ ଭାସିବା ଭଳି ଲାଗୁଥିବା ଏହି ଅସ୍ପଷ୍ଟ ପଦାର୍ଥ ଗୁଡ଼ିକ ପ୍ରକୃତରେ ଆମ ଆଖି ଭିତରେ ଭାସୁଥାଏ ଏବଂ ତାହାକୁ ଆଖି ଭିତରର ଭାସମାନ ପଦାର୍ଥ ବା ଇଂରାଜୀରେ ଆଇ ଫ୍ଲୋଟର୍ସ କହନ୍ତି । ଆମ ଆଖିଡ଼ୋଳା ଭିତରେ ୮୦ ପ୍ରତିଶତ ଅଂଶ ଭିଟ୍ରିଅସ୍ ହ୍ୟୁମର୍ ନାମକ ଏକ ସ୍ୱଚ୍ଛ ଜେଲ୍ ବା ଅର୍ଦ୍ଧତରଳ ଭଳି ପଦାର୍ଥରେ ଭରି ରହିଥାଏ। ଏହା ଡୋଳାକୁ ଗୋଲାକାର ଆକୃତିରେ ରଖିବା ପାଇଁ ସାହାଯ୍ୟ କରେ। କିନ୍ତୁ ଯେତେବେଳେ ଆମର ବୟସ ବଢ଼େ ଏହି ଭିଟ୍ରିଅସ୍ ହ୍ୟୁମରର ବାହାର ଅଂଶ ସଂକୁଚିତ ଏବଂ ଘନ ହେବାରେ ଲାଗେ ଏବଂ ଭିତର ଅଂଶ ଅଧିକ ତରଳ ହେବାରେ ଲାଗେ। ବୟସ ବୃଦ୍ଧି ସହ ଏହା ଏକ ସାଧାରଣ ପ୍ରକ୍ରିୟା।
ତେବେ ଆଖିଡ଼ୋଳା ଭିତରେ ଥିବା ଭିଟ୍ରିୟସ୍ ହ୍ୟୁମରର ଅଧିକାଂଶ ଭାଗ ତରଳ ହୋଇଯାଇଥିଲେ ମଧ୍ୟ କିଛି ଜେଲ୍ ଭଳି ପଦାର୍ଥ ତରଳରେ ସମ୍ପୂର୍ଣ୍ଣ ଭାବେ ମିଶି ନଥାଏ। କୋଲାଜେନ ପ୍ରୋଟିନରେ ତିଆରି ଏହି ଦ୍ରବିଭୂତ ହୋଇନଥିବା ଖଣ୍ଡ ଗୁଡ଼ିକ ସେହି ତରଳରେ ଏଣେତେଣ ଭାସିବାରେ ଲାଗେ। ଆମେ ଯେତେବେଳେ କୌଣସି ଧଳା କାନ୍ଥ କିମ୍ବା ଉଜ୍ଜ୍ୱଳ ଆକାଶ ଆଦି ଦେଖୁ ତାହାର ଆଲୋକ ଆମ ଆଖିରେ ପ୍ରବେଶ କଲାବେଳେ ସେହି ଭାସୁଥିବା ଖଣ୍ଡର ଛାଇ ରେଟିନା ଉପରେ ପଡ଼େ। ତେଣୁ ଆମେ ସେହି ଛାଇକୁ ଅସ୍ପଷ୍ଟ ଆକୃତି ଭାବେ ଦେଖୁ। ଆମେ ଯେତେବେଳେ ଆଖିକୁ ଏଣେତେଣେ ବୁଲାଉ ସେହି ଖଣ୍ଡ ଗୁଡ଼ିକ ଅସ୍ଥିର ହୋଇ ଭାସିବାରେ ଲାଗନ୍ତି ଏବଂ ଆଖି ସ୍ଥିର ରଖିଲେ ସେଗୁଡ଼ିକ ଧୀରେ ଧୀରେ ବୁଡ଼ିବାରେ ଲାଗନ୍ତି। ଫଳରେ ସେଗୁଡ଼ିକର ଛାଇ ମଧ୍ୟ ସେହିଭଳି ଗତି କରେ।
ଆହୁରି ମଧ୍ୟ ପଢନ୍ତୁ: ଗାଡ଼ିରେ ଗଲାବେଳେ ବାନ୍ତି ହେଉଛି କି? ଜାଣନ୍ତୁ କେମିତି ମିଳିବ ମୁକ୍ତି
ଆଖି ଆଗରେ ଏଭଳି ଭାସମାନ ପଦାର୍ଥ ଦେଖାଯିବା ଏକ ସାଧାରଣ ପ୍ରକ୍ରିୟା ବା ଲକ୍ଷଣ। ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ । କିନ୍ତୁ ଯଦି ଏହା ଅତ୍ୟଧିକ ମାତ୍ରାରେ ଏବଂ ବାରମ୍ବାର ଦେଖାଯାଏ ତେବେ ଏହାର ଅନ୍ୟ କୌଣସି କାରଣ ହୋଇପାରେ। ତେଣୁ ତୁରନ୍ତ ଚକ୍ଷୁ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରିବା ଉଚିତ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।