ମରୁଡ଼ି ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ମରୁଡ଼ି ସ୍ଥିତି ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ପିପିସି ସଭାପତି ପ୍ରସାଦ ହରିଚନ୍ଦନ ଟାର୍ଗେଟ କରିଛନ୍ତି। ସରକାରଙ୍କ ସମସ୍ତ ରିପୋର୍ଟରେ ତ୍ରୁଟି ରହିଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ମୃତ ଚାଷୀଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ସେ ଦାବି କରିଛନ୍ତି। ପ୍ରସାଦ ଦାବି କରିଛନ୍ତି ଯେ କ୍ଷତିଗ୍ରସ୍ତ ଚାଷ ଜମି ହେକ୍ଟର ପିଛା ୨୦ହଜାର ଟଙ୍କା ଦିଆଯାଉ। ୧ ପ୍ରତିଶତ ସୁଧ ହାରରେ କିମ୍ୱା ବିନା ସୁଧରେ ଚାଷୀଙ୍କୁ ଋଣ ଦିଆଯାଉ। […]

prasada

Rakesh Mallick
  • Published: Friday, 16 October 2015
  • , Updated: 16 October 2015, 02:06 PM IST

ଭୁବନେଶ୍ୱର: ମରୁଡ଼ି ସ୍ଥିତି ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ପିପିସି ସଭାପତି ପ୍ରସାଦ ହରିଚନ୍ଦନ ଟାର୍ଗେଟ କରିଛନ୍ତି। ସରକାରଙ୍କ ସମସ୍ତ ରିପୋର୍ଟରେ ତ୍ରୁଟି ରହିଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ମୃତ ଚାଷୀଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ସେ ଦାବି କରିଛନ୍ତି।

ପ୍ରସାଦ ଦାବି କରିଛନ୍ତି ଯେ କ୍ଷତିଗ୍ରସ୍ତ ଚାଷ ଜମି ହେକ୍ଟର ପିଛା ୨୦ହଜାର ଟଙ୍କା ଦିଆଯାଉ। ୧ ପ୍ରତିଶତ ସୁଧ ହାରରେ କିମ୍ୱା ବିନା ସୁଧରେ ଚାଷୀଙ୍କୁ ଋଣ ଦିଆଯାଉ।   ସେହିପରି କେନ୍ଦ୍ର ସରକାରଙ୍କ ନିକଟରେ ମରୁଡ଼ି ସହାୟତା ଦାବି ପାଇଁ ରାଜ୍ୟ ସରକାର ସର୍ବଦଳୀୟ ପ୍ରତିନିଧି ମଣ୍ଡଳ ଗଠନ କରନ୍ତୁ ବୋଲି ସେ କହିଛନ୍ତି।

ରାଜ୍ୟର ମରୁଡ଼ି ସ୍ଥିତିକୁ ନେଇ ବିଜେପି ମଧ୍ୟ ରାଜ୍ୟ ସରକାରଙ୍କୁ ଘେରିଛି। ଆତ୍ମହତ୍ୟା କରୁଥିବା ଚାଷୀଙ୍କ ପରିବାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୧୦ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଦିଆଯାଉ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି । ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ବିଶ୍ୱଭୂଷଣ ହରଚନ୍ଦନ କହିଥିଲେ ଯେ ଆତ୍ମହତ୍ୟା କରିଥିବା ଚାଷୀମାନଙ୍କ ପରିବାରଗୁଡ଼ିକୁ ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକଂପାମୂଳକ ସାହାଯ୍ୟ ଦିଅନ୍ତୁ। ତା’ହେଲେ ସେହି ପରିବାରଗୁଡ଼ିକର ବାକି ସଦସ୍ୟମାନେ ବଞ୍ଚିଯିବେ। ଏହା ସହିତ ମରୁଡ଼ି ସ୍ଥିତିର ମୁକାବିଲା ନେଇ ସରକାର ସର୍ବଦଳୀୟ ବୈଠକ ଡାକନ୍ତୁ ବୋଲି ସେ ଦାବି କରିଛନ୍ତି। ଏଭଳି ସ୍ଥିତିରେ ସମସ୍ତେ ମିଳିମିଶି କାମ କରିବା ଉଚିତ୍। ଆଗକୁ ଯେପରି ରାଜ୍ୟରେ ମରୁଡ଼ି ପରିସ୍ଥିତିକୁ ପ୍ରତିହତ କରି ହେବ ସେ ନେଇ ଯତ୍ନବାନ ହେବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ୧୬ଟି ଜିଲ୍ଲାର ୧୨୩ ବ୍ଲକରେ ମରୁଡ଼ି ସ୍ଥିତି ଉପୁଜି ଥିବା ନେଇ ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି। ବୁଧବାର ରାଜସ୍ୱ ମନ୍ତ୍ରୀ କହିଥିଲେ ଯେ ତାଙ୍କ ବିଭାଗର ଆଇ-ଏଷ୍ଟିମେସନ (ଆଖି ଦେଖା ଆକଳନ) ଅନୁଯାୟୀ ୧୨ ଜିଲ୍ଲାର ୧୦୭ଟି ବ୍ଲକରେ ମରୁଡ଼ି ସ୍ଥିତି ସୃଷ୍ଟି ହୋଇଛି। ଏହି ଅଞ୍ଚଳଗୁଡ଼ିକର ୩୩ ପ୍ରତିଶତ ଜମିରେ ଫସଲହାନି ହୋଇଛି। ତେବେ ଗତକାଲି ସେ ଏହି ତାଲିକାରେ ଆଉ ଚାରୋଟି ଜିଲ୍ଲାର ୧୬ଟି ବ୍ଲକକୁ ଯୋଡ଼ି ଥିଲେ। ଅନ୍ୟପକ୍ଷରେ ବୁଧବାର ମୁଖ୍ୟମନ୍ତ୍ରୀ ମରୁଡ଼ି କ୍ଷତିଗ୍ରସ୍ତ ଚାଷୀମାନଙ୍କ ପାଇଁ ସହାୟତା ପ୍ୟାକେଜ୍ ଘୋଷଣା କରିଥିଲେ।  ମରୁଡ଼ି କ୍ଷତିଗ୍ରସ୍ତଙ୍କ ପାଇଁ ସରକାର ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ୩୩ ପ୍ରତିଶତ ବା ତା’ଠାରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ଅଣ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬ ହଜାର ୮୦୦ ଟଙ୍କା ଓ ଜଳସେଚିତ ଜମିପାଇଁ ୧୩ ହଜାର ୫୦୦  ଟଙ୍କା ଲେଖାଏଁ ସହାୟତା ଦିଆଯିବ। ସେହିପରି ୨ ହେକ୍ଟର ପର୍ଯ୍ୟନ୍ତ ଜମି ଥିବା ଚାଷୀଙ୍କୁ ମଧ୍ୟ ସମାନ ସହାୟତା ମିଳିବ।ଧାନଚାଷରେ କ୍ଷତି ସହିଥିବା ଚାଷୀଙ୍କୁ ରବିଚାଷ ପାଇଁ ଋଣ ଯୋଗାଇ ଦିଆଯିବ। ଏଥିପାଇଁ ସରକାର ୪ ହଜାର ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ମରୁଡ଼ି ପ୍ରଭାବିତ ଅଞ୍ଚଳରେ ୫୦ ପ୍ରତିଶତରୁ ଅଧିକ ଫସଲହାନି ହୋଇଥିଲେ ସ୍ୱଳ୍ପମିଆଦୀ ଖରିଫ୍ ଋଣକୁ ମଧ୍ୟମିଆଦୀ ଋଣରେ ପରିଣତ କରାଯିବ।

Related story