ମଦ ନିଷେଧ ଦାବିରେ କଟକ ମହିଳା କଂଗ୍ରେସ ପକ୍ଷରୁ ସମାବେଶ

କଟକ: ରାଜ୍ୟରେ ମଦ ବିକ୍ରିକୁ ନିଷେଧ କରିବା ସହ ନିଶା କାରବାର ବନ୍ଦ କରିବା ଦାବିରେ ରାଜ୍ୟ ମହିଳା କଂଗ୍ରେସ ସହଯୋଗରେ କଟକ ନଗର ମହିଳା କଂଗ୍ରେସ ପକ୍ଷରୁ ଗୁରୁବାର ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ହାତରେ ପ୍ଲାକାର୍ଡ ସହିତ ମଦ ବିରୋଧୀ ସ୍ଲୋଗାନ୍ ଦେଇ ରାଜରାସ୍ତାକୁ ଓହ୍ଲାଇଥିଲା ମହିଳା କଂଗ୍ରେସ। ସମାବେଶରେ କେନ୍ଦ୍ରାପଡ଼ା ନମ୍‌ତରା ଗୁଳିକାଣ୍ଡକୁ ବର୍ଷେ ପୂରଣ ହୋଇଥିବାବେଳେ ଆରଡିସି ତଦନ୍ତ ରିପୋର୍ଟ ଦେବାରେ ବିଳମ୍ୱ, ଅତ୍ୟାବଶ୍ୟକ ସମାଗ୍ରୀର ଦରବୃଦ୍ଧି, ମହିଳାମାନଙ୍କ ପ୍ରତି ହିଂସା, […]

ctc

Rakesh Mallick
  • Published: Thursday, 17 March 2016
  • , Updated: 17 March 2016, 02:16 PM IST

କଟକ: ରାଜ୍ୟରେ ମଦ ବିକ୍ରିକୁ ନିଷେଧ କରିବା ସହ ନିଶା କାରବାର ବନ୍ଦ କରିବା ଦାବିରେ ରାଜ୍ୟ ମହିଳା କଂଗ୍ରେସ ସହଯୋଗରେ କଟକ ନଗର ମହିଳା କଂଗ୍ରେସ ପକ୍ଷରୁ ଗୁରୁବାର ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ହାତରେ ପ୍ଲାକାର୍ଡ ସହିତ ମଦ ବିରୋଧୀ ସ୍ଲୋଗାନ୍ ଦେଇ ରାଜରାସ୍ତାକୁ ଓହ୍ଲାଇଥିଲା ମହିଳା କଂଗ୍ରେସ। ସମାବେଶରେ କେନ୍ଦ୍ରାପଡ଼ା ନମ୍‌ତରା ଗୁଳିକାଣ୍ଡକୁ ବର୍ଷେ ପୂରଣ ହୋଇଥିବାବେଳେ ଆରଡିସି ତଦନ୍ତ ରିପୋର୍ଟ ଦେବାରେ ବିଳମ୍ୱ, ଅତ୍ୟାବଶ୍ୟକ ସମାଗ୍ରୀର ଦରବୃଦ୍ଧି, ମହିଳାମାନଙ୍କ ପ୍ରତି ହିଂସା, ରାଜନେତାଙ୍କର ଅପରାଧିଙ୍କ ସହ ସମ୍ପର୍କ ପ୍ରଭୃତି ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା।

ଭାରତୀୟ ମହିଳା କଂଗ୍ରେସ କମିଟିର ସଭାନେତ୍ରୀ ଶୋଭା ଓଜା କହିଛନ୍ତି, “ଓଡ଼ିଶା ସରକାରଙ୍କ କାର୍ଯ୍ୟକଳାପ ଯୋଗୁଁ ମହିଳାମାନେ ଚିନ୍ତିତ ହୋଇପଡ଼ିଛନ୍ତି। ସରକାର ମଦକୁ ଅଧିକ ପ୍ରୋତ୍ସାହନ ଦେଉଥିବାରୁ ସେମାନଙ୍କ ସଂସାର ନଷ୍ଟ ହୋଇଯାଉଛି। ଗତ ୮ ମାର୍ଚ୍ଚରେ ଏଠାରେ ମଦ ବିରୋଧରେ ବିକ୍ଷୋଭ କରାଯାଇଥିବା ସମୟରେ ସରକାରଙ୍କ ଇଶାରାରେ ପୋଲିସ୍ ମହିଳାମାନଙ୍କୁ ମାଡ଼ ମାରିଥିଲା। ଏହାକୁ ବିରୋଧ କରିବାରୁ ଏହି ଘଟଣାର ତଦନ୍ତ କରାଯିବ ବୋଲି କୁହାଯାଇଥିଲା। ହେଲେ  ଏକ ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ଅଭିଯୁକ୍ତ ଗିରଫ କରାଯାଇ ନାହିଁ। ନବୀନ ସରକାର ମହିଳାଙ୍କ ଅତ୍ୟାଚାରକୁ ନେଇ କେତେ  ସମ୍ୱେଦନଶୀଳ ତାହା ଜଳଜଳ ହୋଇ ଦେଖାଯାଉଛି।”

ସେହିପରି ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ ଓଡ଼ିଶାରେ ବେଆଇନ ମଦ କାରବାର ଏଭଳି ଭାବେ ବ‍ଢ଼ି ଚାଲିଛି ଯାହା ଦ୍ୱାରା ଗାଁ ଗଣ୍ଡାର ଅର୍ଥନୀତି ଭୁଷୁଡିବା ସହ ଲୋକଙ୍କ ପରିବାର ନଷ୍ଟ ହେବାରେ ଲାଗିଛି। ଯୁବକମାନେ ମଦ ପିଇ ଅବାଟକୁ ଚାଲିଗଲେଣି। ସରକାର ପୋଲିସ ସାଙ୍ଗରେ ମିଶି ଏହି ବେଆଇନ ମଦ କାରବାରକୁ ବଢ଼ାଉଛନ୍ତି। ଗାଁ ଗହଳିରେ ଛକଠାରୁ ଆରମ୍ଭ କରି ପାନ ଓ ଚା’ ଦୋକାନରେ ଆଜି ମଦ ମିଳୁଛି। ”

ଶେଷରେ ଆରଡିସିଙ୍କ ଉଦ୍ଦେଶ୍ୟରେ ମହିଳା କଂଗ୍ରେସକର୍ମୀମାନେ ଏକ ଦାବିପତ୍ର ପ୍ରଦାନ କରିଥିଲେ।

କଟକ ନଗର ମହିଳା କଂଗ୍ରେସର ସଭାନେତ୍ରୀ ଗିରିବାଳା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ କଟକର ବିଭିନ୍ନ ସ୍ଥାନରୁ ମହିଳା କର୍ମୀମାନେ ଯୋଗ ଦେଇଥିଲେ। ଏହାସହିତ ମହିଳା କଂଗ୍ରେସ କମିଟିର ରାଷ୍ଟ୍ରୀୟ ସଭାନେତ୍ରୀ ଶୋଭା ଓଜା, ସାଧାରଣ ସମ୍ପାଦକ ବର୍ଷା ଗାଏକୱାଡ୍, ସିଡବ୍ଲୁସି ସଦସ୍ୟା ସୁଶିଳା ତରିଆ, ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏବଂ ସହ-ପ୍ରଭାରୀ ଶୁଭଙ୍କର ସରକାର ପ୍ରମୁଖ ଯୋଗ ଦେଇଥିଲେ।

Related story