ବୋଲ ମାନୁନି ବିଜେଡିର ମୟୂରଭଞ୍ଜ ସଂଗଠନ, ପୁଣି ବଦଳିଲା ରଣନୀତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲାରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ବିଜେଡି ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଥିଲେ ମଧ୍ୟ ସେଠାରେ ସଂଗଠନ ତଳକୁ ତଳ ଯିବାରେ ଲାଗିଛି । ବିଶେଷକରି ଜିଲ୍ଲାରେ ଦଳୀୟ ନେତାଙ୍କ ମଧ୍ୟରେ ତୀବ୍ର ଗୋଷ୍ଠୀକନ୍ଦଳ ଏବେ ବିଜେଡିକୁ ପୁଣିଥରେ ସେଠାରେ ନିଜର ରଣନୀତିକୁ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରିଛି। ଯଦିଓ ଦଳର ପର୍ଯ୍ୟବେକ୍ଷକ ଭାବେ ବିଜେଡିର ପ୍ରଭାବଶାଳୀ ଯୁବନେତା ପ୍ରଣବ ପ୍ରକାଶ ଦାସ ରହିଛନ୍ତି ତଥାପି ସେଠାରେ ନିର୍ବାଚନମଣ୍ଡଳୀସ୍ତରୀୟ […]

n-909

Tapas Behera
  • Published: Sunday, 01 March 2020
  • , Updated: 02 March 2020, 07:21 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲାରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ବିଜେଡି ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଥିଲେ ମଧ୍ୟ ସେଠାରେ ସଂଗଠନ ତଳକୁ ତଳ ଯିବାରେ ଲାଗିଛି । ବିଶେଷକରି ଜିଲ୍ଲାରେ ଦଳୀୟ ନେତାଙ୍କ ମଧ୍ୟରେ ତୀବ୍ର ଗୋଷ୍ଠୀକନ୍ଦଳ ଏବେ ବିଜେଡିକୁ ପୁଣିଥରେ ସେଠାରେ ନିଜର ରଣନୀତିକୁ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରିଛି। ଯଦିଓ ଦଳର ପର୍ଯ୍ୟବେକ୍ଷକ ଭାବେ ବିଜେଡିର ପ୍ରଭାବଶାଳୀ ଯୁବନେତା ପ୍ରଣବ ପ୍ରକାଶ ଦାସ ରହିଛନ୍ତି ତଥାପି ସେଠାରେ ନିର୍ବାଚନମଣ୍ଡଳୀସ୍ତରୀୟ ପର୍ଯ୍ୟବେକ୍ଷକଙ୍କୁ ପରିବର୍ତ୍ତନ କରାଯାଇଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାର ନିର୍ବାଚନମଣ୍ଡଳୀସ୍ତରୀୟ ପର୍ଯ୍ୟବେକ୍ଷକ ଥିବା ପ୍ରଣବ ବଳବନ୍ତରାୟ ଓ ଉମା ସାମନ୍ତରାୟଙ୍କୁ ପରିବର୍ତ୍ତନ କରି ସେମାନଙ୍କ ସ୍ଥାନରେ ବିଧାୟକ ସଞ୍ଜିବ ମଲ୍ଲିକ ଓ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି। ବିଧାୟକ ବ୍ୟୋମକେଶ ରାୟ ଓ ବିଧାୟକ ସୁଶାନ୍ତ ରାଉତଙ୍କ ଦାୟିତ୍ୱ ବଳବତ୍ତର ରହିଛି। ଜିଲ୍ଲାର ମୋଟ ୯ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ କେବଳ ବାଙ୍ଗିରିପୋଷିକୁ ଛାଡ଼ି ବାକି ୮ଟି ନିର୍ବାଚନମଣ୍ଡଳୀ ଦାୟିତ୍ୱ ଏହି ୪ ନେତାଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି। ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀର ଦାୟିତ୍ୱ ସେଠାରୁ ପ୍ରତିନିଧିତ୍ୱ କରୁଥିବା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଉପରେ ସମ୍ପୂର୍ଣ୍ଣ ନ୍ୟସ୍ତ କରାଯାଇଛି। ବିଧାୟକ ବ୍ୟୋମକେଶ ରାୟଙ୍କୁ କରଞ୍ଜିଆ ଓ ଯଶୀପୁର, ବିଧାୟକ ସୁଶାନ୍ତ ରାଉତଙ୍କୁ ବାରିପଦା ଓ ମୋରଡ଼ା, ବିଧାୟକ ସଞ୍ଜିବ ମଲ୍ଲିକଙ୍କୁ ଉଦଳା ଓ ବଡ଼ସାହି ଏବଂ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ରାଇରଙ୍ଗପୁର ଓ ସାରସକଣା ନିର୍ବାଚନମଣ୍ଡଳୀ ଦାୟିତ୍ୱ ଦିଆଯାଇଛି।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପରେ ମୟୂରଭଞ୍ଜ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ଅରୁଣ ସାହୁଙ୍କୁ ହଟାଇ ପ୍ରଣବ ପ୍ରକାଶ ଦାସଙ୍କୁ ନ୍ୟସ୍ତ କରାଯାଇଥିଲା। ଶ୍ରୀ ଦାସ ମଧ୍ୟ ସେଠାରେ ପୂର୍ବରୁ ପର୍ଯ୍ୟବେକ୍ଷକ ଥିବା ଦଳର ପ୍ରଭାବଶାଳୀ ନେତା ସଞ୍ଜୟ ଦାସବର୍ମା ଓ ଅରୁଣ ସାହୁଙ୍କୁ ସାଙ୍ଗରେ ଧରି ଜିଲ୍ଲାର ସଂଗଠନକୁ ସୁଦୃଢ଼ କରିବାକୁ ପ୍ରୟାସ କରିଥିଲେ। ଏପରିକି ମୟୂରଭଞ୍ଜ ଜିଲ୍ଲାକୁ ସାଂଗଠନିକ ଦୃଷ୍ଟିରୁ ୨ଟି ଜିଲ୍ଲାରେ ବିଭକ୍ତ କରାଯାଇ ବିଜେଡି ସେଠାରେ ନିଜର ସଂଗଠନକୁ ସୁଦୃଢ଼ କରିବା ନିମନ୍ତେ ଉଦ୍ୟମ ଆରମ୍ଭ କରିଛି। ମାତ୍ର ସଂଗଠନ ସେଠାରେ ସୁଦୃଢ଼ ହେବା

ପରିବର୍ତ୍ତେ ଦଳୀୟ ନେତାମାନଙ୍କ ମଧ୍ୟରେ ଛକାପଞ୍ଝା ଓ ଗୋଷ୍ଠୀକନ୍ଦଳ ତୀବ୍ରତର ହେଉଛି, ଯାହାକି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସେପଟେ ଜିଲ୍ଲାରେ ବଢ଼ୁଥିବା ଗୋଷ୍ଠୀକନ୍ଦଳକୁ ଦେଖି ଜିଲ୍ଲାର ରାଜନୀତିଠୁ ଉଭୟ ସଞ୍ଜୟ ଓ ଅରୁଣ ନିଜକୁ ଦୂରେଇ ରଖିଥିବା ସୂଚନା ମିଳିଛି। ତେବେ ଉଭୟ ସଞ୍ଜୟ ଓ ଅରୁଣ ନିଜର ଖାସ୍ ଅନୁଗତ ବ୍ୟୋମକେଶ ଓ ସୁଶାନ୍ତଙ୍କ ମାଧ୍ୟମରେ ଜିଲ୍ଲାର ରାଜନୀତି ଉପରେ ନଜର ରଖିବେ ବୋଲି ଚର୍ଚ୍ଚା ହେଉଛି।

Related story