ତୁଟିଲା ଯୁକ୍ତ ଦୁଇ ଖାତାଦେଖା ବିବାଦ: ଆଜିଠୁ ଖାତା ଦେଖିବେ ବେସରକାରୀ କଲେଜ ଅଧ୍ୟାପକ

ଭୁବନେଶ୍ୱର: ଅଧ୍ୟାପକଙ୍କ ଦାବି ସମ୍ପର୍କରେ ଆଲୋଚନା କରାଯିବାକୁ ସରକାର ପ୍ରତିଶ୍ରୁତି ଦେବା ପରେ ୪୮୮ ଓ ୬୬୨ ବର୍ଗ ଅଧ୍ୟାପକମାନେ ଆଜିଠାରୁ ଖାତା ଦେଖିବେ। ଆଜି ରବିବାର ହୋଇଥିବା ସତ୍ତ୍ୱେ ଖାତାଦେଖା ଜାରି ରହିବ। ଗତକାଲି  ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଶକ୍ତିମନ୍ତ୍ରୀଙ୍କ ସହ ଆଲୋଚନା ପରେ ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିବ ବୋଲି ଘୋଷଣା କରିଥିଲା। ଏଥି ସହିତ ଖାତା ଦେଖାରେ  ସହଯୋଗ କରିବ ବୋଲି ସଂଘ କହିଥିଲା। ଫଳରେ ୬ ଦିନ ଧରି ଖାତାଦେଖାକୁ ନେଇ […]

t

t

Rakesh Mallick
  • Published: Sunday, 10 April 2016
  • Updated: 10 April 2016, 07:08 AM IST

Sports

Latest News

ଭୁବନେଶ୍ୱର: ଅଧ୍ୟାପକଙ୍କ ଦାବି ସମ୍ପର୍କରେ ଆଲୋଚନା କରାଯିବାକୁ ସରକାର ପ୍ରତିଶ୍ରୁତି ଦେବା ପରେ ୪୮୮ ଓ ୬୬୨ ବର୍ଗ ଅଧ୍ୟାପକମାନେ ଆଜିଠାରୁ ଖାତା ଦେଖିବେ। ଆଜି ରବିବାର ହୋଇଥିବା ସତ୍ତ୍ୱେ ଖାତାଦେଖା ଜାରି ରହିବ। ଗତକାଲି  ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଶକ୍ତିମନ୍ତ୍ରୀଙ୍କ ସହ ଆଲୋଚନା ପରେ ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିବ ବୋଲି ଘୋଷଣା କରିଥିଲା। ଏଥି ସହିତ ଖାତା ଦେଖାରେ  ସହଯୋଗ କରିବ ବୋଲି ସଂଘ କହିଥିଲା। ଫଳରେ ୬ ଦିନ ଧରି ଖାତାଦେଖାକୁ ନେଇ ଜାରି ରହିଥିବା ଅଚଳାବସ୍ଥା ଦୂର ହୋଇଛି।

ବ୍ଲକ୍‌ଗ୍ରାଣ୍ଟ ଉଚ୍ଛେଦ କରି ପୂର୍ଣ୍ଣ ଅନୁଦାନ ଦାବିରେ ଅଧ୍ୟାପକମାନେ ଚଳାଇଥିବା ଆନ୍ଦୋଳନ ଯୋଗୁଁ ଯୁକ୍ତଦୁଇ ଖାତା ଦେଖା ଗଭୀର ଭାବେ ପ୍ରଭାବିତ ହୋଇଥିଲା। ବାରମ୍ବାର ଅନୁରୋଧ କଲା ପରେ ମଧ୍ୟ ଏହାର କିଛି ପ୍ରଭାବ ଅଧ୍ୟାପକଙ୍କ ଉପରେ ପଡି ନ ଥିଲା। ଶେଷରେ ବିକଳ୍ପ ବ୍ୟବସ୍ଥାରେ ଖାତା ଦେଖାର ବ୍ୟବସ୍ଥା କରିଥିଲେ ସରକାର।

ଅନ୍ୟପକ୍ଷରେ ଖାତା ଦେଖା ପ୍ରକ୍ରିୟାରେ ଆନ୍ଦୋଳନରତ ଅଧ୍ୟାପକମାନଙ୍କୁ ସାମିଲ କରାଇବା ଆଶା ସରକାର ଛାଡି ନ ଥିଲେ। ଗତକାଲି ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଏବଂ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ସଂଘ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୪ ତାରିଖରେ ହେବାକୁ ଥିବା ବୈଠକରେ ଅଧ୍ୟାପକଙ୍କ ଦାବି ସମ୍ପର୍କରେ ଆଲୋଚନା କରାଯିବାକୁ ଦୁଇମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏହାକୁ ସଂଘ ମାନି ନେବା ସହ ଆନ୍ଦୋଳନକୁ ସ୍ଥଗିତ ରଖିଥିବା ଘୋଷଣା କରିଥିଲା। ଏହାସହ ଖାତା ମୂଲ୍ୟାୟନରେ ସହଯୋଗ କରିବାକୁ ସଂଘ ପ୍ରତିଶ୍ରୁତି ଦେଇଥିଲା।

୬୬୨ ବର୍ଗ ଅଧ୍ୟାପକ ସଂଘ ସଭାପତି ଗୋଲକ ନାୟକ କହିଥିଲେ, “ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ସରକାରଙ୍କ ଅନୁରୋଧକୁ ରକ୍ଷା କରି ଆମେ ମୂଲ୍ୟାୟନରେ ସାମିଲ ହେବୁ। ରାଜ୍ୟ ସରକାର ଯେଉଁ ବିକଳ୍ପ ବ୍ୟବସ୍ଥା କରିଛନ୍ତି, ତାକୁ ଉଠାଇବେ କି ନାହିଁ ସେ ନେଇ ନିଷ୍ପତ୍ତି ନେବେ। ତେବେ ଆମ ବର୍ଗରେ ଯେଉଁ ଅଧ୍ୟାପକମାନଙ୍କୁ ଖାତା ଦେଖାରେ ନିୟୋଜିତ କରାଯାଇଛି, ସେମାନେ ରବିବାରଠାରୁ ଯୋଗଦେବେ।”

୪୮୮ ବର୍ଗ ଅଧ୍ୟାପକ ସଂଘ ସଭାପତି ପବିତ୍ର ମହଲା କହିଥିଲେ, “ଆଲୋଚନା ସକରାତ୍ମକ ହେବାରୁ ଆମେ ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ ହେବାକୁ ସ୍ଥିର କରିଛୁ। ଯେଉଁ ଅଧ୍ୟାପକ,ଅଧ୍ୟାପିକାମାନଙ୍କୁ ମୂଲ୍ୟାୟନ ପାଇଁ ପତ୍ର ଦିଆଯାଇଛି, ସେମାନେ ରବିବାରଠାରୁ ଖାତା ଦେଖାରେ ସାମିଲ ହେବେ।”

ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ କହିଥିଲେ, “ଅଧ୍ୟାପକ ସଂଘ ସହ ଆଲୋଚନା ସଫଳ ହୋଇଛି। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୪ ତାରିଖରେ ବୈଠକ ବସିବ। ଏଥିରେ ଅଧ୍ୟାପକମାନଙ୍କ ସମସ୍ୟାର ସମାଧାନ ଲାଗି ଆଲୋଚନା କରାଯିବ।”

୫ଦିନ ଅବ୍ୟବସ୍ଥା ପରେ ଗତକାଲି ସରକାର ବିକଳ୍ପ ବ୍ୟବସ୍ଥାରେ ଖାତା ଦେଖା ଆରମ୍ଭ କରିଥିଲେ। କେନ୍ଦ୍ରଗୁଡିକରେ ଜିଲ୍ଲା ପ୍ରଶାସନ ସହାୟତାରେ ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା। କେନ୍ଦ୍ରୀୟ ବିଦ୍ୟାଳୟ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ଓ ବିଭିନ୍ନ ଇଂଜିନିୟରିଂ କଲେଜର ଅଧ୍ୟାପିକା ଓ ଅଧ୍ୟାପକମାନେ ମୂଲ୍ୟାୟନରେ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos