ରାଜ୍ୟବାସୀଙ୍କ ଆସ୍ଥା ମୋତେ ଅଭିଭୂତ କରିଛି: ନବୀନ

ଭୁବନେଶ୍ୱର: ରାଜ୍ୟବାସୀ ତାଙ୍କ ପ୍ରତି ଯେଉଁ ଆସ୍ଥା ଦେଖାଇଛନ୍ତି ତାହା ତାଙ୍କୁ ଅଭିଭୂତ କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ବିଜେଡିର ୧୯ତମ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର ସ୍ଥିତ ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ସଭାରେ ସେ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ,“୨୦୦୦ ମସିହାରେ ଓଡ଼ିଶାବାସୀ ଏକ ବଡ଼ ପରିବର୍ତ୍ତନ ଚାହିଁଥିଲେ। ସେହି ପରିବର୍ତ୍ତନର ମଙ୍ଗ ବିଜେଡି ଧରି ଥିଲା। ସେହି ପରିବର୍ତ୍ତନ ଓଡ଼ିଶା ଇତିହାସରେ ଏକ ନିର୍ଣ୍ଣାୟକ ମୋଡ଼ ଥିଲା। ସେ […]

naveen

Rakesh Mallick
  • Published: Monday, 26 December 2016
  • , Updated: 26 December 2016, 09:38 PM IST

ଭୁବନେଶ୍ୱର: ରାଜ୍ୟବାସୀ ତାଙ୍କ ପ୍ରତି ଯେଉଁ ଆସ୍ଥା ଦେଖାଇଛନ୍ତି ତାହା ତାଙ୍କୁ ଅଭିଭୂତ କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ବିଜେଡିର ୧୯ତମ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର ସ୍ଥିତ ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ସଭାରେ ସେ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ,“୨୦୦୦ ମସିହାରେ ଓଡ଼ିଶାବାସୀ ଏକ ବଡ଼ ପରିବର୍ତ୍ତନ ଚାହିଁଥିଲେ। ସେହି ପରିବର୍ତ୍ତନର ମଙ୍ଗ ବିଜେଡି ଧରି ଥିଲା। ସେହି ପରିବର୍ତ୍ତନ ଓଡ଼ିଶା ଇତିହାସରେ ଏକ ନିର୍ଣ୍ଣାୟକ ମୋଡ଼ ଥିଲା। ସେ ପରିବର୍ତ୍ତନ ଓଡ଼ିଶାବାସୀଙ୍କ ଆଶା, ଆକାଂକ୍ଷାକୁ ପୂରଣ କରିପାରିଛି। ଆଜି ପର୍ଯ୍ୟନ୍ତ ଓଡ଼ିଶାବାସୀ ସେହି ପରିବର୍ତ୍ତନ ଉପରେ ଆସ୍ଥା ରଖି ଆସିଛନ୍ତି। ସେହି ଆସ୍ଥା ମୋତେ ସବୁବେଳେ ଅଭିଭୂତ କରେ ଏବଂ ମୋତେ ଅଧିକ ଦାୟିତ୍ୱବାନ କରେ।”

ସେ କହିଥିଲେ,“ରାଜ୍ୟବାସୀଙ୍କର ବିଜେଡି ପ୍ରତି ସେହି ଆସ୍ଥା ଏତେ ଗଭୀର ଯେ ନ୍ୟାସ୍‌ନାଲ୍‌ ପଲିଟିକ୍ସର ହାୱା ଏହାକୁ ଜମାରୁ ଛୁଇଁ ପାରି ନ ଥିଲା। ୨୦୧୪ରେ ଓଡ଼ିଶାବାସୀ ଆମକୁ ଐତିହାସିକ ଭୋଟ୍‌ରେ ବିଜୟୀ କରିଥିଲେ। ସେଥିପାଇଁ ଆମେ ଋଣି।”

ମୁଖ୍ୟମନ୍ତ୍ରୀ କହିଥିଲେ,“ଆମେ କଥାରେ ନୁହେଁ କାମରେ ବିଶ୍ୱାସ କରୁ। ଆମେ ପ୍ରଚାର ନୁହେଁ ସେବାରେ ବିଶ୍ୱାସ କରୁ। ଗତ ନିର୍ବାଚନରେ ଆମ ଦଳ ଦେଇଥିବା ପ୍ରତିଶ୍ରୁତିକୁ ଆମେ ଗୋଟି ଗୋଟି କି ପାଳନ କରୁଛୁ। ନିର୍ବାଚନୀ ଇସ୍ତାହାରରେ ଆମେ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲୁ ସେଗୁଡ଼ିକୁ ଆଗାମୀ ୩ ବର୍ଷରେ କାର୍ଯ୍ୟକାରୀ କରିବୁ।”

ମହାନଦୀ ଓ ପୋଲାଭରମ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ କହିଥିଲେ,“ଓଡ଼ିଶାର ହକ୍ ପାଇଁ ଆମ ସଂଗ୍ରାମ ଜାରି ରହିଛି। ଓଡ଼ିଆଙ୍କ ସ୍ୱାଭିମାନରେ ଆଞ୍ଚ ଆଣିବାକୁ ଚାହୁଁଥିବା କୌଣସି ପ୍ରସଙ୍ଗକୁ ବରଦାସ୍ତ କରାଯିବ ନାହିଁ। ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ ଆମ ଲଢ଼େଇ ଜାରି ରହିବ।”

ଏହି ଅବସରରେ ସେ କେନ୍ଦ୍ର ସରକାରଙ୍କୁ ବି ସମାଲୋଚନା କରି ଥିଲେ। ସେ କହିଥିଲେ,“ବିଭିନ୍ନ କେନ୍ଦ୍ରୀୟ ଯୋଜନା ବିଶେଷ କରି ଆଦିବାସୀ ଲୋକଙ୍କ ବିକାଶ ସହିତ ଜଡ଼ିତ ଯୋଜନାରେ କେନ୍ଦ୍ର ସରକାର ଅର୍ଥ ଦେବା ବନ୍ଦ କରି ଦେଇଛି। ତେଣୁ ଏହି ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ଅସୁବିଧା ହେଉଛି। ତେବେ ରାଜ୍ୟ ସରକାର ନିଜ ପାଣ୍ଠିରୁ ଏହି ଅଭାବ ଭରଣା କରୁଛନ୍ତି।”

ମା’, ମାଟି ଓ ମଣିଷର ସେବାରେ ନିଜକୁ ନିୟୋଜିତ କରିବାକୁ ସେ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ,“ଦଳର ସଭାପତିଙ୍କଠାରୁ ଆରମ୍ଭ କରି ତଳସ୍ତରର କର୍ମୀ, ସମସ୍ତେ ଲୋକଙ୍କ ସେବକ। ଏହି ମନୋଭାବ, ପ୍ରଗତି ଏବଂ କଲ୍ୟାଣର ବାର୍ତ୍ତା ନେଇ ଆମେ ଲୋକଙ୍କ ପାଖକୁ ଯିବା।”

ସଭାରେ ମୁଖ୍ୟମନ୍ତ୍ରୀ ଦଳର ତଳସ୍ତରର କର୍ମୀଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ,“ମୋ ପାଇଁ ନେତା ଓ କର୍ମୀ ସମସ୍ତେ ସମାନ। ତଳ ସ୍ତରର କର୍ମୀ ଦଳର ମେରୁଦଣ୍ଡ। ସେମାନଙ୍କ ପାଇଁ ମୋ ଦ୍ୱାର ସବୁବେଳେ ଖୋଲା। ସେମାନଙ୍କ ନିଷ୍ଠା ଓ ପରିଶ୍ରମ ଯୋଗୁଁ ବିଜେଡି ଆଜି ଏକ ନମ୍ବର ଦଳ ହୋଇଛି। ଭବିଷ୍ୟତରେ ବି ଏହା ଏକ ନମ୍ବର ଦଳ ମାନ୍ୟତା ବଜାୟ ରଖିବ।”

ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ,“ସାଧାରଣ ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥିବା ରାଜନୈତିକ ଦଳ ଓ କିଛି ନ୍ୟସ୍ତସ୍ୱାର୍ଥ୍ୟ ବ୍ୟକ୍ତି ଆମ ଦଳର ଛବିକୁ ମଳିନ କରିବାକୁ ଅପଚେଷ୍ଟା କରୁଛନ୍ତି। ଏହାର ପ୍ରଭାବ ଲୋକଙ୍କ ଉପରେ ପଡ଼ୁନାହିଁ। ତେଣୁ ସେମାନେ ବିଚଳିତ ହୋଇପଡ଼ିଛନ୍ତି।”

ଶେଷରେ ସେ ରାଜ୍ୟବାସୀଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇଥିଲେ।

ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏଥର ନିର୍ବାଚନ ମଣ୍ଡଳୱାରୀ ବିଜେଡି ତା’ର ପ୍ରତିଷ୍ଠା ଦିବସ ପାଳନ କରିଛି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ କଡା ସମାଲୋଚନା କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି। ନଗଡ଼ା, ଗୁମୁଡୁମାହା, ଜାପାନିଜ ଏନ୍‌ସେଫାଲାଇଟିସ୍‌ରେ ଶିଶୁମୃତ୍ୟୁ, ମେୟରଙ୍କ ବିବାଦୀୟ ଭିଡିଓ ଅଭିଯୋଗ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ବାରମ୍ବାର ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଅହଂକାର ବଢିଯାଇଛି। ଲୋକେ ଠିକ୍‌ ସମୟରେ ଏହାର ଉଚିତ ଜବାବ ଦେବେ। ବିଜେଡିରେ ଅର୍ନ୍ତଦ୍ୱନ୍ଦ କେତେ ଅଛି ତାହା ମୁଖ୍ୟମନ୍ତ୍ରୀଙ୍କୁ ଅଜଣା। ତାଙ୍କ ଦଳ ପରି ଆମ ଦଳରେ କେହି ବାଡିଆପିଟା ହେଉନାହାନ୍ତି।”

ସେ କହିଛନ୍ତି,“ମୁଖ୍ୟମନ୍ତ୍ରୀଙ୍କ ଇମେଜ୍‌ ଥିଲେ ସିନା ଡ୍ୟାମେଜ୍‌ ହେବ। ବିଜେଡିର ଇମେଜ୍‌ ନାହିଁ, ନିର୍ବାଚନ ଜିତିଗଲେ ଇମେଜ୍‌ ବଢି ନ ଥିଏ।”

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି,“ଜାପାନିଜ ଏନ୍‌ସେଫାଲାଇଟିସ୍‌ରେ ମାଲକାନଗିରିରେ ଶିଶୁ ମୃତ୍ୟୁ, ଗୁମୁଡୁମାହାରେ ଗରିବ ଆଦିବାସୀଙ୍କ ହତ୍ୟା, ନାରୀ ନିର୍ଯାତନା ଓ ମେୟର ଅନନ୍ତ ନାରାୟଣ ଜେନାଙ୍କ ଯୌନ କେଳେଙ୍କାରୀ ହେଉଛି ବିଜେଡିର ଛବି। ଆମେ ଆଗରୁ କହି ଆସିଛୁ ଓ ଏବେ ବି କହୁଛୁ ନବୀନ ପଟ୍ଟନାୟକଙ୍କ ସରକାର କେବଳ ଭାଷଣ ସର୍ବସ୍ୱ।”

Related story