ମହାନଦୀକୁ ନେଇ ଓଡ଼ିଶା ସରକାର ଭ୍ରମ ସୃଷ୍ଟି କରୁଛନ୍ତି: ରମଣ

ଭୁବନେଶ୍ୱର/ବଲାଙ୍ଗିର:ପଞ୍ଚାୟତ ନିର୍ବାଚନ ପ୍ରଚାରରେ ବଲାଙ୍ଗିରରେ ପହଞ୍ଚିବା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ମହାନଦୀ ସମସ୍ୟା ସମେତ ଅନ୍ୟ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ରମଣ। ପ୍ରଥମେ ଭାରତ ମାତା ଓ ପରେ ଜଗନ୍ନାଥ ଏବଂ ସମଲେଶ୍ୱରୀଙ୍କ ଜୟ କରିବା ପରେ ସେ ବିଜେଡି ସରକାରଙ୍କ ଉପରେ ବର୍ଷିବା ଆରମ୍ଭ କରିଦେଇଥିଲେ।ଓଡ଼ିଶାରେ ଛତିଶଗଡ଼ ସରକାର ଓ ମହାନଦୀକୁ ନେଇ ଯେଉଁ ଭ୍ରମ ସୃଷ୍ଟି କରାଯାଉଛି ତାକୁ ଦୂର କରିବାକୁ […]

raman

raman

Rakesh Mallick
  • Published: Thursday, 09 February 2017
  • Updated: 09 February 2017, 07:48 PM IST

Sports

Latest News

ଭୁବନେଶ୍ୱର/ବଲାଙ୍ଗିର:ପଞ୍ଚାୟତ ନିର୍ବାଚନ ପ୍ରଚାରରେ ବଲାଙ୍ଗିରରେ ପହଞ୍ଚିବା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ମହାନଦୀ ସମସ୍ୟା ସମେତ ଅନ୍ୟ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ରମଣ। ପ୍ରଥମେ ଭାରତ ମାତା ଓ ପରେ ଜଗନ୍ନାଥ ଏବଂ ସମଲେଶ୍ୱରୀଙ୍କ ଜୟ କରିବା ପରେ ସେ ବିଜେଡି ସରକାରଙ୍କ ଉପରେ ବର୍ଷିବା ଆରମ୍ଭ କରିଦେଇଥିଲେ।ଓଡ଼ିଶାରେ ଛତିଶଗଡ଼ ସରକାର ଓ ମହାନଦୀକୁ ନେଇ ଯେଉଁ ଭ୍ରମ ସୃଷ୍ଟି କରାଯାଉଛି ତାକୁ ଦୂର କରିବାକୁ ଆସିଥିବା କହିଥିଲେ ରମଣ। ସେ କହିଥିଲେ,“ମହାନଦୀକୁ ନେଇ ଏଠାରେ ଯେମିତି ଭ୍ରମ ସୃଷ୍ଟି କରାଯାଉଛି, ମୋର ଆସିବା ନିଶ୍ଚିତ ଥିଲା। ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ନୁହେଁ ଜଣେ ପଡ଼ୋଶୀ ଭାବେ ଆସିଛି। ଯେଉଁ ଭ୍ରମ ସୃଷ୍ଟି ହୋଇଛି ତାକୁ ନିରାକରଣ କରିବାକୁ ଆସିଛି।”

ସେ କହିଥିଲେ,“ମହାନଦୀର ୮୭ ପ୍ରତିଶତ କେସ୍‌ମେଣ୍ଟ ଛତିଶଗଡ଼ରେ ଓ ୧୩ ପ୍ରତିଶତ ଓଡ଼ିଶାରେ ରହିଛି। ଆମେ ମାତ୍ର ୪ ପ୍ରତିଶତ ପାଣି ଉପଯୋଗ କରୁଥିବା ବେଳେ ଓଡ଼ିଶା ୧୩ରୁ ୧୪ ପ୍ରତିଶତ ପାଣି ବ୍ୟବହାର କରୁଛି। ବାକି ୮୨ ପ୍ରତିଶତ ପାଣି ସମୁଦ୍ରକୁ ଚାଲି ଯାଉଛି। ଏ କଥା ମୁଁ ଦିଲ୍ଲୀ ବୈଠକରେ ଉଠାଇଥିଲି। ଯେତିକି ପାଣି ହୀରାକୁଦ ଡ୍ୟାମକୁ ଆସୁଛି ସେଥିରେ ଥରେ ନୁହେଁ ହୀରାକୁଦ ଜଳଭଣ୍ଡାର ୫ ଥର ଭରାଯାଇ ପାରିବ। ମହାନଦୀ ସୁଖିଯିବ, ହୀରାକୁଦ ପ୍ରଭାବିତ ହେବ କହି କେବଳ ଲୋକଙ୍କୁ ଅନ୍ଧାରରେ ରଖାଯାଉଛି।”

ସେ କହିଥିଲେ,“ବଲାଙ୍ଗିର ଦେଇ ଏତେ ନଦୀନାଳ ଯାଇଛି। ହେଲେ ପୂରା ଜିଲ୍ଲାରେ ମାତ୍ର ୩ ପ୍ରତିଶତ ଜଳସେଚନ ସୁବିଧା ଅଛି। ଯଦି ନଦୀ ଜଳକୁ ନେଇ ଓଡ଼ିଶା ସରକାର ଏତେ ଚିନ୍ତିତ ତେବେ ଛୋଟ ଛୋଟ ଆନିକଟ୍‌ କରି ବଲାଙ୍ଗିରକୁ କାହିଁକି ଜଳସେଚିତ କରୁନାହାନ୍ତି। ଯଦି ବଲାଙ୍ଗିର ଜଳସେଚିତ ହୋଇପାରିବ ତେବେ ଏଠାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଶ୍ରମିକ ଯିବେନାହିଁ।”

ସେ ଆହୁରି କହିଥିଲେ,“ ଛତିଶଗଡ଼ ଓ ଓଡ଼ିଶାର ଲୋକେ ପରସ୍ପର ନିର୍ଭରଶୀଳ। ମହାନଦୀ ଆମକୁ ଯୋଡ଼ିଛି। ମହାନଦୀକୁ ନେଇ କେବେ ବିବାଦ ହୋଇପାରିବ ନାହିଁ। କେବଳ ରାଜନୈତି ପାଇଁ ଏହାକୁ ବିବାଦ ଭିତରକୁ ଟାଣା ଯାଉଛି। ଯଦି ଆମେ ଦୁଇ ମୁଖ୍ୟମନ୍ତ୍ରୀ ଗୋଟିଏ ମିନିଟ୍‌ ପାଇଁ ଏକାଠି ବସିବୁ ସବୁ ସମସ୍ୟାର ସମାଧାନ ହୋଇଯିବ। ଆମେ ୪ ପ୍ରତିଶତ ପାଣି ବ୍ୟବହାର କରୁଛୁ, ସମୁଦ୍ରକୁ ଚାଲିଯାଉଥିବା ୮୨ ପ୍ରତିଶତ ପାଣିକୁ ଆପଣ ବ୍ୟବହାର କରନ୍ତୁ ବୋଲି ମୁଁ ଦିଲ୍ଲୀ ବୈଠକରେ କହିଥିଲି। ଆପଣ ବହି ଯାଉଥିବା ପାଣି ବ୍ୟବହାର କଲେ କେବେ ବିବାଦ ଦେଖାଯିବ ନାହିଁ।”

ପଞ୍ଚାୟତ ନିର୍ବାଚନ ପାଇଁ ମହାନଦୀକୁ ପ୍ରସଙ୍ଗ କରିବା ଉଚିତ ନୁହେଁ ବୋଲି ମୁଁ ଅନୁଭବ କରୁଛି ବୋଲି ରମଣ କହିଥିଲେ। ସେ ଆହୁରି କରିଥିଲେ ଯେ ଯଦି କିଛି ପ୍ରସଙ୍ଗ କରିବାର ଅଛି ତେବେ ଅନାହାର ମୃତ୍ୟୁ, ବେରୋଜଗାରୀ, ଦାଦନ, ବଲାଙ୍ଗିରରେ ହେଉଥିବା ୩ ପ୍ରତିଶତ ଜଳସେଚନକୁ ପ୍ରସଙ୍ଗ କର। ଏସବୁ ପ୍ରସଙ୍ଗକୁ ଛାଡି ମହାନଦୀକୁ ନେଇ ରାଜନୀତି କରାଯାଉଛି।

୧୬ ବର୍ଷର ଛତିଶଗଡ଼କୁ ଓଡ଼ିଶା ସହ ତୁଳନା କରିବାକୁ ପଛାଇ ନ ଥିଲେ ରମଣ। ସେ କହିଥିଲେ,“ଧାନ କିଣା ଯିବାର ଗୋଟିଏ ଦିନ ମଧ୍ୟରେ ଆମେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଛୁ। ଏଥିପାଇଁ ମୋ ରାଜ୍ୟର ଚାଷୀଙ୍କୁ ମାସେ କି ଦୁଇମାସ ଅପେକ୍ଷା କରିବାକୁ ପଡେ ନାହିଁ। ଏହାସହ ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ଆମେ ଠିକ୍‌ ଭାବେ ଚାଷୀ ଓ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇଛୁ। ଏଠାରେ ବିଦ୍ୟୁତ୍‌ କାଟ କରାଯାଉଛି। ୧୩,୦୦୦ ଗାଁକୁ ରାସ୍ତା ନାହିଁ। ୧୦୦୦ ଗାଁକୁ ବିଦ୍ୟୁତ୍‌ ଯାଇନାହିଁ। ଆମ ରାଜ୍ୟରେ ବିଦ୍ୟୁତ୍‌ କାଟ୍‌ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ପ୍ରତି ଘରକୁ ଆମେ ବିଦ୍ୟୁତ୍‌ ଦେବାର ବ୍ୟବସ୍ଥା କରିଛୁ। ଜଣେ ପଡ଼ୋଶୀ ଭାବେ ମୁଁ କହିବାକୁ ଚାହୁଁଛି ସରକାରଙ୍କ ଇଚ୍ଛାଶକ୍ତି ଥିଲେ ବ୍ୟବସ୍ଥାରେ ପରିବର୍ତ୍ତନ କରିହେବ ଓ ବିଦ୍ୟୁତ୍‌ କାଟ୍‌ ବନ୍ଦ କରିହେବ।”

ସେ କହିଥିଲେ,“ପଞ୍ଚାୟତ ନିର୍ବାଚନକୁ ଆସିବାର ଉଦ୍ଦେଶ୍ୟ ହେଲା ଏହିଠାରୁ ଆମେ ଆଗକୁ ଯିବାକୁ ଉଦ୍ୟମ ଆରମ୍ଭ କରିବା। ବିଧାନସଭାକୁ ମଧ୍ୟ ଆମେ ଯାଇପାରିବା। ଯେଉଁଦିନ ଆପଣମାନେ ଏକାଠି ହୋଇ ଛିଡା ହେବେ ଜିଲ୍ଲା ପରିଷଦଠାରୁ ବିଧାନସଭା ପର୍ଯ୍ୟନ୍ତ ବିକାଶ ହୋଇପାରିବ। ରାଜ୍ୟରେ ବିଜେପି ସରକାର ଆସିଲେ ବିକଶିତ ଓଡ଼ିଶା ପରିକଳ୍ପାନ ହୋଇପାରିବ। ସେତେବେଳେ ମହାନଦୀକୁ ନେଇ କୌଣସି ବିବାଦ ରହିବ ନାହିଁ। ଦୁଇଭାଇ (ଛତିଶଗଡ଼ ଓ ଓଡ଼ିଶା) ଏକାଠି ବସିବେ ଓ ସବୁ ବିବାଦର ସମାଧାନ କରିଦେବେ। ମୁଁ ଏବେ ବି ଓଡ଼ିଶା ସରକାରଙ୍କୁ ଚର୍ଚ୍ଚା ପାଇଁ ଆହ୍ୱାନ ଦେଉଛି। ଚର୍ଚ୍ଚା ଦ୍ୱାରା ସବୁ ସମସ୍ୟାର ସମାଧାନ ହୋଇଯିବ।”

ବୁର୍ଡା ପରେ ରମଣ ଝାରସୁଗୁଡାର କଣ୍ଢେଇକେଲା ଓ ସୁନ୍ଦରଗଡ଼ର ସବ୍‌ଡେଗା ଯାଇ ଦଳ ପାଇଁ ନିର୍ବାଚନ ପ୍ରଚାର କରିଥିଲେ।

ଆମେ ନୁହେଁ ରମଣ ସିଂହ ମହାନଦୀକୁ ନେଇ ଭ୍ରମ ସୃଷ୍ଟି କରୁଛନ୍ତି ବୋଲି ବିଜେଡି କହିଛି। ବିଜେଡି ମୁଖପାତ୍ର ଶଶିଭୂଷଣ ବେହେରା କହିଛନ୍ତି,“ଓଡ଼ିଶାବାସୀ ମହାନଦୀକୁ ନେଇ ଦେଖା ଦେଇଥିବା ସମସ୍ୟାକୁ ଭଲଭାବେ ବୁଝିଛନ୍ତି। ନିର୍ବାଚନରେ ଏହାର ଉଚିତ ଜବାବ ରାଜ୍ୟବାସୀ ଦେବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos