ପ୍ରସାଦଙ୍କୁ ହଟାଇବାକୁ ରାହୁଲଙ୍କୁ ଚିଠି

ଭୁବନେଶ୍ୱର: କଂଗ୍ରେସରେ କୁହୁଳୁଛି କନ୍ଦଳ ନିଆଁ। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ପଦରୁ ହଟାଇବା ପାଇଁ ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଛନ୍ତି ଜଣେ ପୂର୍ବତନ ମନ୍ତ୍ରୀ ଓ ଏଆଇସିସି ସଦସ୍ୟ। ଚିଠିରେ ସେ ତାଙ୍କ ନାଁ ଲେଖି ନାହାନ୍ତି। ତେବେ କିଛି ମାସ ଭିତରେ ହୋଇଥିବା ୧୧ଟି ପୌର ନିର୍ବାଚନରେ ଦଳର ବିପର୍ଯ୍ୟୟ ପାଇଁ ସେ ପ୍ରସାଦଙ୍କୁ ଦାୟୀ କରିଛନ୍ତି। ଏଇ ଚିଠି ‘ଓଟିଭି’ର ହସ୍ତଗତ ହୋଇଛି। ଏହି ଚିଠିରେ କଂଗ୍ରେସର ବିପର୍ଯ୍ୟୟର ତଥ୍ୟ ଦିଆଯାଇଛି। ଏଥିରେ […]

prasad

Rakesh Mallick
  • Published: Saturday, 13 February 2016
  • , Updated: 13 February 2016, 03:12 PM IST

ଭୁବନେଶ୍ୱର: କଂଗ୍ରେସରେ କୁହୁଳୁଛି କନ୍ଦଳ ନିଆଁ। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ପଦରୁ ହଟାଇବା ପାଇଁ ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଛନ୍ତି ଜଣେ ପୂର୍ବତନ ମନ୍ତ୍ରୀ ଓ ଏଆଇସିସି ସଦସ୍ୟ। ଚିଠିରେ ସେ ତାଙ୍କ ନାଁ ଲେଖି ନାହାନ୍ତି। ତେବେ କିଛି ମାସ ଭିତରେ ହୋଇଥିବା ୧୧ଟି ପୌର ନିର୍ବାଚନରେ ଦଳର ବିପର୍ଯ୍ୟୟ ପାଇଁ ସେ ପ୍ରସାଦଙ୍କୁ ଦାୟୀ କରିଛନ୍ତି। ଏଇ ଚିଠି ‘ଓଟିଭି’ର ହସ୍ତଗତ ହୋଇଛି।

ଏହି ଚିଠିରେ କଂଗ୍ରେସର ବିପର୍ଯ୍ୟୟର ତଥ୍ୟ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ନିକଟରେ ଶେଷ ହୋଇଥିବା କେନ୍ଦୁଝର ଜିଲ୍ଲା ଚଂପୁଆ ଏନ୍‌ଏସି ଓ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍‌ଏସି ନିର୍ବାଚନରେ ଦଳ ଲଜ୍ଜାଜନକ ଭାବେ ପରାଜିତ ହୋଇଛି। ଚଂପୁଆ ଏନ୍‌ଏସିରେ ୧୩ଟି ଆସନ ଥିବା ବେଳେ ଦଳ ମାତ୍ର ୮ଟିରେ ପ୍ରାର୍ଥୀ ଦେବାକୁ ସମର୍ଥ ହୋଇଥିଲା। ବାଲିଗୁଡ଼ା ଏନଏସିରେ ୧୩ଟି ୱାର୍ଡରୁ ବିଜେଡି ୯ଟିରେ ଜିତି ଥିବା ବେଳେ କଂଗ୍ରେସ ୩ଟି ୱାର୍ଡରେ ଜିତିଛି। ଚଂପୁଆ ଏନ୍‌ଏସିରେ ୧୩ଟି ୱାର୍ଡରୁ ବିଜେଡି ୯ଟି ଆସନ ଜିତି ଥିବା ବେଳେ କଂଗ୍ରେସ ଗୋଟିଏ ବି ଆସନ ପାଇବାକୁ ସମର୍ଥ ହୋଇନାହିଁ।

ଏହି ଚିଠିରେ ଆହୁରି ମଧ୍ୟ ଲେଖାଯାଇଛି ଯେ ଭୁବନେଶ୍ୱର ମହାନଗର ନିଗମର ୧୭ ନମ୍ବର ୱାର୍ଡ ପାଇଁ ହୋଇଥିବା ଉପ-ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମାତ୍ର ୩୮୧ଟି ଭୋଟ୍ ପାଇଥିଲେ। ଅନ୍ୟପକ୍ଷରେ ବିଜେଡଇର ବିଜୟୀ ପ୍ରାର୍ଥୀ ୨୦୪୨ ଭୋଟ୍ ପାଇଥିଲେ। ପୁଲବାଣୀ ପୌରପାଳିକାର ୧୦ ନମ୍ବର ୱାର୍ଡ ଓ ଗଞ୍ଜାମ ଏନଏସିର ୫ ନମ୍ବର ୱାର୍ଡ ପାଇଁ ହୋଇଥିବା ଉପ-ନିର୍ବାଚନରେ ମଧ୍ୟ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।

ଅଭିଯୋଗକାରୀ ଏହି ଚିଠିରେ ଉଲ୍ଲେଖ କରିଛନ୍ତି ଯେ କଣାସ ବ୍ଲକ୍ ପଞ୍ଚାୟତ ସମିତି ଉପ-ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେଇ ପାରିଲା ନାହିଁ। ପୁଣି ଏହି ଅଞ୍ଚଳଟି ପିସିସି ସଭାପତିଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀରେ ରହିଛି।

ପ୍ରସାଦଙ୍କ ନେତୃତ୍ୱରେ ରାଜ୍ୟରେ ଦଳ ତଳକୁ ତଳ ଯାଉଛି। କର୍ମୀଙ୍କ ମନୋବଳ ଭାଙ୍ଗଛି ବୋଲି ଏହି ଚିଠିରେ ଲେଖା ଯାଇଛି। ଅଭିଯୋଗକାରୀ ପୂର୍ବତନ ମନ୍ତ୍ରୀ ତଥା ଏଆଇସିସି ସଦସ୍ୟ ଲେଖିଛନ୍ତି ଯେ ପ୍ରସାଦଙ୍କ ନେତୃତ୍ୱରେ ଦଳ ଏଯାବତ ଲଢ଼ିଥିବା ସମସ୍ତ ନିର୍ବାଚନରେ କ୍ରମାଗତ ଭାବେ ଖରାପ ଫଳାଫଳ କରିଥିବାରୁ କର୍ମୀମାନେ ହତାଶ ହୋଇପଡ଼ିଛନ୍ତି। ପ୍ରସାଦଙ୍କୁ ଓଡ଼ିଶାର ଲୋକେ ଜଣେ ନେତା ଭାବେ ଗଣନା କରୁ ନାହାନ୍ତି। ସେ ମନଇଚ୍ଛା ନିଷ୍ପତ୍ତି ନେଉଛନ୍ତି। ଏହା ଦ୍ୱାରା ଦଳର କ୍ଷତି ହେଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର ପ୍ରମୁଖ ପ୍ରସାଦଙ୍କ ନେତୃତ୍ୱକୁ ଦୋଷାରପ କରି କଂଗ୍ରେସ ଛାଡ଼ିଛନ୍ତି।

ସେ ଆହୁରି ମଧ୍ୟ ଲେଖିଛନ୍ତି, ପ୍ରସାଦ ରାଜ୍ୟରେ ଦଳକୁ ଏକ ପ୍ରଭାବଶାଳୀ ନେତୃତ୍ୱ ଦେଇପାରିବେ ନାହିଁ। ଯଦି ସେ ପିସିସି ସଭାପତି ପଦ ବଜାୟ ରଖନ୍ତି, ତା’ହେଲେ କର୍ମୀମାନେ ନିରୁତ୍ସାହିତ ହୋଇଯିବେ। ଆଉ ଏପରି ହେଲେ ୨୦୧୭ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଦଳକୁ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିବ। ୨୦୧୭ ପଞ୍ଚାୟତ ନିର୍ବାଚନ କଂଗ୍ରେସ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେଣୁ ଦୟା କରି ଯେତେ ଶୀଘ୍ର ସମ୍ଭବ ପ୍ରସାଦ ହରିଚନ୍ଦନଙ୍କୁ ପିସିସି ସଭାପତି ପଦବୀରୁ ହଟାନ୍ତୁ ଓ କର୍ମୀଙ୍କ ମନରେ ଭରସା ଜମାନ୍ତୁ। ଏହା ଦ୍ୱାରା ଓଡ଼ିଶାରେ ଦଳକୁ ଏକ ନୂତନ ଦିଗ ମିଳିପାରିବ।

ଦଳର ବିପର୍ଯ୍ୟୟ ହୋଇଛି ବୋଲି ସ୍ୱୀକାର କରିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, ଦଳର ପରିସ୍ଥିତି ଭଲ ନାହିଁ। ଏହା ସତ୍ୟ। କିନ୍ତୁ ଖାଲି ସଭାପତିଙ୍କୁ ବଦଳାଇ ଦେଲେ ଦଳର ସ୍ଥିତି ଠିକ୍ ହୋଇଯିବ, ତାହାର କିଛି ମାନେ ନାହିଁ। ଦୁର୍ବଳତା ଦୂର କରିବା ପାଇଁ ସମସ୍ତେ ଏକାଠି ହୋଇ ଚିନ୍ତା କରିବେ ଓ କାର୍ଯ୍ୟ କରିବେ ତା’ହେଲେ ଦଳର କିଛି ପରିବର୍ତ୍ତନ ହୋଇପାରିବ।

ପିସିସି ସମନ୍ୱୟ କମିଟିର ଆଉ ଜଣେ ସଦସ୍ୟ ତଥା ବରିଷ୍ଠ ନେତା ଲୁଲୁ ମହାପାତ୍ର କହିଛନ୍ତି, ପିସିସି ସଭାପତିଙ୍କ ନାଁରେ ଚିଠି ଲେଖିବା କିଛି ନୂଆ କଥା ନୁହେଁ। ନିରଞ୍ଜନ ପଟ୍ଟନାୟକଙ୍କ ବେଳେ ହୋଇଥିଲା, ଜୟଦେବ ଜେନାଙ୍କ ବେଳେ ହୋଇଥିଲା ଓ ଏବେ ପ୍ରସାଦ ବାବୁଙ୍କ ବେଳେ ବି ହେଉଛି। ଏହା ପାରଂପରିକ ଭାବେ ହେଉଛି। କିଛି ଲୋକଙ୍କ ଚରିତ୍ର ସେୟା। ଘରକୁ ବିଶୃଙ୍ଖଳିତ କରିବା ପାଇଁ ଉଦ୍ୟମ କରାଯାଇଛି। ଦଳକୁ ସଜାଡ଼ିବାକୁ ନେତା ଓ କର୍ମୀଙ୍କୁ ଏକାଠି ହେବାର ଆବଶ୍ୟକତା ଅଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦଳରେ ସେହି ଉତ୍ସାହ ଦେଖାଯାଇନି।

ପିସିସି ମୁଖପାତ୍ର ଶରତ ରାଉତ କହିଛନ୍ତି ଯେ ପ୍ରସାଦଙ୍କ ନେତୃତ୍ୱରେ ଆପାତତଃ ଠିକ୍‌ଠାକ୍ ଚାଲିଛି। ସବୁ ଠିକ୍ ଚାଲିଛି ବୋଲିତ କହିପାରିବାନି। ଦଳର କ୍ଷତି ହେଲା ଭଳି କିଛି ହୋଇନି। ଯେଉଁମାନେ ପ୍ରତିକ୍ରିୟାଶୀଳ ହେଉଛନ୍ତି ସେମାନେ ସାମ୍ନାକୁ ଆସିବା ଦରକାର।

ଅନ୍ୟପକ୍ଷରେ ଡାକରା ପାଇ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ସେ ଏନେଇ କିଛି ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି।

ପ୍ରସାଦଙ୍କ ‘ମୁଁ ନୁହେଁ ଆମେ’ ନାରାକୁ ଭୁଲି ଏବେ କଂଗ୍ରେସ ନେତା ଓଲଟା ‘ଆମେ ନୁହେଁ ମୁଁ’ ନାରା ଦେଉଛନ୍ତି। ମଞ୍ଚରେ କଳି ପରେ ଚିଠିରେ ଚିଠିରେ ବିଦ୍ରୋହ ପୁଣି କଂଗ୍ରେସ କନ୍ଦଳକୁ ପଦାରେ ପକାଇଛି।

Related story