ନିଜ ଇଚ୍ଛାରେ ବାବା ସାରଥୀଙ୍କ ସହ ଯାଇଥିଲି, ମୋତେ ବ୍ଲାକମେଲିଂ କରାଯାଉଥିଲା: ବିବାଦୀୟ ଯୁବତୀ

ଭୁବନେଶ୍ୱର: ବିବାଦରେ ଛନ୍ଦି ହୋଇ ପଡ଼ିଥିବା ବାବା ସାରଥୀଙ୍କ ସହ ହାଇଦ୍ରାବାଦ୍ ହୋଟେଲକୁ ଯାଇଥିବା ଯୁବତୀଙ୍କ ଅଡିଓ କିଛି ଗଣମାଧ୍ୟମରେ ପ୍ରଚାର କରାଯାଇଛି। ଅଡିଓରେ ଯୁବତୀ ଜଣଙ୍କ ହାଇଦ୍ରାବାଦ୍ ନିଜ ଇଚ୍ଛାରେ ଯାଇଥିବା ପ୍ରକାଶ କରିଛନ୍ତି। ତେବେ ଏହି ଅଡିଓ ସମ୍ପୃକ୍ତ ଯୁବତୀଙ୍କର ନା ଆଉ କାହାର, ତାହା ସ୍ପଷ୍ଟ ହୋଇନାହିଁ। ଏଥିରେ ଯୁବତୀ ଜଣଙ୍କ କହୁଛନ୍ତି ଯେ ସେ ହିଁ ବାବା ସାରଥୀଙ୍କୁ ହାଇଦ୍ରାବାଦ ଯିବାକୁ କହିଥିଲେ। ତିନି ଦିନ ଧରି ସେ ହାଇଦ୍ରାବାଦରେ ଥିଲେ। ଏଥିପାଇଁ ତାଙ୍କ ଉପରେ ଚାପ ପଡ଼ିଥିଲା। ନନ୍ଦି, କିଶୋର ମଲ୍ଲିକ, ଖଗେଶ୍ୱର ଓ କୈଳାସ ତାଙ୍କୁ ଏଥିପାଇଁ ଚାପ ପକାଇଥିଲେ। ସେମାନେ ତାଙ୍କର ଏକ ବାଥ୍ ରୁମ୍ ଭିଡିଓ ରଖିଥିଲେ ଓ ତାହାକୁ ନେଇ ତାଙ୍କୁ ବ୍ଲାକମେଲିଂ କରୁଥିଲେ। ଚାରି ମାସ ଧରି ସମାନେ ତାଙ୍କ ଉପରେ ଚାପ ପକାଇଥିଲେ।

ସେହିପରି  କଟକ ମଙ୍ଗଳାବାଗ ଥାନାରେ ବିବାଦୀୟ ଯୁବତୀ ଅଭିଯୋଗ କରିଥିବା ନେଇ ଆଜି ସନ୍ଧ୍ୟାରେ ରିପୋର୍ଟ ଆସିଥିଲା। ତେବେ ପରେ ଏହାକୁ ନେଇ ବିବାଦ ଦେଖାଯାଇଥିଲା। ଯୁବତୀ ଜଣଙ୍କ ନିଜେ ଏହି ଅଭିଯୋଗ କରି ନଥିବା ତଥା କାହାକୁ ତାଙ୍କ ପକ୍ଷରୁ ଏଫଆଇଆର ରୁଜୁ କରିବାକୁ ମଧ୍ୟ କହିନଥିବା ଦାବି ହୋଇଥିଲା। ଅନ୍ୟପକ୍ଷରେ ଏହି ଏଫଆଇଆର୍ ଅନୁଯାୟୀ ବିବାଦୀୟ ଯୁବତୀ ଜଣଙ୍କ କହିଛନ୍ତି ଯେ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ତାଙ୍କୁ ହଷ୍ଟେଲରୁ ନେଇ ପୋଲିସ କଷ୍ଟଡିରେ ରଖାଯାଉ ବୋଲି ସେ କହିଛନ୍ତି।  ନନ୍ଦି, କିଶୋର ମଲ୍ଲିକ, ଖଗେଶ୍ୱର ଓ କୈଳାସ ମଲ୍ଲିକ ମୋତେ ମାରି ଦେବାକୁ ଧମକ ଦେଉଛନ୍ତି ବୋଲି ବି ଏଥିରେ ଉଲ୍ଲେଖ ହୋଇଥିଲା।