ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର: ଭୁବନେଶ୍ୱର ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣାରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ। ସହକାରୀ ଯନ୍ତ୍ରୀ ବଂଶୀଧର ପ୍ରହରାଜଙ୍କୁ ଆଜି କମିଶନରେଟ୍‌ ପୋଲିସ୍ ଗିରଫ କରିଛି। ସେହିପରି ନିର୍ବାହୀ ଯନ୍ତ୍ରୀ କିଶୋର ରାଉତଙ୍କୁ ପୋଲିସ ଖୋଜୁଛି। ଏହି ଘଟଣା ପରେ ସେ ଫେରାର ହୋଇ ଯାଇଥିବା ସନ୍ଦେହ କରାଯାଉଛି। କାରଣ ପୋଲିସ ତାଙ୍କର ଖୋଜ ଖବର ପାଉ ନାହିଁ।</p> <p>ସେହିପରି ପୋଲଟିର ନିର୍ମାଣ ଦାୟିତ୍ୱରେ ନେଇ ଥିବା ସଂସ୍ଥା ‘ପଣ୍ଡା ଇନ୍‌ଫ୍ରା’ର ୩ ଜଣ ବୋର୍ଡ ଅଫ୍ ଡାଇରେକ୍ଟରଙ୍କ ନାଁରେ ମଧ୍ୟ ସଙ୍ଗୀନ ଦଫା ଲଗାଯାଇଛି। ସେମାନେ ହେଲେ ମ୍ୟାନେଜିଂ ଡିରେକ୍ଟର ପ୍ରତାପ ପଣ୍ଡା ଏବଂ ଦୁଇ ଡିରେକ୍ଟର ସୁଜାତା ପଣ୍ଡା ଓ ସନ୍ତୋଷ ପଣ୍ଡା। ଏମାନଙ୍କ ନାଁରେ ୨୮୪ , ୩୦୪, ୩୩୭, ୩୩୮ ଓ ୩୪ ଆଇପିସି ଦଫାରେ ମାମଲା ରୁଜୁ କରିଛି କମିଶନରେଟ୍ ପୋଲିସ। ଆବଶ୍ୟକ ପଡ଼ିଲେ ଏହି ୩ ଜଣଙ୍କ ନାଁରେ ଲୁକ୍ ଆଉଟ ସର୍କୁଲାର ଜାରି କରାଯିବ ବୋଲି ପୋଲିସ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି।</p> <p>ଓଭରବ୍ରିଜ୍‌ ଭୁଶୁଡ଼ିବା ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଥିବା ରାଜ୍ୟ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି। ଚିଫ୍ ଇଞ୍ଜିନିୟର ଡିଜାଇନ୍ ଓ ଚିଫ୍ ଇଞ୍ଜିନିୟର ରୋଡସ୍‌ ଏହି ତଦନ୍ତ କରିବେ। ସେମାନଙ୍କୁ ୭ ଦିନ ଭିତରେ ରିପୋର୍ଟ ଦେବାକୁ କୁହାଯାଇଛି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୂର୍ତ୍ତ ସଚିବ। ଗତକାଲି ପୂର୍ବାହ୍ନରେ ଏହି ଦୁର୍ଘଟଣା ଘଟିଥିଲା। ଏହା ପରେ ଦୁଇ ଜଣ ଯନ୍ତ୍ରୀଙ୍କୁ ସଙ୍ଗେ ସଙ୍ଗେ ନିଲମ୍ବିତ କରାଯାଇଥିଲା। ପରେ ଆଉ ଜଣେ ନିର୍ବାହୀ ଯନ୍ତ୍ରୀ ଦୁଃଖବନ୍ଧୁ ବେହେରାଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି।</p> <p>ସୂଚନାଯୋଗ୍ୟଯେ, ଗତକାଲି ନିର୍ମାଣାଧୀନ ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ି ପଡ଼ିଥିଲା। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିଲେ। ଆହତମାନେ କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ଆହତମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ ବୋଲି କହିଛନ୍ତି।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।