ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଦୁଇ ଦିନିଆ ଓଡିଶା ଗସ୍ତର ଆଜି ଶେଷ ଦିନ। ସେ ଆଜି ବଲାଙ୍ଗିରରେ ଆୟୋଜିତ ଜନସମାବେଶରେ ଯୋଗଦେଇ ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଗତକାଲି ଭବାନୀପାଟଣାରେ ଆୟୋଜିତ ମହାସମାବେଶ ପରେ ସାଂଗଠନିକ ସ୍ଥିତି ନେଇ ଦଳୀୟ ନେତାଙ୍କ ସହ ଶାହା ଆଲୋଚନା କରିଥିଲେ। ଭବାନୀପାଟଣାରେ ଏକ ହୋଟେଲରେ ଆୟୋଜିତ ବୈଠକରେ ରାଜ୍ୟସ୍ତରୀୟ, ଜିଲ୍ଲାସ୍ତରୀୟ ନେତା ଓ କର୍ମୀଙ୍କ ସହ ସାଂଗଠନିକ ସ୍ଥିତି ନେଇ ଆଲୋଚନା କରିଥିଲେ। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଦଳ ଯେପରି ଆହୁରି ମଜଭୁତ ହେବ ସେନେଇ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି।
ତା’ପୂର୍ବରୁ ୮ଟି ସଂସଦୀୟ କ୍ଷେତ୍ରର ବିସ୍ତାରକଙ୍କ ସହ ରୁଦ୍ଧଦ୍ୱାର ବୈଠକରେ ଆଲୋଚନା କରିଥିଲେ ଶାହା। ତା’ସହ ପ୍ରସ୍ତୁତ ହୋଇଥିଲା ରଣନୀତି। ସେହିପରି ରାଜ୍ୟ ସରକାରଙ୍କ ବିଫଳତାର ବାର୍ତ୍ତା ନେଇ ଲୋକଙ୍କ ପାଖକୁ ଯିବାକୁ ମନ୍ତ୍ରଣା ଦେଇଥିଲେ ଶାହା। ବୈଠକରେ ଦଳୀୟ ବିଧାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ବିଧାୟକ, ପୂର୍ବତନ ବିଧାୟକ, ଜିଲ୍ଲା ସଭାପତି ଓ ପ୍ରଭାରୀ ପ୍ରମୁଖ ଯୋଗଦେଇଥିଲେ। ଦଳୀୟ ନେତାଙ୍କ ସହ ଆଲୋଚନା ପୂର୍ବରୁ ଗତକାଲି ଅପରାହ୍ନରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ୱରୀଙ୍କ ମନ୍ଦିରକୁ ଯାଇଥିଲେ ଶାହା। ସେଠାରେ ପୂଜାର୍ଚ୍ଚନା କରିବା ସହ ମା ମାଣିକେଶ୍ୱରୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।