ଅଭାବୀ ବିକ୍ରି ବିରୋଧରେ ଅଭିନବ ପ୍ରତିବାଦ; ରାସ୍ତାରେ ଢାଳିଲେ ମୁଗ, ବିରି ଓ ଚିନାବାଦାମ

ଯାଜପୁର: ଶସ୍ୟ ଜାତୀୟ ଫସଲ ସହ ପନିପରିବାର ଅଭାବୀ ବିକ୍ରି ବିରୋଧରେ ଆଜି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି। ଚଣ୍ଡିଖୋଲ ଛକରେ ଚିନାବାଦାମ, ମୁଗ ଓ ବିରି ଢାଳି ଶହଶହ ଚାଷୀ ପ୍ରତିବାଦ କରିଛନ୍ତି।

ସମଗ୍ର ଓଡ଼ିଶା ସମେତ ଯାଜପୁର ଜିଲ୍ଲାରେ କୃଷକଙ୍କ ବିଭିନ୍ନ ସମସ୍ୟା ରହିଥିବା ନବନିର୍ମାଣ କୃଷକ ସଂଗଠନ ଅଭିଯୋଗ କରିଛି ।  ଚିନାବାଦାମର ସର୍ବନିମ୍ନ ସହାୟକ ମୂଲ୍ୟ ୪୪ଟଙ୍କା, ମୁଗ ୫୫ଓ ବିରି ୫୦ଟଙ୍କାକୁ ଧାର୍ଯ୍ୟ ହୋଇଥିବା ବେଳେ ଏହାଠାରୁ କମ୍ ମୂଲ୍ୟରେ ଚାଷୀ ବିକ୍ରି କରୁଥିବା ଅଭିଯୋଗ ହୋଇଛି।  ପୂର୍ବବର୍ଷ ଏସବୁ ଉତ୍ପାଦିତ ଶସ୍ୟ ଅଧିକ ଦରରେ ବିକ୍ରି ହୋଇଥିଲା। କିନ୍ତୁ ଏଥର ଅଭାବୀ ବିକ୍ରି ନେଇ ଯାଜପୁର ଜିଲ୍ଲାପାଳଙ୍କୁ ଚିଠି ଦିଆଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବା କୃଷକ ସଂଗଠନ ଅଭିଯୋଗ କରିଛି।