ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାଳବୈଶାଖୀ ପ୍ରଭାବରେ ଚିଲିକାରୁ ସାତପଡ଼ା ଭିତରେ ଆଜି ପ୍ରବଳ ବର୍ଷା ହେବ। ପବନ ମଧ୍ୟ ବୋହିବ। ତେଣୁ ସନ୍ଧ୍ୟା ବେଳେ ଘରୁ ନବାହାରିବା ପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
କାଳବୈଶାଖୀ ପ୍ରଭାବରେ ଆଜି ସନ୍ଧ୍ୟାବେଳେ ଚିଲିକା ଅବବାହିକା ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ପ୍ରବଳ ବେଗରେ ପବନ ମଧ୍ୟ ବୋହିବ। ଏହି ସମୟରେ ପବନର ବେଗ ୬୦ରୁ ୭୦ ରହିବ। ଏହାର ପ୍ରଭାବ ଚିଲିକାରୁ ସାତପଡ଼ା ମଧ୍ୟରେ ବେଶୀ ଦେଖିବାକୁ ମିଳିବ। ଏହାଛଡ଼ା ଗଞ୍ଜାମ, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ। ଏହାକୁ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।
ଗତ ତିନି ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ରଚିଛି। ଫଳରେ ବ୍ୟାପକ ଧନ ଜୀବନ ନଷ୍ଟ ହେଉଛି। ଗତକାଲି ହୋଇଥିବା ବଜ୍ରପାତରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହାଛଡ଼ା ଅନେକ ଆହତ ମଧ୍ୟ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲାରୁ ୩ ଜଣ ପ୍ରାଣ ହରାଇଛନ୍ତି। ପାଟଣାଗଡ଼ ବେଲପଡ଼ା ଉଡ଼ିଙ୍ଗାରେ ଆମ୍ବ ତୋଟାକୁ ଆମ୍ବ ଗୋଟେଇବାକୁ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ୨ ପିଲାଙ୍କ ମୃତ୍ୟୁ ହୋଇଥିଲା। ଉଭୟ ମୃତକ ହେଲେ ୧୦ ବର୍ଷର ପୁରୁଣାନନ୍ଦ ଭୋଇ ଓ ୧୩ ବର୍ଷର ଈଶ୍ୱର ବଏ।
ଟିଟିଲାଗଡ଼ ବାଙ୍କେଲ ଗାଁରେ ମଧ୍ୟ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିପରି ରାଉରକେଲା କାଲସିରିଆ ଗାଁରେ ବଜ୍ରାଘାତ ଘଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ନୂଆପଡ଼ା ଖଡ଼ିଆଳ ଥାନା ସାନମହେଶ୍ୱର ଗାଁରେ ମଧ୍ୟ ଜଣଙ୍କ ମୃତ୍ୟୁ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।