ଲୁଲୁ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (୫୨)ଙ୍କ ଆଜି ପରଲୋକ ଘଟିଛି। ଗୁଡଗାଓଁର ମେଦାନ୍ତ ହସ୍ପିଟାଲଙ୍କରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ରାତି ପ୍ରାୟ ୧୦ଟା ୧୪ରେ ତାଙ୍କର ମୃତ୍ୟୁ ଘଟିଛି। ଏକ ମାସ ହେବ ସେ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କିଡ଼ନୀ ଫେଲ ଓ ମଲ୍ଟି ଅର୍ଗାନ ଫେଲ୍‌ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ତାଙ୍କୁ ହସ୍ପିଟାଲର ୧୦ ନମ୍ବର ଆଇସିୟୁରେ ଭେଣ୍ଟିଲେଟରରେ ରଖାଯାଇଥିଲା। ଲୁଲୁଙ୍କ […]

lulu

Rakesh Mallick
  • Published: Sunday, 06 November 2016
  • , Updated: 07 November 2016, 08:23 AM IST

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (୫୨)ଙ୍କ ଆଜି ପରଲୋକ ଘଟିଛି। ଗୁଡଗାଓଁର ମେଦାନ୍ତ ହସ୍ପିଟାଲଙ୍କରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ରାତି ପ୍ରାୟ ୧୦ଟା ୧୪ରେ ତାଙ୍କର ମୃତ୍ୟୁ ଘଟିଛି।

ଏକ ମାସ ହେବ ସେ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କିଡ଼ନୀ ଫେଲ ଓ ମଲ୍ଟି ଅର୍ଗାନ ଫେଲ୍‌ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ତାଙ୍କୁ ହସ୍ପିଟାଲର ୧୦ ନମ୍ବର ଆଇସିୟୁରେ ଭେଣ୍ଟିଲେଟରରେ ରଖାଯାଇଥିଲା।

ଲୁଲୁଙ୍କ ଶେଷ ଦର୍ଶନ ପାଇଁ କଂଗ୍ରେସ ନେତା ଓ ତାଙ୍କ ସହ ଜଡ଼ିତ ବ୍ୟକ୍ତି ବିଶେଷ ଗୁଡଗାଓଁରେ ପହଞ୍ଚିବାରେ ଲାଗିଛନ୍ତି। ଗୁଡ଼ଗାଓଁରେ ତାଙ୍କ ପରିବାର ଉପସ୍ଥିତ ଅଛନ୍ତି।

ଦୀର୍ଘଦିନ ହେବ ଲୁଲୁ ଅସୁସ୍ଥ ଥିଲେ। ଏକ ମାସରୁ ଊର୍ଦ୍ଧ୍ୱ ଏମ୍ସରେ ଚିକିତ୍ସିତ ହେବା ପରେ ତାଙ୍କୁ ମେଦାନ୍ତ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା।

ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସରୁ ଲୁଲୁ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ବ୍ରହ୍ମଗିରି ଆସନରୁ ସେ ୧୯୯୫, ୨୦୦୦, ୨୦୦୪ରେ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ସେ ପିସିସି ଉପସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ।

ଲୁଲୁଙ୍କ ବିୟୋଗରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ନିରଞ୍ଜନ କହିଛନ୍ତି,“ଲୁଲୁଙ୍କ ଅକାଳ ବିୟୋଗ କଂଗ୍ରେସ ଓ ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି। ଏହି କ୍ଷତି ପୂରଣ ହୋଇପାରିବ ନାହିଁ। ଏ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ।”

କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଲୁଲୁ ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଲୁଲୁ ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା ଲୁଲୁ ମହାପାତ୍ରଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି। ସେ କହିଛନ୍ତି,“ଲୁଲୁ ମହାପାତ୍ର ଜଣେ ଟାଣୁଆ ନେତା ଥିଲେ। ଓଡ଼ିଶାର ଯୁବକ ଓ ଛାତ୍ରଙ୍କ ଉପରେ ତାଙ୍କର ବହୁତ ପ୍ରଭାବ ଥିଲା। ଭଗବାନ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ।”

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ଲୁଲୁ ମହାପାତ୍ରଙ୍କ ବିୟୋଗ ସାରା ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି। ସେ ଜଣେ ବଳିଷ୍ଠ ନେତୃତ୍ୱର ଅଧିକାରୀ ଥିଲେ। ଯୁବ କଂଗ୍ରେସକୁ ସେ ସଂଗଠିତ କରିଥିଲେ। ତାଙ୍କ ପାଇଁ ୧୯୯୫ରେ କଂଗ୍ରେସ ଶାସନକୁ ଫେରିଥିଲା। ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବାକୁ ତାଙ୍କ ପାଖରେ ଦମ୍ଭ ଥିଲା।”

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି,“ଲୁଲୁ ମହାପାତ୍ର ମୋତେ ବଡ଼ଭାଇ ଭଳି ମାନୁଥିଲେ। ବିଭିନ୍ନ ସମସ୍ୟ ମୋ ସହିତ ଆଲୋଚନା କରୁଥିଲେ।  ଲୁଲୁଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ। ଭଗବାନ ତାଙ୍କ ପରିବାରକୁ ଶାନ୍ତିରେ ରଖନ୍ତୁ। ତାଙ୍କ ମୃତ୍ୟୁ ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି। ସାରା ଓଡ଼ିଶାର ଯୁବକଙ୍କ ପାଇଁ ଶକ୍ତ ଧକ୍କା।”

Related story