ପାଜେରୋ ପ୍ରସଙ୍ଗ: ସିବିଆଇ ଅଫିସ୍‌ରେ କାଗଜପତ୍ର ଦାଖଲ କଲେ ସଞ୍ଜୟ

ଭୁବନେଶ୍ୱର: ବିବାଦୀୟ ପାଜେରୋ ଗାଡ଼ି ପ୍ରସଙ୍ଗରେ ଗୁରୁବାର ସିବିଆଇ ନିକଟରେ ଆବଶ୍ୟକୀୟ ଦସ୍ତାବେଜ ଦାଖଲ କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା। ତାଙ୍କର ଏକ ଓକିଲ ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇ ସମସ୍ତ କାଗଜପତ୍ର ସିବିଆଇ ଅଧିକାରୀମାନଙ୍କୁ ପ୍ରଦାନ କରିଥିଲେ। ସଞ୍ଜୟଙ୍କ ଓକିଲ ମିହିର ମହାନ୍ତି କହିଛନ୍ତି,“ ସଞ୍ଜୟ ଦାସବର୍ମାଙ୍କ ନିକଟକୁ ୧୬୦ ଧାରାରେ ନୋଟିସ୍ ପଠା ଯାଇ ନ ଥିଲା। ସିଆର୍‌ପିସିର ୯୧ ଧାରା ଅନୁସାରେ କିଛି ଦସ୍ତାବେଜ […]

cbi

Rakesh Mallick
  • Published: Thursday, 07 April 2016
  • , Updated: 07 April 2016, 10:58 AM IST

ଭୁବନେଶ୍ୱର: ବିବାଦୀୟ ପାଜେରୋ ଗାଡ଼ି ପ୍ରସଙ୍ଗରେ ଗୁରୁବାର ସିବିଆଇ ନିକଟରେ ଆବଶ୍ୟକୀୟ ଦସ୍ତାବେଜ ଦାଖଲ କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା। ତାଙ୍କର ଏକ ଓକିଲ ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇ ସମସ୍ତ କାଗଜପତ୍ର ସିବିଆଇ ଅଧିକାରୀମାନଙ୍କୁ ପ୍ରଦାନ କରିଥିଲେ।

ସଞ୍ଜୟଙ୍କ ଓକିଲ ମିହିର ମହାନ୍ତି କହିଛନ୍ତି,“ ସଞ୍ଜୟ ଦାସବର୍ମାଙ୍କ ନିକଟକୁ ୧୬୦ ଧାରାରେ ନୋଟିସ୍ ପଠା ଯାଇ ନ ଥିଲା। ସିଆର୍‌ପିସିର ୯୧ ଧାରା ଅନୁସାରେ କିଛି ଦସ୍ତାବେଜ ଦାଖଲ କରିବାକୁ ତାଙ୍କୁ ନୋଟିସ୍‌ରେ କୁହାଯାଇଥିଲା। ସେ ନୋଟିସ୍ ଅନୁସାରେ ଆମେ ସମସ୍ତ ଦସ୍ତାବେଜ ଦାଖଲ କଲୁ। ଯେତେବେଳେ ଧାରା ୯୧ରେ ନୋଟିସ୍ ଆସେ ଜଣେ ବ୍ୟକ୍ତିଗତ ଭାବେ ହାଜର ହେବାର ଆବଶ୍ୟକତା ନାହିଁ। ଏହି ନୋଟିସ୍ ପାଇଥିବା ବ୍ୟକ୍ତିଙ୍କୁ କେବଳ କାଗଜପତ୍ର ଦାଖଲ କରିବାକୁ ପଡ଼େ। କାଗଜପତ୍ର ସେ ନିଜେ ହାଜର ହୋଇ ଦେବାର ଆବଶ୍ୟକତା ନାହିଁ। କାରଣ କାଗଜପତ୍ରର ସତ୍ୟାସତ୍ୟ ଉପରେ ସିବିଆଇ ତଦନ୍ତ କରିବ।”

ସେ କହିଛନ୍ତି,“ସଞ୍ଜୟଙ୍କ ନାଁରେ ଆସିଥିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ। ଗୋଟିଏ ପାଜେରୋ ଗାଡ଼ି ସେ ଆଗରୁ କିଣି ଥିଲେ। ସେଇଟିକୁ ସେ ବିକି ଦେଇଛନ୍ତି। ସେହି ପଇସାରେ ସେ ପ୍ରାରମ୍ଭିକ ଡିପୋଜିଟ୍ ଦେଇ ଦ୍ୱିତୀୟ ପାଜେରୋ ଗାଡ଼ିଟି କିଣି ଥିଲେ। ଏହି ଗାଡ଼ିର ଲୋନ୍ ସେ ଏଯାଏଁ ପରିଶୋଧ କରି ସାରି ନାହାନ୍ତି। ସେ ଅନ୍ୟ କୌଣସି ଉତ୍ସରୁ ଅର୍ଥ ଆଣି ଏହି ଗାଡ଼ି କିଣି ଥିବା ନେଇ ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା ହେଉଛି, ତାହା ସଂପୂର୍ଣ୍ଣ ମିଥ୍ୟା।”

ତେବେ ଗତକାଲି ସଞ୍ଜୟଙ୍କ ପ୍ରତିନିଧି ଗୌରାଙ୍ଗଙ୍କ ଠାରୁ ସିବିଆଇ ଡକ୍ୟୁମେଣ୍ଟ୍ ଗ୍ରହଣ କରିବାକୁ କାହିଁକି ମନା କଲା ବୋଲି ପଚାରିବାରେ ମିହିର କହିଥିଲେ ସେ ତାହା କହିପାରିବେ ନାହିଁ।

ଅନ୍ୟପକ୍ଷରେ ପାଜରୋ ଗାଡ଼ି ମାମଲାରେ ସଞ୍ଜୟଙ୍କୁ ନୋଟିସ୍ ନେଇ ସିବିଆଇର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି ବିଜେଡି। ଦଳର ମୁଖ୍ୟପାତ୍ର ପ୍ରତାପ ଦେବ କହିଛନ୍ତି,“ବର୍ତ୍ତମାନ ସିବିଆଇ ପକ୍ଷରୁ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ଯେଉଁ ନୋଟିସ୍ ପଠାଯାଇଛି ସେଥିରେ ଆମକୁ ରାଜନୈତିକ ବାସ୍ନା ଆସୁଛି। କାରଣ କିଛି ଦିନ ତଳେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଜଣେ ନେତା ଗଣମାଧ୍ୟମକୁ ଏକ କାଗଜ ଦେଖାଇଥିଲେ। ସେଇଟା ଥିଲା ଶ୍ରୀଯୁକ୍ତ ସେଠୀ (ଅର୍ଥତତ୍ତ୍ୱ ମୁଖ୍ୟ)ଙ୍କ ଜେରାର କାଗଜ। ଇନ୍‌ସପେକ୍ଟର ଜି.କେ ପ୍ରଧାନ ଏହି ଜେରା କରିଥିଲେ।  ଜେରା ବେଳେ ସେଥିରେ କାଳେ ଶ୍ରୀ ସେଠୀ କହିଥିଲେ ଯେ ତାଙ୍କର ଏକ ଗାଡ଼ି ସଞ୍ଜୟ ଦାସବର୍ମା ଚଢୁଛନ୍ତି। କିନ୍ତୁ ତା’ର ଆଗରେ ପଛରେ ଆଉ କିଛି ନାହିଁ। ଏହାର କିଛି ଦିନ ପରେ ସିବିଆଇ ନୋଟିସ୍ କରିଛି। ତେଣୁ ଏଥିରୁ କ’ଣ ବୁଝାପଡ଼ିବ?”

ତେବେ ରାଜନୈତିକ ଅଭିସନ୍ଧି କଥାକୁ ଅସ୍ୱୀକାର କରି କଂଗ୍ରେସର ବରିଷ୍ଠ ନେତା ଲୁଲୁ ମହାପାତ୍ର କହିଛନ୍ତି,“ଯେଉଁ ଦିନ ମୁଁ ଦସ୍ତାବେଜ୍‌ଟିକୁ ପାଇଥିଲି ତା’ପର ଦିନ ତାହାକୁ ମୁଁ ଆପଣମାନଙ୍କ (ଗଣମାଧ୍ୟମ) ଆଗରେ ଉପସ୍ଥାପିତ କରିଥିଲି। ଚାର୍ଜସିଟ୍‌ର ଦୁଇ ନମ୍ବରରେ ଜଣଙ୍କ ନାଁ ଉଲ୍ଲେଖ ଥିଲା। ତାଙ୍କ ଠିକଣା କିମ୍ବା ପଦବୀ ସଂପର୍କରେ କିଛି ଉଲ୍ଲେଖ ନ ଥିଲା। ମୁଁ କେବଳ ଗୋଟିଏ ପ୍ରଶ୍ନ ଉପସ୍ଥାପିତ କରିଥିଲି ସେ ବ୍ୟକ୍ତି କିଏ? ପରବର୍ତ୍ତୀ  ପର୍ଯ୍ୟାୟରେ ଲୋକଲୋଚନକୁ ଆସିଲା ସେ ବ୍ୟକ୍ତି କିଏ। ଏହା ପଛରେ କିଛି ରାଜନୈତିକ ଅଭିସନ୍ଧି ନାହିଁ।  ମୁଁ କେବଳ ଏତିକି କହିପାରିବି ଯେ ମୁଁ ଯେଉଁ କଥା ଉପସ୍ଥାପିତ କରିଥିଲି ତାହା ଠିକ୍ ବୋଲି ପ୍ରମାଣିତ ହୋଇଛି।”

ସିବିଆଇର ନିରପେକ୍ଷତା ଉପରେ ବିଜେଡି ଉଠାଇଥିବା ପ୍ରଶ୍ନ ଉପରେ ଲୁଲୁ କିଛି କହିବାକୁ ମନା କରି ଦେଇଛନ୍ତି।

ସିବିଆଇ ନୋଟିସ୍ ପରେ ସଞ୍ଜୟଙ୍କ ଇସ୍ତଫା ଦାବି କରିଛି ବିଜେପି। ଦଳର ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,“ସିବିଆଇ ସମନ୍ ପରେ ସଞ୍ଜୟଙ୍କ ସଂପୃକ୍ତି ରହିଛି ବୋଲି ସ୍ପଷ୍ଟ ହୋଇଛି। ଗତକାଲି ତାଙ୍କର ଜଣେ ପ୍ରତିନିଧି ସିବିଆଇ ଅଫିସ୍‌ରେ ହାଜିରା ପକାଇଥିଲେ। ଆଜି ତାଙ୍କର ଓକିଲ ଯାଇ ହାଜର ହୋଇଥିଲେ। ଏହି ପ୍ରକ୍ରିୟା ଆଗକୁ ବି ଜାରି ରହିବ।  ତାଙ୍କ ନାଁରେ ଯେଉଁ ଅଭିଯୋଗ ଆସିଛି ତାହା ଖୁବ୍ ସମ୍ବେଦନଶୀଳ। ତେଣୁ ରାଜନୀତିକୁ ନିଷ୍କଳଙ୍କ ରଖିବା ପାଇଁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେବା ଉଚିତ୍। ନ ହେଲେ ମୁଖ୍ୟମନ୍ତ୍ରୀ ତାଙ୍କୁ ଇସ୍ତଫା ଦେବା ପାଇଁ କହିବା ଉଚିତ୍।”

ଗତ ୪ ତାରିଖରେ ପାଜେରୋ ଗାଡ଼ି ସମ୍ପର୍କରେ ତଥ୍ୟ ଦେବାକୁ ସଞ୍ଜୟ ଦାସବର୍ମାଙ୍କ ସିବିଆଇ ନୋଟିସ୍‌ ଜାରି କରିଥିଲା। ୫ ତାରିଖ ଅପରାହ୍ନ ସାଢେ ୩ଟାରେ ପାଜେରୋ ସମ୍ପର୍କିତ ସମସ୍ତ ତଥ୍ୟ ସହ ହାଜର ହେବାକୁ କୁହାଯାଇଥିଲା। ଗାଡ଼ି ବିକ୍ରି ହୋଇଥିଲେ କିଏ ବିକ୍ରି କରିଛି, କାହାକୁ ବିକ୍ରି ହୋଇଛି ସେ ନେଇ ତଥ୍ୟ ଦେବାକୁ ନୋଟିସରେ କୁହାଯାଇଥିଲା। ଏହାସହ ସଞ୍ଜୟ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ଥିବା ଅନ୍ୟ ଗାଡ଼ିର ବିବରଣୀ ଦେବାକୁ ମଧ୍ୟ କୁହାଯାଇଥିଲା। ଏସବୁ ଗାଡ଼ି କିଣିବାକୁ ଅର୍ଥ କେଉଁଠୁ ଆସିଲା, ତାହା ମଧ୍ୟ ଜଣାଇବାକୁ କୁହାଯାଇଥିଲା।

Related story